Central Government Employees: ବ୍ୟାଙ୍କ ଧର୍ମଘଟ ପୂର୍ବରୁ ସରକାରଙ୍କ ବଡ଼ ଘୋଷଣା, ୨୫ରେ ମିଳିବ କେନ୍ଦ୍ରୀୟ କର୍ମଚାରୀଙ୍କ ଦରମା ଓ ପେନସନ୍ !

ନୂଆଦିଲ୍ଲୀ, ୨୪।୯: ଯଦି ଆପଣ ଜଣେ କେନ୍ଦ୍ରୀୟ କର୍ମଚାରୀ କିମ୍ବା ପେନସନ୍ଭୋଗୀ, ତେବେ ଆପଣଙ୍କ ପାଇଁ ଆଶ୍ୱସ୍ତିକର ଖବର ରହିଛି । ଆଗାମୀ ସେପ୍ଟେମ୍ବର ୨୮ ରୁ ୩୦ ପର୍ଯ୍ୟନ୍ତ ହେବାକୁ ଥିବା ୩ ଦିନିଆ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନ୍ଭୋଗୀଙ୍କ ଆକାଉଣ୍ଟକୁ ସେପ୍ଟେମ୍ବର ୨୫ ଅର୍ଥାତ୍ ଶୁକ୍ରବାର ଦିନ ହିଁ ସେପ୍ଟେମ୍ବର ମାସର ଆଡ୍ଭାନ୍ସ ବା ଅଗ୍ରିମ ଦରମା ଏବଂ ପେନସନ୍ ପଠାଇ ଦିଆଯିବ । ଏହି ନିଷ୍ପତ୍ତିରେ ପ୍ରତିରକ୍ଷା, ଡାକ ଏବଂ ଟେଲିକମ୍ ବିଭାଗର କର୍ମଚାରୀମାନେ ମଧ୍ୟ ସାମିଲ ଅଛନ୍ତି । ଅର୍ଥ ମନ୍ତ୍ରଣାଳୟାଧୀନ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଆକାଉଣ୍ଟ୍ସ (CGA) ପକ୍ଷରୁ ଏନେଇ ସମସ୍ତ ବିଭାଗକୁ ନିର୍ଦ୍ଦେଶ ପଠାଯାଇଛି ।
କାହିଁକି ମିଳିବ ଅଗ୍ରିମ ଦରମା ?
‘ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ସ’ (UFBU) ପକ୍ଷରୁ ସେପ୍ଟେମ୍ବର ୨୮ ରୁ ୩୦ ମଧ୍ୟରେ ୩ ଦିନିଆ ଦେଶବ୍ୟାପୀ ଧର୍ମଘଟର ଘୋଷଣା କରାଯାଇଛି । ଏହି କାରଣରୁ ବ୍ୟାଙ୍କ କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିବାର ସମ୍ଭାବନା ରହିଛି । କର୍ମଚାରୀମାନଙ୍କୁ ଯେପରି କୌଣସି ଆର୍ଥିକ ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼େ, ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ସେପ୍ଟେମ୍ବର ମାସର ପେନସନ୍ ବ୍ୟାଙ୍କ କିମ୍ବା ପେ ଆଣ୍ଡ ଆକାଉଣ୍ଟ୍ସ ଅଫିସ୍ (PAO) ଜରିଆରେ ସିଧାସଳଖ ଆକାଉଣ୍ଟକୁ ପଠାଯିବ ।
୨୭ ସେପ୍ଟେମ୍ବର ରବିବାର ଦିନ ମଧ୍ୟ ଖୋଲା ରହିବ ସରକାରୀ ବ୍ୟାଙ୍କ:
ସାଧାରଣ ଜନତାଙ୍କୁ ଲଗାତାର ଛୁଟି ଯୋଗୁଁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ନ ପଡ଼େ, ସେଥିପାଇଁ ଅର୍ଥ ମନ୍ତ୍ରଣାଳୟ ଏବଂ ରିଜର୍ଭ ବ୍ୟାଙ୍କ (RBI) ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଆସନ୍ତା ରବିବାର ଅର୍ଥାତ୍ ସେପ୍ଟେମ୍ବର ୨୭ ତାରିଖ ଦିନ ଦେଶର ସମସ୍ତ ସରକାରୀ ବ୍ୟାଙ୍କ ଏବଂ ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କଗୁଡ଼ିକ ସମ୍ପୂର୍ଣ୍ଣ ଖୋଲା ରହିବ । RBI ପକ୍ଷରୁ ବ୍ୟାଙ୍କ ଶାଖା, କାର୍ଯ୍ୟାଳୟ, ଏଟିଏମ୍ ଏବଂ କରେନ୍ସି ଚେଷ୍ଟ୍ଗୁଡ଼ିକୁ ସେହିଦିନ ଚାଲୁ ରଖିବାକୁ ଅନୁମତି ଦିଆଯାଇଛି । ବ୍ୟାଙ୍କ କର୍ତ୍ତୃପକ୍ଷ ଗ୍ରାହକମାନଙ୍କୁ ସତର୍କ କରାଇ କହିଛନ୍ତି ଯେ ଧର୍ମଘଟ ସମୟରେ ଗ୍ରାହକମାନେ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ବ୍ୟବହାର କରନ୍ତୁ । ଟଙ୍କା ଉଠାଇବା କିମ୍ବା ଟଙ୍କା ପଠାଇବା ପାଇଁ UPI, ATM, ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସେବା ନିର୍ବିଘ୍ନରେ ଜାରି ରହିବ । ସେପ୍ଟେମ୍ବର ୩୦ ତାରିଖରେ ବ୍ୟାଙ୍କଗୁଡ଼ିକର ହାପିୟରଲି କ୍ଲୋଜିଂ ମଧ୍ୟ ରହିଛି, ତେଣୁ ଆପଣଙ୍କର ସମସ୍ତ ଜରୁରୀ କାମ ସେପ୍ଟେମ୍ବର ୨୮ ପୂର୍ବରୁ ସାରି ନିଅନ୍ତୁ ।
ସୌଜନ୍ୟ ପ୍ରମେୟ




