ଖୁଚୁରା ଓ ପାଇକାରୀ ମୁଦ୍ରାସ୍ଫୀତି ୪.୮୨% ଓ ୯.୯୨%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶର ଖୁଚୁରା ମୁଦ୍ରାସ୍ପୀତି ୪.୮୨%କୁ ବୃଦ୍ଧି ପାଇଥିବାବେଳେ ପାଇକାରୀ ମୁଦ୍ରାସ୍ଫୀତି ୯.୯୨%କୁ ବୃଦ୍ଧି ପାଇଛି। ଖାଦ୍ୟ ସାମଗ୍ରୀ, ଇନ୍ଧନ ଓ ନିର୍ମାଣ ସାମଗ୍ରୀର ଦର ବୃଦ୍ଧି ଯୋଗୁଁ ଜୁଲାଇ ମାସ ତୁଳନାରେ ଅଗଷ୍ଟ ମାସର ମୁଦ୍ରାସ୍ଫୀତିରେ ବୃଦ୍ଧି ଘଟିଛି। ଉପଭୋକ୍ତା ମୁଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଜୁଲାଇ ମାସରେ ୪.୪୫% ଥିବାବେଳେ ଅଗଷ୍ଟ ମାସରେ ଏହା ୪.୮୨%କୁ ବୃଦ୍ଧି ପାଇଛି। ସେହିପରି ପାଇକାରୀ ମୁଦ୍ରାସ୍ଫୀତି ଜୁଲାଇ ମାସରେ ୯.୭୮% ରହିଥିବାବେଳେ ଅଗଷ୍ଟରେ ଏହା ୯.୯୨%କୁ ବୃଦ୍ଧି ପାଇଥିବା ପରିସଂଖ୍ୟାନ ଓ କାର୍ଯ୍ୟାନ୍ବୟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ପ୍ରକାଶ। ଖାଦ୍ୟ ମୁଦ୍ରାସ୍ଫୀତି ଜୁଲାଇର ୫.୫୨%ରୁ ବୃଦ୍ଧି ପାଇ ଅଗଷ୍ଟରେ ୫.୯୫% ଛୁଇଁଛି। ସହରାଞ୍ଚଳ (୫.୬୪%) ତୁଳନାରେ ଗ୍ରାମାଞ୍ଚଳରେ ଖାଦ୍ୟ ମୁଦ୍ରାସ୍ଫୀତି (୬.୧୩%) ଅଧିକ ରହିଛି। ବିଶେଷ କରି ଇନ୍ଧନ ଓ ଶକ୍ତି କ୍ଷେତ୍ରରେ ପାଇକାରୀ ଦର ୨୨.୯୩% ପର୍ଯ୍ୟନ୍ତ ବୃଦ୍ଧି ପାଇବା ଏହାର ମୁଖ୍ୟ କାରଣ। ଦେଶର ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାରେ ଖୁଚୁରା ମୁଦ୍ରାସ୍ଫୀତି ୫.୫୨% ରହିଛି, ଯାହା ଜାତୀୟ ହାର (୪.୮୨%) ଠାରୁ ଅଧିକ।
ସୌଜନ୍ୟ ସମାଜ



