Electricity consumers: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଲୁଟ ପାଇଁ ଚକ୍ରାନ୍ତ: ଟାଟାକୁ ହସ୍ତାନ୍ତର ଆର୍ଥିକ ବିବରଣୀରେ ଗୋଳମାଳ
ରାଜ୍ୟରେ ପୂର୍ବ ବିତରଣ କମ୍ପାନି ଯଥା ସେସୁ, ୱେସ୍କୋ, ନେସ୍କୋ ଓ ସାଉଥ୍କୋ ଠାରୁ ଟାଟା ପାୱାର ଦାୟିତ୍ୱ ଭାର ଗ୍ରହଣ ଦିନ ବିଦ୍ୟୁତ୍ ଉପଭୋକ୍ତାଙ୍କ ଖାତାରେ ସମୁଦାୟ ୧୨,୭୦୨ କୋଟି ଟଙ୍କା ବାକିଆ ଥିଲା।

ଭୁବନେଶ୍ବର: ରାଜ୍ୟରେ ପୂର୍ବ ବିତରଣ କମ୍ପାନି ଯଥା ସେସୁ, ୱେସ୍କୋ, ନେସ୍କୋ ଓ ସାଉଥ୍କୋ ଠାରୁ ଟାଟା ପାୱାର ଦାୟିତ୍ୱ ଭାର ଗ୍ରହଣ ଦିନ ବିଦ୍ୟୁତ୍ ଉପଭୋକ୍ତାଙ୍କ ଖାତାରେ ସମୁଦାୟ ୧୨,୭୦୨ କୋଟି ଟଙ୍କା ବାକିଆ ଥିଲା। ସେହିପରି ଦାୟିତ୍ୱ ହସ୍ତାନ୍ତର ଦିବସରେ ପ୍ରସ୍ତୁତ ହୋଇ ଟାଟା ପାୱାରକୁ ଦିଆଯାଇଥିବା ଅଡିଟେଡ୍ ବାଲାନ୍ସ ସିଟ୍ରେ ଉପଭୋକ୍ତା ବାକିଆ ପରିମାଣ ୪୦୮୭ କୋଟି ଦର୍ଶାଯାଇଛି। ବିଧାନସଭାରେ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସୂଚନା ଦେଇଛନ୍ତି। ଅର୍ଥାତ୍ ଟାଟାକୁ ହସ୍ତାନ୍ତର ହୋଇଥିବା ଉପଭୋକ୍ତା ବାକିଆ ପରିମାଣ ଓ ଉପଭୋକ୍ତା ଖାତାରେ ଥିବା ପ୍ରକୃତ ବାକିଆ ପରିମାଣ ମଧ୍ୟରେ ୮,୬୧୫ କୋଟି ପ୍ରଭେଦ ରହିଛି। ତେବେ ପ୍ରକୃତ ବାକିଆ ବିଦ୍ୟୁତ୍ ବିଲ୍କୁ କାହିଁକି ଟାଟା ପାୱାର ଦ୍ବାରା ପରିଚାଳିତ ଚାରୋଟି ବିତରଣ କମ୍ପାନି ଯଥା ଟିପିସିଓଡିଏଲ୍, ଟିପିଡବ୍ଲ୍ୟୁଓଡିଏଲ୍, ଟିପିଏନ୍ଓଡିଏଲ୍ ଓ ଟିପିଏସ୍ଓଡିଏଲ୍କୁ ଦିଆଗଲା ନାହିଁ ତାକୁ ନେଇ ବୁଦ୍ଧିଜୀବୀ ମହଲରେ ଜୋରଦାର୍ ଚର୍ଚ୍ଚା ଚାଲିଛି।
ସୌଜନ୍ୟ ସମ୍ବାଦ




