ଦେଶ ବିଦେଶ

Middle East: ମଧ୍ୟପ୍ରାଚ୍ୟ ଯୁଦ୍ଧ ଓ ଏଆଇ ଉପରେ ରହିବ ବିଶ୍ୱନେତାଙ୍କ ନଜର: ଜାତିସଂଘର ୮୧ତମ ସାଧାରଣ ସଭାରେ ଜଳବାୟୁ ପରିବର୍ତ୍ତନ ହେବ ମୁଖ୍ୟ ପ୍ରସଙ୍ଗ

ମଧ୍ୟପ୍ରାଚ୍ୟ, ୟୁକ୍ରେନ୍‌ ଓ ସୁଦାନରେ ଯୁଦ୍ଧ ଜାରି ରହିଥିବା ବେଳେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଆସନ୍ତା ମଙ୍ଗଳବାରଠାରୁ ନ୍ୟୁୟର୍କରେ ବିଶ୍ୱନେତାମାନେ ଏକାଠି ହେବେ।

ନ୍ୟୁୟର୍କ: ମଧ୍ୟପ୍ରାଚ୍ୟ, ୟୁକ୍ରେନ୍‌ସୁଦାନରେ ଯୁଦ୍ଧ ଜାରି ରହିଥିବା ବେଳେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଦ୍ରୁତ ବିକାଶକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ଆସନ୍ତା ମଙ୍ଗଳବାରଠାରୁ ନ୍ୟୁୟର୍କରେ ବିଶ୍ୱନେତାମାନେ ଏକାଠି ହେବେ। ଜାତିସଂଘର ୮୧ତମ ସାଧାରଣ ସଭାର ଉଚ୍ଚସ୍ତରୀୟ ବୈଠକରେ ଚଳିତ ବର୍ଷ ମଧ୍ୟପ୍ରାଚ୍ୟ ସଙ୍କଟ ସହ ଏଆଇ ସୁରକ୍ଷା ପ୍ରମୁଖ ଆଲୋଚନାର ବିଷୟ ହେବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ବିରୋଧୀ ଯୁଦ୍ଧ ଏବଂ ଏହାର ବିଶ୍ୱବ୍ୟାପୀ ପ୍ରଭାବ ଉପରେ ବିଶ୍ୱନେତାଙ୍କ ଆଲୋଚନା କେନ୍ଦ୍ରୀଭୂତ ହେବାର ଆଶା ରହିଛି। ଇସ୍ରାଏଲ୍‌-ପାଲେଷ୍ଟାଇନ୍‌ ବିବାଦ, ଗାଜାରେ ଶାନ୍ତି ପ୍ରକ୍ରିୟା ଏବଂ ଅଧିକୃତ ୱେଷ୍ଟବ୍ୟାଙ୍କରେ ଇସ୍ରାଏଲ୍‌ର ବସତି ବିସ୍ତାର ମଧ୍ୟ ବିବାଦୀୟ ପ୍ରସଙ୍ଗ ହେବ। ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ମଧ୍ୟ ନ୍ୟୁୟର୍କ ଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟପକ୍ଷରେ ଆମେରିକା ପ୍ରଶାସନ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ପାଲେଷ୍ଟାଇନ୍‌ ରାଷ୍ଟ୍ରପତି ମେହମୁଦ ଆବାସଙ୍କୁ ଭିସା ଦେଇନାହିଁ।
ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି ନିଜ ଦେଶର ପ୍ରତିରକ୍ଷା ପାଇଁ ସହଯୋଗୀ ଦେଶଗୁଡ଼ିକ ଧ୍ୟାନ ନ ହଟାଇବାକୁ ଆହ୍ୱାନ ଦେବେ। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟ ଆଲୋଚନାରେ ରହିବ। ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ କହିଛନ୍ତି, ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଓ ମଧ୍ୟପ୍ରାଚ୍ୟ ପରିସ୍ଥିତି ଦିନକୁ ଦିନ ଖରାପ ହେବା ବିଶ୍ୱ ପାଇଁ ଗଭୀର ଚିନ୍ତାର ବିଷୟ।

ଏଆଇର ବିପଦ ଓ ଏହାର ନିରାପଦ ବ୍ୟବହାର ମଧ୍ୟ ବୈଠକର ଅନ୍ୟତମ ମୁଖ୍ୟ ବିଷୟ ହେବ। ଏଆଇର ଦ୍ରୁତ ବିକାଶ ମାନବ ସମାଜ ପାଇଁ କେତେକ ବିପଦ ସୃଷ୍ଟି କରିପାରେ ବୋଲି ପ୍ରଯୁକ୍ତି କ୍ଷେତ୍ରର ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଏଆଇ ନିରାପତ୍ତା ସମ୍ପର୍କରେ ଏକ ଜରୁରୀ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ମଧ୍ୟ ହେବ। ଏଆଇ କ୍ଷେତ୍ରରେ ଆମେରିକା ଓ ଚୀନ୍‌ ମଧ୍ୟରେ ପ୍ରତିଯୋଗିତା ବଢ଼ୁଥିବାରୁ ଅଧିକ ଅନ୍ତର୍ଜାତୀୟ ସମନ୍ୱୟ ଆବଶ୍ୟକ ବୋଲି ଗୁଟେରସ୍‌ କହିଛନ୍ତି। ଏହାଛଡ଼ା ଜାତିସଂଘର ଭବିଷ୍ୟତ, ସଂଗଠନର ଆର୍ଥିକ ସଙ୍କଟ, ଜଳବାୟୁ ପରିବର୍ତ୍ତନ ଓ ସମୁଦ୍ର ପତ୍ତନ ବୃଦ୍ଧି ଉପରେ ମଧ୍ୟ ଆଲୋଚନା ହେବ। ଗୁଟେରସ୍‌ଙ୍କ ଦ୍ୱିତୀୟ ପାଞ୍ଚବର୍ଷିଆ କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୬ରେ ଶେଷ ହେଉଥିବାରୁ ନୂଆ ମହାସଚିବ ଚୟନ ନେଇ ମଧ୍ୟ ବିଶ୍ୱର ପ୍ରମୁଖ ଶକ୍ତିମାନେ ଆଲୋଚନା କରିବେ। ଜାତିସଂଘର ଉଚ୍ଚସ୍ତରୀୟ ବୈଠକ ସେପ୍ଟେମ୍ବର ୨୧ରୁ ୨୫ ମଧ୍ୟରେ ଚାଲିବ ଏବଂ ସାଧାରଣ ବିତର୍କ ୨୨ରୁ ୨୬ ଓ ୨୮ରେ ଅନୁଷ୍ଠିତ ହେବ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button