ଜାତୀୟ

Assam Golden Tea : ଆସାମର ଗୋଲଡେନ୍‌ ଚା’, କେଜି ଲକ୍ଷେ… ଜର୍ମାନୀରେ ଆକାଶଛୁଆଁ ଚାହିଦା, ଯୋଗାଇ ହେଉନି

ଦିବ୍ରୁଗଡ଼, ୨୨/୯ (ସ୍ମୃତିରଞ୍ଜନ ବିଶ୍ୱାଳ) : ୫୦୦ କି ୧୦୦୦ ନୁହେଁ, ସିଧା ଲକ୍ଷେ ଟଙ୍କା । ଆସାମର ଗୋଲଡେନ୍‌ ଚା’ । କେଜି ଲକ୍ଷେ ଟଙ୍କାରୁ ନେଇ ଅଧିକରେ ବି ବିକ୍ରି ହେଉଛି । ଏ ଚା’ କିଣିବାକୁ ଜର୍ମାନୀ ଭଳି ଦେଶରୁ ଆମଦାନୀକାରୀମାନେ ଅପେକ୍ଷା କରି ରହୁଛନ୍ତି । ଚାହିଦା ମୁତାବକ ଯୋଗାଇ ହେଉନି । ଆସାମର ଏ ଗୋଲଡେନ ଚା’କୁ ନେଇ ଏବେ ବିଶ୍ୱର ଚା’ ବଜାରରେ ବେଶ ଚର୍ଚ୍ଚା । ଏହି ଚା’ ଦେଖିବାକୁ ଗୋଲଡେନ ବା ସ୍ୱର୍ଣ୍ଣିମ ରଙ୍ଗର । ଚା’ ପତ୍ରର ଉପରଭାଗ ଅଂଶ ବା ସମ୍ପୂର୍ଣ୍ଣ ଖୋଲିନଥିବା ପାଖୁଡାକୁ ଟିପ୍‌ କୁହାଯାଏ । ଏହା ଅତି ନରମ ଓ ସଂକୀର୍ଣ୍ଣ ପାଖୁଡାଟିଏ । ମେ କିମ୍ବା ଜୁନ ମାସରେ ଏହି ପାଖୁଡା ଖରା ସଂସ୍ପର୍ଶରେ ଆସିବା ଯୋଗୁ ପ୍ରାକୃତିକ ଅକ୍ସିଡେସନ ହୁଏ । ଫଳରେ ଇଷତ୍‌ ସ୍ୱର୍ଣ୍ଣିମ ରଙ୍ଗରେ ପରିଣତ ହୁଏ ।

ବିଶ୍ୱ ଚା ଚାଷ କ୍ଷେତ୍ରରେ ଏହା ଏକ ଅତି ବିରଳ ପ୍ରକ୍ରିୟା । କ୍ୱଚିତ ଚା’ ଫାର୍ମରେ ଏଭଳି ପ୍ରାକୃତିକ ଓ ଅନୁକୂଳ ପରିବେଶ ଯୋଗୁ ଆସାମର ଅନେକ ଚା’ ବଗିଚାରେ ଗୋଲଡେନ୍‌ ଚା ମିଳେ । କିନ୍ତୁ ଶହ ଶହ ହେକ୍ଟର ଚା’ବଗିଚାରୁ ମାତ୍ର ୪ରୁ ୫ କେଜି ଗୋଲଡେନ୍‌ ଚା’ ଉତ୍ପାଦନ ସମ୍ଭବ ହୁଏ । ଅର୍ଥାତ ଏହା ଅରଥୋଡକ୍ସ ଶ୍ରେଣୀର ଏକ ବିରଳ ଚା’ । ଏହି ଚା’ର ସ୍ୱାଦ ଓ ଫ୍ଲେଭର ଅତି ଚମତ୍କାର । ନିଆରା ସ୍ୱାଦ ଓ ଚା’ବଜାରରେ ବିରଳ ହୋଇଥିବାରୁ ଏହାକୁ କିଣିବାକୁ ଅନ୍ତର୍ଜାତୀୟ ଆମଦାନୀକାରୀମାନେ ଆଗରୁ ଅର୍ଡର ଦେଇ ଅପେକ୍ଷା କରି ରହିଥାଆନ୍ତି ବୋଲି ବୋକେଲ ଟି ଇଷ୍ଟେଟର ବରିଷ୍ଠ ପରିଚାଳକ ଅଚ୍ୟୁତ ନାଥ କହିଛନ୍ତି । କିନ୍ତୁ ତାଙ୍କ ଇଷ୍ଟେଟରେ ଏ ଗୋଲଡେନ୍‌ ଚା’କୁ ଅଲଗା ବିକ୍ରି କରାଯାଏନି । ସବୁ ଚା’ ସହ ମିଶାଇ ବିକ୍ରି କଲେ ଅନ୍ୟ ଚା’ ଭଲ ଦାମରେ ବିକ୍ରି ହୁଏ । ପୁଣି ଆଉ କିଛି ସମୟରେ ଗୋଲଡେନ୍‌ ଚା’ ଭଳି ସିଲଭର ଚା’ ବା ପତ୍ରର ଉପର ପାଖୁଡ଼ା (ଟିପ) ରୌପ୍ୟ ରଙ୍ଗର ହେଲେ ଚା’ଦାମ ବଢେ ବୋଲି ସେ କହିଛନ୍ତି ।

ଗତ ଜୁନ ମାସରେ ଦିବ୍ରୁଗଡ଼ ମନୋହରୀ ଟି ଇଷ୍ଟେଟରୁ ମାତ୍ର ୩ କେଜି ଗୋଲଡେନ୍‌ ଚା’ ଉତ୍ପାଦନ ହୋଇଥିଲା । ଏହାକୁ ସେମାନେ କେଜି ପିଛା ୧ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ ବୋଲି ସେଠାକାର ଜଣେ କର୍ତ୍ତୃପକ୍ଷ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ତେବେ ମଧ୍ୟପ୍ରାଚ୍ୟ, ରୁଷିଆ, ଜର୍ମାନୀ, ଇରାକ ଓ ଇରାନ ଭଳି ବିଦେଶ ଦେଶରେ ଗୋଟା ପତ୍ର ଆକୃତିର ଚା’ ପିଇବାକୁ ଭଲ ପାଆନ୍ତି । ଓଡ଼ିଶା ସମେତ ଭାରତର ଅଧିକାଂଶ ରାଜ୍ୟରେ ସିଟିସି (କ୍ରସ, ଟିଅର ଓ କ୍ରଲ) ଚା’ ବ୍ୟବହାର କରନ୍ତି । ଏହି ଚା’ ଛୋଟ ବା ମଧ୍ୟମ ଦାନା ଯୁକ୍ତ ଓ ସାଧାରଣତଃ କଡ଼ା ଫ୍ଲେଭରଯୁକ୍ତ ହୋଇଥାଏ । ଏହା ଅତି ପାଣିଚିଆ ବି ଲାଗେନି । ଚା’ ବଜାରରେ କ୍ୱାଲିଟିକୁ ବିଚାରକୁ ନେଲେ ସିଟିସି ଶ୍ରେଣୀର ଚା’ ଅତି ଶସ୍ତା ଦରରେ ମିଳେ । ଏହାର ଗୁଣାତ୍ମକ ମାନ ବି ଭଲ ନୁହେଁ । କିନ୍ତୁ ଅରଥୋଡକ୍ସ ଶ୍ରେଣୀର ଚା’ ଅତି ଉଚ୍ଚକୋଟ୍ଟୀର । ପାଶ୍ଚାତ୍ୟ ଦେଶରେ ଏହାର ଚାହିଦା ଅଧିକ । ଦାମ୍‌ ବି ବେଶ ଉଚ୍ଚା । ଏହି ଚା’ ରଙ୍ଗ ଗୋଲଡେନ୍‌ ଓ ବ୍ରାଉନ ଭଳି । ଗରମ ପାଣିରେ ଅରଥୋଡକ୍ସ ଚା’କୁ ପକାଇ ୫ ମିନିଟ ଫୁଟାଇଲେ ଏହା ପ୍ରସ୍ତୁତ ହୋଇଯାଏ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button