ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତର ଦୁଇଟି ରାସ୍ତାର ଚିତ୍ର ବଖାଣୁଛି ସୁନ୍ଦରଗଡ଼ର ବିକାଶ। ଓଡ଼ିଶା ପଟେ ରାସ୍ତା ସମ୍ପୂର୍ଣ୍ଣ ବରବାଦ୍। ଝାଡ଼ଖଣ୍ଡ ପଟେ ଚକାଚକ୍। ସୀମାନ୍ତର ଝାଡ଼ଖଣ୍ଡର ଗ୍ରାମାଞ୍ଚଳ ରାସ୍ତା ଜାତୀୟ ରାଜପଥ ପରି ଦିଶୁଛି। ଓଡ଼ିଶା ପଟେ ମାଟିରେ ମିଶିଯାଇଛି। ଏମିତି ଦୟନୀୟ ସ୍ଥିତି ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସଲଙ୍ଗାବାହାଲ ଛକରୁ ମଝାପଡ଼ା ଦେଇ ଝାଡ଼ଖଣ୍ଡର ୧୪୩ ନଂ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ୧୦ କିମି ରାସ୍ତା ରାସ୍ତାରେ। ଫୁଟେରୁ ଦୁଇଫୁଟ୍ ଗଭୀରର ୫୦୦ରୁ ଅଧିକ ବଡ଼ ବଡ଼ ଗର୍ତ୍ତ। ଝାଡ଼ଖଣ୍ଡ ପାର୍ଶ୍ବରେ ୧୦ କିମି ରାସ୍ତାକୁ ଅତିକ୍ରମ କରିବାକୁ ୧୦ରୁ ୧୨ ମିନିଟ୍ ଲାଗୁଛି।
ଓଡ଼ିଶା ପାର୍ଶ୍ବରେ ୧୦ କିମି ରାସ୍ତାରେ ଯିବାକୁ ଲାଗୁଛି ଘଣ୍ଟାଏ। ଓଡ଼ିଶାରୁ ଝାଡ଼ଖଣ୍ଡର ସିମ୍ଡେଗା, ରାଞ୍ଚି ଓ ଅନ୍ୟାନ୍ୟ ସ୍ଥାନକୁ ଯାଉଥିବା ଦୈନିକ ଶହ ଶହ ଗାଡ଼ି ଚାଳକଙ୍କୁ ନାକେଦମ୍ ହେବାକୁ ପଡୁଛି। ଅସରାଏ ବର୍ଷା ହେଲେ ସ୍ଥିତି ସଙ୍ଗିନ। ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଓ ୪ରୁ ଅଧିକ ପଞ୍ଚାୟତବାସୀଙ୍କ ସମସ୍ୟା ଆହୁରି ଜଟିଳ। ଭାରୀଯାନ ଚଳାଚଳ ବିରୋଧରେ ସ୍ଥାନୀୟବାସିନ୍ଦା ଅନେକ ସ୍ଥାନରେ କାଠଗଣ୍ଡି ପକାଇ ରାସ୍ତାକୁ ବନ୍ଦ କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ଗାଡ଼ି ଚାଳକଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜୁଛି। ଏହା ସତ୍ବେ ଜିଲ୍ଲା ପ୍ରଶାସନ ତତ୍ପର ହେଉନି। ସଲଙ୍ଗାବାହାଲରୁ ଝାଡ଼ଖଣ୍ଡ ସୀମାନ୍ତ ମଝାପଡ଼ା ପର୍ଯ୍ୟନ୍ତ ପ୍ରାୟ ୧୫ କିମି ରାସ୍ତା ମରାମତି ପାଇଁ ଭୁବନେଶ୍ବର ଏକ ଠିକାସଂସ୍ଥାକୁ ୨୦୨୪ରେ କାମ ଦିଆଯାଇଥିଲା। ଠିକାସଂସ୍ଥା ମାତ୍ର କିଛି କିମି ମରାମତି କରି ଛୁ’। ଆର୍ଆଣ୍ଡବି ଅଧିକାରୀ ବାରମ୍ବାର ଠିକାସଂସ୍ଥାକୁ ତାଗିଦ୍ କରିଥିଲେ ହେଁ ଫଳ ଶୂନ।
୧୦ କିମି ରାସ୍ତାରେ ୫୦୦ରୁ ଅଧିକ ଖାଲ
ବୀରମିତ୍ରପୁର ଜାତୀୟ ରାଜପଥ ସ୍ଥିତି ସମାନ
ଦୁଇ ମାସରେ ଗଲାଣି ୫ ଜୀବନ
ସେହି ସମାନ ସ୍ଥିତି ତଲସରାରୁ ବୀରମିତ୍ରପୁର ସୀମାନ୍ତ ୧୪୩ ନଂ ଜାତୀୟ ରାଜପଥର। ମାତ୍ର ୩ କିମି ରାସ୍ତାରେ ୧୫୦ରୁ ଅଧିକ ଖାଲ। ଦୈନନ୍ଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଗତ ଦୁଇ ମାସରେ ୫ରୁ ଅଧିକ ଜୀବନ ଗଲାଣି। ନେତାମାନେ ପରସ୍ପର ଦୋଷାରୋପ କରୁଛନ୍ତି, କେମିତି ମରାମତି ହେବ, କାହାରି ପକ୍ଷରୁ ଧ୍ୟାନ ଦିଆଯାଉନି। ରାଞ୍ଚି ରାସ୍ତାର ଦୁରବସ୍ଥା ସଂକ୍ରାନ୍ତରେ ଆର୍ଆଣ୍ଡବି ନିର୍ବାହୀ ଯନ୍ତ୍ରୀ ନିଦ୍ୟାନନ୍ଦ ସିଂ କହିଛନ୍ତି, ୨୦୨୪ରେ ଭୁବନେଶ୍ବର ଠିକା ସଂସ୍ଥାକୁ ମରାମତି କାମ ଦିଆଯାଇଥିଲା। କାମ ବନ୍ଦ କରି ଚାଲିଯିବାରୁ ଗତ ଶୁକ୍ରବାର ତାଙ୍କୁ ଭୁବନେଶ୍ବର ମୁଖ୍ୟ କାର୍ଯ୍ୟାଳୟକୁ ଡାକି ତାଗିଦ କରାଯାଇଛି। ଆସନ୍ତା ଅକ୍ଟୋବର ୧ରୁ ଗର୍ତ୍ତ ପୋତିବା ସହ ଦୁର୍ଗାପୂଜା ପୂର୍ବରୁ ପିଚୁକାମ କରିବାକୁ ଉକ୍ତ ଠିକା ସଂସ୍ଥା ପ୍ରତିଶ୍ରୁତି ଦେଇଥିବା କହିଛନ୍ତି।
ସୌଜନ୍ୟ ସମ୍ବାଦ