ବୋର୍ଡ ନେଇପାରିବେନି ମନଇଚ୍ଛା ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅଧୀନସ୍ଥ ସାଧାରଣ ଉଦ୍ୟୋଗ ବା ପବ୍ଲିକ ସେକ୍ଟର ଅଣ୍ଡରଟେକିଂ (ଏସପିଏସୟୁ)ଗୁଡ଼ିକର ଆର୍ଥିକ ପରିଚାଳନା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ଏଣିକି କୌଣସି ରାଜ୍ୟ ପିଏସୟୁ ନିଜସ୍ୱ ସ୍ତରରେ କର୍ମଚାରୀଙ୍କ ବାର୍ଷିକ ପ୍ରୋତ୍ସାହନ ରାଶି (ଇନସେଣ୍ଟିଭ୍ ବା ଏକ୍ସ-ଗ୍ରାସିଆ) ନିର୍ଦ୍ଧାରଣ କରିପାରିବେ ନାହିଁ। ଏହି ରାଶିର ପରିମାଣ କେବଳ ସରକାରୀ ସ୍ତରରେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ହିଁ ଚୂଡ଼ାନ୍ତ ହେବ। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମସ୍ତ ସଚିବଙ୍କ ବୈଠକରେ ଏହି ନିଷ୍ପତ୍ତି ନେଇ ସମସ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି।
ରାଜ୍ୟର ବିଭିନ୍ନ ବିଭାଗ ଓ ପିଏସୟୁଗୁଡ଼ିକର କାର୍ଯ୍ୟଶୈଳୀକୁ ଶୃଙ୍ଖଳିତ କରିବା ଲାଗି କେତେକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ପିଏସୟୁଗୁଡ଼ିକ କର୍ମଚାରୀଙ୍କୁ ଦିଆଯାଉଥିବା ବାର୍ଷିକ ପ୍ରୋତ୍ସାହନ ବା ଏକ୍ସ-ଗ୍ରାସିଆ ନିଜ ବୋର୍ଡ ବୈଠକରେ ମନମୁଖୀ ଭାବେ ସ୍ଥିର କରିପାରିବେ ନାହିଁ। ଏଥିପାଇଁ ସରକାରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁର ବାଧ୍ୟତାମୂଳକ କରାଯାଇଛି।
ସେହିଭଳି ସାମାଜିକ କ୍ଷେତ୍ରରେ ଖର୍ଚ୍ଚ ବୃଦ୍ଧି ତଥା ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଲାଗି ଇଞ୍ଜିନିୟରିଂ ବିଭାଗ ଏବଂ ରାଜ୍ୟ ପିଏସୟୁଗୁଡ଼ିକର ଦକ୍ଷତାକୁ ସର୍ବାଧିକ ଉପଯୋଗ କରିବାକୁ ନିର୍ଦେଶ ଦିଆଯାଇଛି। କାର୍ଯ୍ୟନିର୍ବାହ ବେଳେ ପ୍ରଥମେ ରାଜ୍ୟର ନିଜସ୍ୱ ଇଞ୍ଜିନିୟରିଂ ବିଭାଗ ଓ ରାଜ୍ୟ ପିଏସୟୁକୁ ଦାୟିତ୍ୱ ଦିଆଯିବ। ଯଦି ସେମାନେ କାର୍ଯ୍ୟ କରିବାକୁ ଅସମର୍ଥ ହୁଅନ୍ତି, କେବଳ ସେହି କ୍ଷେତ୍ରରେ ଅର୍ଥ ବିଭାଗର ସହମତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ହିଁ କେନ୍ଦ୍ରୀୟ ପିଏସୟୁଙ୍କୁ ଦାୟିତ୍ୱ ମିଳିବ।
ରାଜ୍ୟ ପିଏସୟୁଗୁଡ଼ିକ ନିଜର ପୁଞ୍ଜି ବ୍ୟୟ ସମ୍ପର୍କିତ ସମସ୍ତ ପ୍ରସ୍ତାବକୁ ‘ଟେକ୍ନିକାଲ ସପୋର୍ଟ ୟୁନିଟ୍’ (ଟିଏସୟୁ) ମାଧ୍ୟମରେ ସରକାରଙ୍କ ନିକଟକୁ ପଠାଇବେ। ପୂର୍ବରୁ ରାଜ୍ୟ ନିଗମ ଓ ସଂସ୍ଥା ନିଜସ୍ୱ ବୋର୍ଡ ସ୍ତରରେ ପ୍ରୋତ୍ସାହନ ରାଶି ବା ବୋନସ୍ ଘୋଷଣା କରୁଥିଲେ, ଯାହା ରାଜ୍ୟ କୋଷାଗାର ଏବଂ ଆର୍ଥିକ ଶୃଙ୍ଖଳା ଉପରେ ପ୍ରଭାବ ପକାଉଥିଲା। ଏହାବ୍ୟତୀତ, ରାଜ୍ୟରେ ନିଜସ୍ୱ ବୈଷୟିକ ଭିତ୍ତିଭୂମି ଥାଇ ମଧ୍ୟ ସାଧାରଣ କାର୍ଯ୍ୟଗୁଡ଼ିକୁ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକୁ ହସ୍ତାନ୍ତର କରାଯାଉଥିବାରୁ ରାଜ୍ୟ ସଂସ୍ଥାଗୁଡ଼ିକର ଅଭିବୃଦ୍ଧି ବାଧାପ୍ରାପ୍ତ ହେଉଥିଲା। ଏହି ଅସଙ୍ଗତି ଦୂର କରିବା, ସରକାରୀ ପାଣ୍ଠିର ସଦୁପଯୋଗ ସୁନିଶ୍ଚିତ କରିବା ଏବଂ ପିଏସୟୁଗୁଡ଼ିକର ଆର୍ଥିକ ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ଏହି ପଦକ୍ଷେପ ନେଇଛନ୍ତି।
ଅର୍ଥ ବିଭାଗ ଅଧିକାରୀଙ୍କ ମତ ଅନୁସାରେ, ରାଜ୍ୟ ସ୍ତରରେ ସିଧାସଳଖ ବିଭାଗୀୟ ତଦାରଖ ରହିବା ଦ୍ୱାରା ଅନାବଶ୍ୟକ ଖର୍ଚ୍ଚ କମିବ ଏବଂ ସମସ୍ତ ନିଗମରେ ସମାନତା ବଜାୟ ରହିବ। ରାଜ୍ୟ ପିଏସୟୁ ଏବଂ ଇଞ୍ଜିନିୟରିଂ ବିଭାଗକୁ ପ୍ରାଥମିକତା ମିଳିବା ଫଳରେ ସେମାନଙ୍କ ବୈଷୟିକ ଦକ୍ଷତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ଟେକ୍ନିକାଲ ସପୋର୍ଟ ୟୁନିଟ୍ (ଟିଏସୟୁ) ଜରିଆରେ କ୍ୟାପେକ୍ସ ପ୍ରସ୍ତାବ ଯାଞ୍ଚ ହେବା ଫଳରେ ବିକାଶମୂଳକ କାର୍ଯ୍ୟଗୁଡ଼ିକରେ କାର୍ଯ୍ୟକାରିତା ତଥା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ ହେବାର ସମ୍ଭାବନା ବଢ଼ିବ।
ସୌଜନ୍ୟ ସମାଜ




