ରାଜ୍ୟ

ଫଳାଉଛି ଓଡ଼ିଶା; ଖାଉଛି ପଡ଼ିଶା

କୋରାପୁଟ: ବିହନ ବୁଣିବାଠାରୁ ଅମଳ ପର୍ଯ୍ୟନ୍ତ କଠୋର୍‌ ପରିଶ୍ରମ ସତ୍ତ୍ୱେ ଚାଷୀକୁ ପ୍ରକୃତ ମୂଲ୍ୟ ମିଳୁନି। ସଞ୍ଚିତ ପୁଞ୍ଜିକୁ ବିନିଯୋଗ କରି ଲାଭ ବଦଳରେ କ୍ଷତି ସହୁଛି ଚାଷୀ। ଏପରିକି, ଋଣ ସୁଝିବାକୁ ବି ଟଙ୍କା ନିଅଣ୍ଟ ପଡ଼ୁଛି। ପ୍ରତିକୂଳ ପରିସ୍ଥିତିରେ ଉତ୍ପାଦନ କମିଲେ କ୍ଷତି ହେଉଛି। କୌଣସି ବର୍ଷ ଯଦି ଆଶାଠାରୁ ଅଧିକ ଉତ୍ପାଦନ ହେଉଛି, ତଥାପି ବି କ୍ଷତି ସହିବାକୁ ପଡ଼ୁଛି। କୋରାପୁଟ ଜିଲା ଚାଷୀଙ୍କ ଦୁର୍ବଳ ଆର୍ଥିକ ସ୍ଥିତିର ଫାଇଦା ସହ ବଜାର ଅଭାବର ସୁଯୋଗ ନେଇ ଚାଲିଛନ୍ତି ପଡ଼ୋଶୀ ଆନ୍ଧ୍ର ବେପାରୀ। ସେମିଳିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ଓଡ଼ିଶାର ସର୍ବବୃହତ୍ତମ କୁନ୍ଦୁଲି ହାଟ ଏହାର ଉଦାହରଣ। ପୂର୍ବରୁ କେବଳ ଶୁକ୍ରବାର ହାଟ ବସୁଥିଲା। ସୁଲଭ ଦରରେ ପନିପରିବା ହାଟରେ ମିଳିବା ଏବଂ ବ୍ୟବସାୟୀ ଭିଡ଼ ଜମାଇବାରୁ ବର୍ତ୍ତମାନ ସବୁ ଦିନେ ହାଟ ବସୁଛି। ଦୈନିକ ପାଖାପାଖି ୧ଶହ ଟନ୍‌ରୁ ଅଧିକ ପନିପରିବା ଆନ୍ଧ୍ର ଓ ଛତିଶଗଡ଼ ବଜାରକୁ ଯାଉଛି। ମାସିକ ୫କୋଟିରୁ ଅଧିକ ବ୍ୟବସାୟ କରୁଥିବା ଏହି ହାଟରେ କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ଚାଷୀଙ୍କୁ ମିଳିପାରୁନାହିଁ। ଏହାର ମୁଖ୍ୟ କାରଣ ଶୀତଳଭଣ୍ଡାରର ଅଭାବ। ଜିଲାରେ ୨୨ ହଜାର ହେକ୍ଟର ଜମିରେ ପନିପରିବା ସହ ଅନ୍ୟାନ୍ୟ ଚାଷ ହେଉଛି। ଉତ୍ପାଦିତ ପନିପରିବା ବହୁ ଦିନ ପର୍ଯ୍ୟନ୍ତ ଗଚ୍ଛିତ କରି ରଖିବାକୁ ଜିଲାରେ ପର୍ଯ୍ୟାପ୍ତ ଶୀତଳ ଭଣ୍ଡାର ନାହିଁ। ଫଳରେ ପନିପରିବା ଉତ୍ପାଦନ ପରେ ନଷ୍ଟ ହେବା ଭୟରେ ଶାଗମାଛ ଦରରେ ଜିଲାର ଚାଷୀ ବାହାର ବେପାରୀଙ୍କୁ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଜିଲାରେ ସରକାରୀ ଭାବେ ପ୍ରାୟ ୧୦ଟି ଶୀତଳ ଭଣ୍ଡାର ରହିଛି। ଜୟପୁର ଉପଖଣ୍ଡରେ ୫ ହଜାର ଟନ ବିଶିଷ୍ଟ ଦୁଇଟି ଓ କୋରାପୁଟ ଉପଖଣ୍ଡର ସୁନାବେଡ଼ାରେ ୫ହଜାର ଟନ୍‌ ବିଶିଷ୍ଟ ଗୋଟିଏ ଘରୋଇ ଶୀତଳଭଣ୍ଡାର ରହିଛି। କୁନ୍ଦୁଲିରେ ଓଏଲଏମ ପକ୍ଷରୁ ୧୦ ଟନ୍‌ ବିଶିଷ୍ଟ ଶୀତଳଭଣ୍ଡାର ରହିଛି। ସେହିପରି ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ପକ୍ଷରୁ ଜିଲାରେ ୫ଟି ଶୀତଳଭଣ୍ଡାର ରହିଛି। କିନ୍ତୁ, ଏହି ସବୁ ଶୀତଳଭଣ୍ଡାର ଅଚଳ ଅବସ୍ଥାରେ ରହିଛି। ସେମିଳିଗୁଡ଼ା କୃଷି ବିଜ୍ଞାନ କେନ୍ଦ୍ରକୁ ଯିବା ରାସ୍ତାରେ ଥିବା ୧୫ହଜାର ଟନ କ୍ଷମତା ବିଶିଷ୍ଟ ସରକାରୀ ଶୀତଳଭଣ୍ଡାର ୨୦୦୨ ମସିହାରୁ ବନ୍ଦ ହୋଇ ପଡ଼ି ରହିଛି। ୧୯୬୨ ମସିହାରେ ନିର୍ମିତ ଏହି ଶୀତଳଭଣ୍ଡାରର ପରିଚାଳନା ଦାୟିତ୍ୱ ଜିଲା ଉଦ୍ୟାନ ବିଭାଗ ନିକଟରେ ରହିଛି। ୩୦ ଏକର ଜମି ଉପରେ ସ୍ଥାପିତ ଏହି ଶୀତଳଭଣ୍ଡାର ଚାଷୀଙ୍କ ନିମନ୍ତେ ଦିନେ ବେଶ୍‌ ଲାଭଦାୟକ ଥିଲା। ପରିଚାଳନା ତ୍ରୁଟି ଏବଂ ମରାମତି ଅଭାବରୁ ଶୀତଳଭଣ୍ଡାର ଅଚଳ ଅବସ୍ଥାରେ ଦୀର୍ଘ ୨୪ବର୍ଷ ହେବ ପଡ଼ି ରହିଛି। ଏଠାରେ ଥିବା ଲକ୍ଷଲକ୍ଷ ଟଙ୍କାର ଯନ୍ତ୍ରାଂଶ ଏବଂ ଷ୍ଟାଫ୍‌ କ୍ବାର୍ଟର୍‌ ନଷ୍ଟ ହୋଇଗଲାଣି। ଏବେ ଜିଲାର ଚାଷୀ ଆଳୁ ଲଗାଇଛନ୍ତି। ଏହା ଅକ୍ଟୋବରରେ ଉତ୍ପାଦନ ହେବ। ଉତ୍ପାଦିତ ହେବାକୁ ଥିବା ଆଳୁକୁ ସଂରକ୍ଷିତ କରି ରଖିବାକୁ ଶୀତଳଭଣ୍ଡାର ନାହିଁ। ଅମଳ ପୂର୍ବରୁ ବାହାର ରାଜ୍ୟର ବ୍ୟବସାୟୀ ଜିଲାର ଚାଷୀଙ୍କ ନିକଟରେ ପହଞ୍ଚି ଅଗ୍ରୀମ ଦେଉଥିବାରୁ ଚାଷୀ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେବା ଏବେଠୁ ଜଳଜଳ ଦିଶିଲାଣି।
ନୂତନ ଶୀତଳଭଣ୍ଡାର ସ୍ଥାପନ ଏବଂ ଯେଉଁସବୁ ଶୀତଳଭଣ୍ଡାର ଅଚଳ ହୋଇ ରହିଛି, ସେଗୁଡ଼ିକର ପୁନରୁଦ୍ଧାର ପାଇଁ ଓଡ଼ିଶା ସରକାର ୨୦୨୫ରେ ଏକ ଯୋଜନା କରିଥିଲେ। ଏହାକୁ ନେଇ ଚାଷୀଙ୍କ ମନରେ ଆଶା ଦେଖାଦେଇଥିଲା। ସେମାନଙ୍କ ପନିପରିବା, ଫଳ, ଦୁଗ୍ଧଜାତ ଦ୍ରବ୍ୟ ନଷ୍ଟ ନହୋଇ ଦୀର୍ଘ ଦିନ ଧରି ତାଜା ରହିପାରିବ ଏବଂ ଜିଲାରେ ପନିପରିବା ଦର ନିୟନ୍ତ୍ରଣରେ ରହିପାରିବ। କିନ୍ତୁ, ଉକ୍ତ ଯୋଜନା ଏ ପର୍ଯ୍ୟନ୍ତ କୋରାପୁଟ ଜିଲାରେ କାର୍ଯ୍ୟକାରୀ ହୋଇପାରିନି। ଦୂରଦୃଷ୍ଟି ଅଭାବରୁ ପୂର୍ବରୁ ଯେତେସବୁ ଶୀତଳଭଣ୍ଡାର ନିର୍ମାଣ ହୋଇଛି, ସେଗୁଡ଼ିକ ହାଟ ବଜାରଠାରୁ ଢେର୍‌ ଦୂରତାରେ ରହିଛି।

 

 

 

 

 

 

 

ସୌଜନ୍ୟ ସମାଜ

Show More

Leave a Reply

Your email address will not be published. Required fields are marked *

Back to top button