Protest: କୁକି ଯୁବକଙ୍କୁ ଅଟକ ପ୍ରତିବାଦରେ ମଣିପୁରରେ ହିଂସାତ୍ମକ ବିକ୍ଷୋଭ, ଟାୟାର ଜାଳି ରାସ୍ତା ଅବରୋଧ
ମଣିପୁରର କାଙ୍ଗପୋକପି ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ୬ ଜଣ ଗ୍ରାମବାସୀଙ୍କୁ ଅଟକ ରଖାଯିବା ଅଭିଯୋଗ ନେଇ କୁକି ସମ୍ପ୍ରଦାୟର ଲୋକମାନେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତ ରାତିରେ ମୋଟବୁଙ୍ଗ ଏବଂ ଆଖପାଖ ଅଞ୍ଚଳରେ ଏହି ବିକ୍ଷୋଭ ଓ ହିଂସା ଜାରି ରହିଥିଲା।

ଇମ୍ଫାଲ: ମଣିପୁରର କାଙ୍ଗପୋକପି ଜିଲ୍ଲାରେ ସୁରକ୍ଷା ବାହିନୀ ଦ୍ୱାରା ୬ ଜଣ ଗ୍ରାମବାସୀଙ୍କୁ ଅଟକ ରଖାଯିବା ଅଭିଯୋଗ ନେଇ କୁକି ସମ୍ପ୍ରଦାୟର ଲୋକମାନେ ହିଂସାତ୍ମକ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗତ ରାତିରେ ମୋଟବୁଙ୍ଗ ଏବଂ ଆଖପାଖ ଅଞ୍ଚଳରେ ଏହି ବିକ୍ଷୋଭ ଓ ହିଂସା ଜାରି ରହିଥିଲା। ଆନ୍ଦୋଳନକାରୀମାନେ ରାସ୍ତାରେ ଟାୟାର ଜାଳିବା ସହ ସରକାରୀ ଗାଡ଼ି ଉପରକୁ ପଥରମାଡ଼ କରିଥିଲେ। ବିନା କାରଣରେ ଖୋଲେନ୍ ଗ୍ରାମର ୬ ଜଣ ଯୁବକଙ୍କୁ ସୁରକ୍ଷା ବାହିନୀ ଅଟକ ରଖିଥିବା ଅଭିଯୋଗ ହୋଇଥିଲା ଏବଂ ଏହା ବିରୋଧରେ ପ୍ରାୟ ୧ ହଜାର ଲୋକ ରାସ୍ତାକୁ ଓହ୍ଲାଇଥିଲେ।
ଖୋଳିଦେଲେ ଏନ୍ଏଚ୍, ଲୁହବୁହା ଗ୍ୟାସ୍ ପ୍ରୟୋଗ
ସୂଚନାଯୋଗ୍ୟ, ନାଗାବହୁଳ ଚାୱାଙ୍ଗକିନିଙ୍ଗ ଗ୍ରାମ ନିକଟରେ ଥିବା ଖୋଲେନ୍ ଗ୍ରାମ ଉପରେ ନିକଟରେ ସଶସ୍ତ୍ର ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଆନ୍ଦୋଳନକାରୀଙ୍କୁ ଛତ୍ରଭଙ୍ଗ ଦେବା ପାଇଁ ସୁରକ୍ଷା ବାହିନୀ ତୁହାକୁ ତୁହା ଲୁହବୁହା ଗ୍ୟାସ୍ ସେଲ୍ ପ୍ରୟୋଗ କରିଥିଲେ। ଏଥିସହିତ ସୁରକ୍ଷା ବାହିନୀଙ୍କ ଗାଡ଼ି ଚଳାଚଳ ବନ୍ଦ କରିବା ପାଇଁ ବିକ୍ଷୋଭକାରୀମାନେ ଭାରୀ ନିର୍ମାଣ ଯନ୍ତ୍ରପାତି ବ୍ୟବହାର କରି ମୋଟବୁଙ୍ଗଠାରେ ୨ ନମ୍ବର ଜାତୀୟ ରାଜପଥର (ଇମ୍ଫାଲରୁ ଡିମାପୁର) କିଛି ଅଂଶ ଖୋଳି ଦେଇଥିଲେ।
ଏହି ସଂଘର୍ଷ ଏବଂ ପ୍ରଦର୍ଶନ ସମୟରେ କିଛି ଆନ୍ଦୋଳନକାରୀ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରବର୍ତ୍ତୀ ସମୟରେ ସୁରକ୍ଷା ବାହିନୀ ଦ୍ୱାରା ଅଟକ ରଖାଯାଇଥିବା ବ୍ୟକ୍ତିଙ୍କୁ ଛାଡ଼ି ଦିଆଯିବା ପରେ ଏହି ବିକ୍ଷୋଭ ପ୍ରଦର୍ଶନ ଶେଷ ହୋଇଥିଲା। ବର୍ତ୍ତମାନ ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




