ନବାନ୍ନ ଲାଗି : ଗାଁରୁ ସହର ସବୁଠି ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ପବିତ୍ର ନୂଆଁଖାଇ ଆଜି ଅତ୍ୟନ୍ତ ଆନନ୍ଦ, ଉଲ୍ଲାସ ଓ ନିଷ୍ଠାର ସହ ପାଳିତ ହେଉଛି। ଶୁଭଲଗ୍ନରେ ମା’ ସମଲେଶ୍ୱରୀଙ୍କ ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ପ୍ରମୁଖ ଦେବୀପୀଠ ଗୁଡ଼ିକରେ ନବାନ୍ନ ଲାଗି କରାଯାଇଛି।
ସମ୍ବଲପୁରର ଈଷ୍ଟଦେବୀ ମା’ ସମଲେଇଙ୍କ ନିକଟରେ ପୂର୍ବାହ୍ନ ୯ଟା ୪୦ ରୁ ୯ଟା ୫୪ ମଧ୍ୟରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି ପୂର୍ବକ ନବାନ୍ନ (ନୂଆ ଧାନରୁ ପ୍ରସ୍ତୁତ ଭୋଗ) ଲାଗି ହୋଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ପ୍ରଥମେ ମା’ଙ୍କଠାରେ ନବାନ୍ନ ଅର୍ପଣ କରାଯିବା ପରେ ପଶ୍ଚିମ ଓଡ଼ିଶାର ଘରେ ଘରେ ଶ୍ରଦ୍ଧାଳୁମାନେ ନିଜ ନିଜର ଈଷ୍ଟଦେବୀ ଓ ଗ୍ରାମଦେବତୀଙ୍କ ନିକଟରେ ନବାନ୍ନ ଲାଗି କରିଛନ୍ତି।
ନବାନ୍ନ ଭୋଗ ପରେ ପରିବାରର ସମସ୍ତ ସଦସ୍ୟ ଏକାଠି ବସି ପ୍ରସାଦ ସେବନ କରିଛନ୍ତି। ଏହାପରେ ପାରମ୍ପରିକ ‘ନୂଆଁଖାଇ ଜୁହାର’ ପର୍ବ ଆରମ୍ଭ ହୋଇଛି। ସାନମାନେ ବଡ଼ମାନଙ୍କ ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରୁଥିବା ବେଳେ ବଡ଼ମାନେ ସାନଙ୍କୁ ସ୍ନେହ ଓ ଶୁଭେଚ୍ଛା ଜଣାଉଛନ୍ତି। ବନ୍ଧୁକଟୁମ୍ବ ଓ ପଡ଼ୋଶୀଙ୍କ ମଧ୍ୟରେ କୋଳାକୋଳି ହୋଇ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆବୋହବା ସୃଷ୍ଟି ହୋଇଛି।
ନବାନ୍ନ ଲାଗି ପାଇଁ ଆଜି ଭୋରରୁ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସ୍ୱତନ୍ତ୍ର ସାଜସଜ୍ଜା ଓ ଆଳତି ସହ ପୂଜାର୍ଚ୍ଚନା କରାଯାଇଥିଲା। କେବଳ ସମ୍ବଲପୁର ନୁହେଁ, ବଲାଙ୍ଗୀରର ମା’ ପାଟଣେଶ୍ୱରୀ, ସୋନପୁରର ମା’ ସୁରେଶ୍ୱରୀ ପୀଠରେ ମଧ୍ୟ ନିର୍ଦ୍ଧାରିତ ଲଗ୍ନରେ ନବାନ୍ନ ଲାଗି ହୋଇଛି। ଏହି ଉତ୍ସବକୁ ନେଇ ସମଗ୍ର ଅଞ୍ଚଳରେ ଏକ ପବିତ୍ର ଓ ଆନନ୍ଦମୟ ପରିବେଶ ସୃଷ୍ଟି ହୋଇଛି।
ସୌଜନ୍ୟ ସମାଜ




