ରାଜ୍ୟ

Kanak News: ‘କନକ ନ୍ୟୁଜ୍‌’ର ଓଡ଼ିଶା ନିର୍ମାଣ ଏମ୍‌ଏସ୍‌ଏମ୍ଇ ସମିଟ୍‌-୨୦୨୬: ‘ଶିଳ୍ପ ସ୍ଥାପନ ସମୟ ୧୦୦ ଦିନକୁ କମିବ’

ରାଜ୍ୟ ସରକାର କେବଳ ବଡ଼ ପୁଞ୍ଜିିନିବେଶ ଆଣିବାକୁ ଗୁରୁତ୍ବ ଦେଉନାହାନ୍ତି। ବଡ଼ ନିବେଶ କେବଳ ଗୋଟିଏ ଅଞ୍ଚଳରେ ପରିବର୍ତ୍ତନ ଆଣିପାରିବ। କିନ୍ତୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସାରା ଓଡ଼ିଶାକୁ ବଦଳାଇପାରିବ।

ଭୁବନେଶ୍ବର: ରାଜ୍ୟ ସରକାର କେବଳ ବଡ଼ ପୁଞ୍ଜିିନିବେଶ ଆଣିବାକୁ ଗୁରୁତ୍ବ ଦେଉନାହାନ୍ତି। ବଡ଼ ନିବେଶ କେବଳ ଗୋଟିଏ ଅଞ୍ଚଳରେ ପରିବର୍ତ୍ତନ ଆଣିପାରିବ। କିନ୍ତୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ସାରା ଓଡ଼ିଶାକୁ ବଦଳାଇପାରିବ। ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ ଲାଗି ସରକାର ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ହାସଲ ଦିଗରେ ଏମ୍ଏସ୍‌ଏମ୍ଇ କ୍ଷେତ୍ରର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ‘କନକ ନ୍ୟୁଜ୍‌’ ପକ୍ଷରୁ ଆୟୋଜିତ ‘ଓଡ଼ିଶା ନିର୍ମାଣ ଏମ୍‌ଏସ୍‌ଏମ୍‌ଇ ସମିଟ୍‌-୨୦୨୬’କୁ ସମ୍ବୋଧିତ କରି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି।

ରାଜ୍ୟରେ ଶିଳ୍ପାୟନକୁ ସୁଦୃଢ଼ କରିବା ଦିଗରେ ସରକାର ନେଉଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରି ସେ କହିଲେ, ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ୧୬.୭୩ ଲକ୍ଷ କୋଟି ଟଙ୍କାର ନିବେଶ ସମ୍ଭାବନା ସହ ୫୯୩ଟି ପ୍ରସ୍ତାବ ଆସିଥିଲା। ଏହାପରେ ନିୟମିତ ବ୍ୟବଧାନରେ ସରକାର ହାଇଦ୍ରାବାଦ, ମୁମ୍ବାଇ, କୋଲକାତା, ଅହମଦାବାଦ ଓ ନିକଟରେ ୟୁଏଇରେ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ କରିଥି‌ଲେ। ସରକାର ଭିନ୍ନ ଆଭିମୁଖ୍ୟ ନେଇ କାମ କରୁଛନ୍ତି। ପ୍ରତିଟି କାର୍ଯ୍ୟକ୍ରମ କିଛି ନିର୍ଦ୍ଦିଷ୍ଟ ଫୋକସ୍‌ ସେକ୍ଟର (ଗୁରୁତ୍ବର କ୍ଷେତ୍ର)କୁ ଦୃଷ୍ଟିରେ ରଖି ଆ‌ୟୋଜନ କରାଯାଉଛି। ଖୋରଧାରେ ବୟନ ଶିଳ୍ପ ଏବଂ ଖୋରଧା-ନୟାଗଡ଼ ମଧ୍ୟରେ ଫାର୍ମା ଓ ମେଡିକାଲ୍‌ ଡିଭାଇସ୍‌ ଶିଳ୍ପ ସ୍ଥାପନ କରିବା ଉପରେ ଜୋର୍‌ ଦିଆଯାଉଛି। ନିବେଶକମାନଙ୍କ ଲାଗି ବ୍ୟବସାୟ ପରିବେଶକୁ ସହଜ ଓ ଅନୁକୂଳ କରିବା ସମ୍ପର୍କରେ ସେ କହିଲେ, ପୂର୍ବରୁ ଶିଳ୍ପ ସ୍ଥାପନ କରିବାକୁ ୪୦୦ ଦିନ ସମୟ ଲାଗୁଥିଲା। ଆମେ ତାହାକୁ ୧୦୦-୧୫୦ ଦିନକୁ ହ୍ରାସ କରିବା ଦିଗରେ କାମ କରୁଛୁ। ଖୁବ୍‌ଶୀଘ୍ର ସେଥିପାଇଁ ଡିରେଗୁଲେସନ୍‌ର ପରବର୍ତ୍ତୀ ପର୍ଯ୍ୟାୟ ଘୋଷଣା କରାଯିବ। ମାତ୍ର ବର୍ଷକ ଭିତରେ ଖୋରଧାରେ ଏପିକ୍‌ ଗ୍ରୁପ୍‌ର ବୟନ ପ୍ରକଳ୍ପ ସ୍ଥାପନ ହୋଇଥିବା ସେ କହିଥିଲେ। ରାଜ୍ୟର ଯୁବବର୍ଗ ଚାକିରି ପଛରେ ନ ଗୋଡ଼ାଇ ଉଦ୍ୟୋଗୀ ହୋଇ ଅନ୍ୟକୁ ଚାକିରି ଦେବା ଲାଗି ଉଦ୍ୟମ କରିବାକୁ ସେ କହିଥିଲେ। ରାଜ୍ୟରେ ବିନିର୍ମାଣ (ମାନୁଫାକ୍‌ଚରିଂ)କୁ ଆହୁରି ସୁଦୃଢ଼ କରିବା ସହ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟ ହାସଲ କରିବା ଲାଗି ସମସ୍ତଙ୍କ ମିଳିତ ସହଯୋଗ ଲୋଡ଼ା ବୋଲି ମନ୍ତ୍ରୀ ମତ ରଖିଥିଲେ। ଏଥି ସହିତ ସେ ଉପସ୍ଥିତ ଉଦ୍ୟୋଗୀମାନଙ୍କ ବିଭିନ୍ନ ପ୍ରଶ୍ନର ମଧ୍ୟ ଉତ୍ତର ଦେଇଥିଲେ।

କାର୍ଯ୍ୟକ୍ରମରେ ସ୍ବାଗତ ଭାଷଣ ଦେଇ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଷାଠିଏ ଦଶକ ପରଠାରୁ ରାଜ୍ୟ ଶିଳ୍ପାୟନ ଦୃଶ୍ୟପଟରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ୮୦ ଦଶକ ପରେ ରାଜ୍ୟରେ ରାଜନୈତିକ ସ୍ଥିରତା ଥିବା ସତ୍ତ୍ବେ ବିକାଶ ଯେଉଁଭଳି ହେବା କଥା, ହୋଇଛି ନା ନାହିଁ; ତାହା ବିତର୍କର ବିଷୟ ବୋଲି କହିଥିଲେ। ସେ କହିଲେ ଯେ ଓଡ଼ିଶାର ମାଟି ତଳେ, ଉପରେ ଓ କଡ଼ରେ ସମ୍ପଦ ଭରି ରହିଛି। ଧନୀ ଓଡ଼ିଶାରେ କିନ୍ତୁ ଓଡ଼ିଆମାନେ ଗରିବ। ଯେଉଁମାନେ କେବଳ ବଡ଼ ଶିଳ୍ପ କଥା ଭାବୁଛନ୍ତି, ସେମାନେ ସମତୁଲ ବିକାଶ କଥା ଚିନ୍ତା କରିପାରିବେନି। ଛୋଟ ଶିଳ୍ପକୁ ଗୁରୁତ୍ବହୀନ ବୋଲି କେହି ଭାବନ୍ତୁ ନାହିଁ। ଛୋଟର ଭୂମିକା ଅଧିକ। ବଡ଼ ଶିଳ୍ପ ଆଖପାଖରେ ଯେତିକି ଛୋଟ ଶିଳ୍ପ ଗଢ଼ି ଉଠିବା କଥା ତାହା ହୋଇପାରିନଥିବା ସେ କହିଥିଲେ।
ସମିଟ୍‌ରେ ଦୁଇଟି ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଜ୍ୟୋତି ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ‘ନୀତିରୁ ପ୍ରଗତି: ଏକ ଦୃଢ଼ ଏମ୍‌ଏସ୍‌ଏମ୍‌ଇ ପରିସଂସ୍ଥା ଗଠନ’ ଶୀର୍ଷକ ଅଧିବେଶନରେ ସିଏସ୍‌ଏମ୍‌ ଟେକ୍ନୋଲୋଜିସ୍‌ର ପ୍ରତିଷ୍ଠାତା ଓ ସିଇଓ ପ୍ରିୟଦର୍ଶୀ ନାନୁ ପାଣି ପ୍ରତ୍ୟକ୍ଷ ଆଲୋଚନାରେ ଭାଗ ନେଇଥିଲେ। ସେହିପରି ‘ଓଡ଼ିଶାରେ ଏମ୍‌ଏସ୍‌ଏମ୍‌ଇ: ଆହ୍ବାନ, ଅନ୍ତର ଓ ଆଗାମୀ ପନ୍ଥା’ ଶୀର୍ଷକ ଅଧିବେଶନରେ ସ୍ବସ୍ତିକା ପଣ୍ଡା ସଂଯୋଜନା କରିଥିବା ବେଳେ ବକ୍ତା ଭାବେ ରକ୍‌ ସ୍କିଲ୍‌ହାଇଭ୍‌ ଏଲ୍‌ଏଲ୍‌ପିର ପରିଚାଳନା ନିର୍ଦ୍ଦେଶିକା ପୁନମ ମହାପାତ୍ର, ମଣିକସ୍ତୁ ଆଗ୍ରୋ ପ୍ରାଇଭେଟ୍‌ ଲିମିଟେଡ୍‌ର ସହପ୍ରତିଷ୍ଠାତା ଓ ନିର୍ଦ୍ଦେଶିକା ଜୟନ୍ତୀ ମହାପାତ୍ର ଏବଂ ଏସ୍‌ବି ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ପଟ୍ଟନାୟକ ଯୋଗ ଦେଇଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button