Textbook error issue: ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗ: ଏ ସପ୍ତାହରେ ତ୍ରୁଟିଶୂନ୍ୟ ବହି, ସରିଲା ସଂଶୋଧନ, ବାହାରିଲା ୨୬୭୦ ଭୁଲ୍
ପାଠ୍ୟପୁସ୍ତକ ତ୍ରୁଟି ଅପବାଦରୁ ମୁକୁଳିବାକୁ ଚଳିତ ଶିକ୍ଷାବର୍ଷରେ ହିଁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗଣଶିକ୍ଷା ବିଭାଗର ଅଧିକାରୀମାନେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକରେ ସଂଶୋଧନ କରିଛନ୍ତି।

ଭୁବନେଶ୍ବର: ପାଠ୍ୟପୁସ୍ତକ ତ୍ରୁଟି ଅପବାଦରୁ ମୁକୁଳିବାକୁ ଚଳିତ ଶିକ୍ଷାବର୍ଷରେ ହିଁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗଣଶିକ୍ଷା ବିଭାଗର ଅଧିକାରୀମାନେ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକରେ ସଂଶୋଧନ କରିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ମଧ୍ୟରେ ଥିବା ୫୫ଟି ପାଠ୍ୟପୁସ୍ତକରେ ଆବଶ୍ୟକ ତ୍ରୁଟି ସଂଶୋଧନ ପରେ ତାହାକୁ ୨୭ରୁ ଅଧିକ ଭାଷା ବିଶେଷଜ୍ଞଙ୍କ ଦ୍ବାରା ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି। ପୁସ୍ତକର ପ୍ରତିଟି ପୃଷ୍ଠାରେ ଥିବା ବାକ୍ୟ, ଶବ୍ଦକୁ ଏକାଧିକ ଥର ପଢ଼ାଯାଇଛି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଆଧାରରେ ଓଡ଼ିଆ ପୁସ୍ତକଗୁଡ଼ିକ ସଂଶୋଧନ ହୋଇଛି। ଏଥିସହ ରାଜ୍ୟ ସରକାରଙ୍କ ଏକାଧିକ ସଂସ୍ଥାଙ୍କ ସହାୟତାରେ ଓଡ଼ିଆ, ଇଂରାଜୀ, ଗଣିତ, ବିଜ୍ଞାନ ବହି ପାଇଁ ଅଲଗା ଅଲଗା ବିଶେଷଜ୍ଞ ନିୟୋଜିତ ହୋଇ ଯାଞ୍ଚ କରିଛନ୍ତି। ଏବେ ସୁଦ୍ଧା ଡିଟିପି ଶେଷ ହୋଇ ବହିଗୁଡ଼ିକ ପ୍ରକାଶନ ପାଇଁ ପ୍ରସ୍ତୁତ ହୋଇ ରହିଛି। ସମ୍ଭବତଃ ଦୁଇରୁ ତିନି ଦିନ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୮ଟି ଶ୍ରେଣୀରେ ସଂଶୋଧିତ ସାହିତ୍ୟ ବହି ଛପାଯାଇ ବଣ୍ଟନ କରାଯିବ ବୋଲି ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍ସିଇଆର୍ଟି)ର ଜଣେ ଅଧିକାରୀ କହିଛନ୍ତି।
ସରିଲା ସଂଶୋଧନ, ବାହାରିଲା ୨୬୭୦ ଭୁଲ୍
ଚୂଡ଼ାନ୍ତ ହୋଇଛି ୮ଟି ଶ୍ରେଣୀର ସାହିତ୍ୟ ବହି
ପୁସ୍ତକ ପ୍ରକାଶନରେ ଅର୍ଥ ସାଜିଲାଣି ପ୍ରତିବନ୍ଧକ
ନୂତନ ପୁସ୍ତକରେ ଯେପରି କୌଣସି ପ୍ରକାର ତ୍ରୁଟି ନ ରୁହେ ସେଥିପାଇଁ ଖୋଦ ଗଣଶିକ୍ଷା ସଚିବ ଏନ୍ ତିରୁମାଲା ନାୟକ ତଦାରଖ କରିଛନ୍ତି। ଯାଞ୍ଚ ସମୟରେ ବିଶେଷଜ୍ଞମାନେ ବହିରେ କେଉଁଠି ଅଧାଗଢ଼ା ବାକ୍ୟ ତ ଆଉ କେଉଁଠି ଗୋଟିଏ ବାକ୍ୟ ସହ ପରବର୍ତ୍ତୀ ବାକ୍ୟ ମେଳ ଖାଉ ନ ଥିବା ଦେଖିବାକୁ ପାଇଥିଲେ। ତେଣୁ ପ୍ରାରମ୍ଭିକ ଭାବେ ବଡ଼ ବଡ଼ ତ୍ରୁଟିଗୁଡ଼ିକ ସଂଶୋଧିତ ହୋଇଛି। କର୍ଣ୍ଣାଟକ ବିଧାନସଭା ଚିତ୍ରକୁ ହଟାଇ ସେହି ସ୍ଥାନରେ ଓଡ଼ିଶା ବିଧାନସଭା ଚିତ୍ର ଦିଆଯାଇଛି। ବରପୁତ୍ରଙ୍କ ନାମ ଓ ସେମାନଙ୍କ ବିଷୟରେ ଥିବା ତ୍ରୁଟିକୁ ମଧ୍ୟ ସଂଶୋଧନ କରାଯାଇ ନୂତନ ବହି ପ୍ରସ୍ତୁତ ହେଉଛି। ଗଣିତ ବହିରେ ଥିବା ବ୍ୟାପକ ତ୍ରୁଟି ମଧ୍ୟ ସଂଶୋଧନ ହୋଇଛି। ଇତିମଧ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସାହିତ୍ୟ ବହି ସଂଶୋଧନ ଶେଷ ହୋଇଛି। ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ବାରା ନିୟୋଜିତ ଭାଷା ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ ପରେ ତାହାକୁ ଏସ୍ସିଇଆାରଟି କମିଟି ମଧ୍ୟ ଯାଞ୍ଚ କରିଛି। ବାକି ପୁସ୍ତକଗୁଡ଼ିକ ଏବେ ଡିଟିପି ସ୍ତରରେ ରହିଛି। ତାହା ଶେଷ ହେବା ପରେ ବିଶେଷଜ୍ଞ କମିଟି ପୁଣିଥରେ ଯାଞ୍ଚ କରି ଏସ୍ସିଇଆରଟିକୁ ପ୍ରଦାନ କରିବେ।
ସୌଜନ୍ୟ ସମ୍ବାଦ



