ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ନିର୍ବାଚନ ମଣ୍ଡଳୀଗୁଡ଼ିକରେ କାର୍ଯ୍ୟକାରୀ ହେଉଥିବା ସ୍ୱତନ୍ତ୍ର ସଂଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟକ୍ରମ ବର୍ତ୍ତମାନ ଏକ ସାମ୍ବିଧାନିକ ସଙ୍କଟର ରୂପ ନେଉଛି। ଭୋଟର ତାଲିକାରୁ ନକଲି, ମୃତ ଓ ଅଣ-ନାଗରିକ ଭୋଟରଙ୍କ ନାମ ହଟାଇବା ପାଇଁ ୨୦୨୫ ଅକ୍ଟୋବର ୨୭ରେ ମୁଖ୍ୟ ନିର୍ବାଚନ ଆୟୋଗ (ସିଇସି) ଜ୍ଞାନେଶ କୁମାର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ତେବେ ୨୦୨୬ ମଧ୍ୟଭାଗ ସୁଦ୍ଧା ଏହା ବ୍ୟାପକ ଭାବେ ଭୋଟରଙ୍କୁ ବଞ୍ଚିତ କରୁଥିବା ଏବଂ ଅଳ୍ପସଂଖ୍ୟକ, ପ୍ରବାସୀ ଓ ଅବହେଳିତ ବର୍ଗଙ୍କୁ ଟାର୍ଗେଟ୍ କରୁଥିବା ନେଇ ବିଭିନ୍ନ ମହଲରୁ ବିରୋଧର ସମ୍ମୁଖୀନ ହୋଇଛି। ନିର୍ବାଚନ କମିସନଙ୍କ କେତେକ ଆଭ୍ୟନ୍ତରୀଣ ଦସ୍ତାବିଜ ପଦାକୁ ଆସିବା ପରେ ଜଣାପଡ଼ିଛି ଯେ ନିର୍ବାଚନ କମିସନର ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀ, ସିଇସିଙ୍କ ‘ଏକତରଫା’ ନିଷ୍ପତ୍ତି ବିରୋଧରେ ଅନ୍ତତଃ ୧୪ ଥର ଆନୁଷ୍ଠାନିକ ଭାବେ ନିଜର ଆପତ୍ତି ଲିପିବଦ୍ଧ କରିଛନ୍ତି।
ସାଧାରଣତଃ ନିର୍ବାଚନ ଆୟୋଗ ବାର୍ଷିକ ସଂକ୍ଷିପ୍ତ ସଂଶୋଧନ ଜରିଆରେ ସାଧାରଣ ପରିବର୍ତ୍ତନ କରିଥାନ୍ତି, ମାତ୍ର ଏସ୍ଆଇଆର୍ରେ ଘରକୁ ଘର ବୁଲି ନୂତନ ଭାବେ ଭୋଟର ତାଲିକା ପ୍ରସ୍ତୁତ କରାଯାଏ। ବିହାର ଭଳି ରାଜ୍ୟରେ ୨୦୦୩ ପରଠାରୁ ଏପରି ସଂଶୋଧନ ହୋଇନଥିଲା। ୨୦୨୫ରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ନୂତନ ଭୋଟର ନିଜର କିମ୍ବା ନିଜ ପିତାମାତାଙ୍କ ନାମ ୨୦୦୨ ଭୋଟର ତାଲିକାରେ ଥିବା ପ୍ରମାଣ କରିବା ବାଧ୍ୟତାମୂଳକ କରାଯାଇଥିଲା। ଏହି ନିୟମ ଯୋଗୁଁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଚିଠା ଭୋଟର ତାଲିକାରୁ ୧୩ କୋଟିରୁ ଅଧିକ ନାମ ବାଦ୍ ପଡ଼ିଥିଲା। ବୟସ ଓ ନାମର ସାମାନ୍ୟ ଭୁଲ୍ କାରଣରୁ ନୋଟିସ୍ ପଠାଯିବା ପରେ ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ’ (ଏଡିଆର୍) ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ୨୦୨୬ ମେ’ ମାସରେ ସୁପ୍ରିମକୋର୍ଟ ଧାରା ୩୨୪ ଅଧୀନରେ ଆୟୋଗର କ୍ଷମତାକୁ କାଏମ ରଖିଥିଲେ ସୁଦ୍ଧା ପଦ୍ଧତିଗତ ସୁରକ୍ଷା ପ୍ରଶ୍ନଘେରରେ ରହିଥିଲା।
ସୌଜନ୍ୟ ସମ୍ବାଦ