Harassment Case: ବିହାର ସମସ୍ତିପୁରରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ; ଭିଡିଓ ଭାଇରାଲ, ୪ ଅଭିଯୁକ୍ତ ଗିରଫ

ପାଟନା, ୨୪।୯: ବିହାରର ଜମୁଇରେ ନାବାଳିକାଙ୍କ ପ୍ରତି ଅସଦାଚରଣ ମାମଲା ଥଣ୍ଡା ନ ପଡ଼ୁଣୁ, ସମସ୍ତିପୁର ଜିଲ୍ଲାରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସମସ୍ତିପୁର ଜିଲ୍ଲା ଅନ୍ତର୍ଗତ କର୍ପୂରୀଗ୍ରାମ ଥାନା ଅଞ୍ଚଳର ଜଗତସିଂହପୁର ଗ୍ରାମରେ ଜଣେ ଯୁବତୀଙ୍କ ସହ କିଛି ଯୁବକ ଦୁର୍ବ୍ୟବହାର, ଗାଳିଗୁଲଜ ଏବଂ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ ପ୍ରଶାସନ ତତ୍ପର ହୋଇଉଠିଛି । ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀ ଜଣେ ଯୁବକଙ୍କ ସହ ଜଗତସିଂହପୁର ଗ୍ରାମର ବନ୍ଧ ବାଇପାସ୍ ରୋଡ୍ ଦେଇ ଯାଉଥିଲେ । ସେହି ସମୟରେ ଯୁବତୀ ଜଣକ ରାସ୍ତାରେ ଅଟକି ଫଟୋ କ୍ୟାପଚର୍ କରୁଥିଲେ । ଅଭିଯୋଗ ହୋଇଛି ଯେ, ସେହି ସମୟରେ ସ୍ଥାନୀୟ କିଛି ଯୁବକ ସେଠାରେ ପହଞ୍ଚି ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ପ୍ରତି ଅଭଦ୍ର ଆଚରଣ ଏବଂ ‘ବ୍ୟାଡ୍ ଟଚ୍’ କରିଥିଲେ ।
ଭିଡିଓ ଭାଇରାଲ ହେବା ପରେ ହଟ୍ଟଗୋଳ:
ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ଏହି ସମଗ୍ର ବର୍ବରତାକୁ ନିଜ ମୋବାଇଲରେ କଏଦ୍ କରିଥିଲେ । କିଛି ସମୟ ମଧ୍ୟରେ ଏହି ଭିଡିଓଟି ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଯାଇଥିଲା । ଭିଡିଓ ସାମ୍ନାକୁ ଆସିବା ପରେ ମାମଲା ସିଧାସଳଖ ପୁଲିସ ନିକଟରେ ପହଞ୍ଚିଥିଲା ଏବଂ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ଭାଇରାଲ ଭିଡିଓକୁ ଆଧାର କରି ସମସ୍ତିପୁର ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଗତକାଲି ବିଳମ୍ବିତ ରାତିରେ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତଙ୍କୁ ସେମାନଙ୍କର ଘରୁ ଗିରଫ କରିଛି । ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ସୌଜନ୍ୟ ପ୍ରମେୟ




