ରାଜ୍ୟ

Mahanadi: ମହାନଦୀର କରାଳ ରୂପ: ୪ ଗାଁକୁ ଘେରିଲାଣି ବନ୍ୟାପାଣି

ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ କରାଳ ରୂପ ଧାରଣ କରିଛି। ଉପରମୁଣ୍ଡରୁ ୫ ଲକ୍ଷରୁ ଅଧିକ କ୍ୟୁସେକ୍‌ ପାଣି ଆସିବା ଫଳରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ଊଣେଇଶଖଣ୍ଡ ମୌଜାର ସୀମାନ୍ତ ଗାଁଗୁଡ଼ିକୁ ବନ୍ୟା ଭୟ ଘାରିଛି।

ଝାରସୁଗୁଡ଼ା: ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ କରାଳ ରୂପ ଧାରଣ କରିଛି। ଉପରମୁଣ୍ଡରୁ ୫ ଲକ୍ଷରୁ ଅଧିକ କ୍ୟୁସେକ୍‌ ପାଣି ଆସିବା ଫଳରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍‌ ଅନ୍ତର୍ଗତ ଊଣେଇଶଖଣ୍ଡ ମୌଜାର ସୀମାନ୍ତ ଗାଁଗୁଡ଼ିକୁ ବନ୍ୟା ଭୟ ଘାରିଛି। ରବିବାର ସନ୍ଧ୍ୟା ସୁଦ୍ଧା ଚିଖିଲି, ସେମିଲିଆ, ଶରଧା ଓ ସୁଖାସୋଢା ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଲହଡ଼ି ଭାଙ୍ଗୁଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ୪ଟି ଗାଁର ହଜାର ହଜାର ଏକର ଚାଷଜମି ମଧ୍ୟ ଜଳମଗ୍ନ ହୋଇଛି। ପାଣିର ପରିମାଣ ବୃଦ୍ଧି ପାଉଥିବାରୁ ସେମିଲିଆ ଓ ଚିଖିଲି ଗାଁର ପ୍ରଭାବିତ ହେବାକୁ ଥିବା ପରିବାର ପାଇଁ ଆଗୁଆ ରିଲିଫ୍ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି।

ହଜାର ହଜାର ଏକର ଧାନଫସଲ ଜଳମଗ୍ନ
ସେମିଲିଆ, ଚିଖିଲିକୁ ଯୋଗାଯୋଗ ବିଚ୍ଛିନ୍ନ 

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଦକ୍ଷିଣ ଓଡ଼ିଶାରେ ବିପର୍ଯ୍ୟୟ ଘଟାଇ ଛତିଶଗଡ଼ ମୁହାଁଇଥିଲା। ଫଳରେ ରାୟପୁରରୁ ଆରମ୍ଭ କରି ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଥିଲା। ଗତକାଲି ରାତିରୁ ଅଚାନକ ପାଣି ବଢ଼ିବା ଆରମ୍ଭ କରିଥିବା ବେଳେ ମାତ୍ର ୧୨ ଘଣ୍ଟା ମଧ୍ୟରେ ଏହା ସାଢ଼େ ୫ ଲକ୍ଷ କ୍ୟୁସେକ୍‌କୁ ବୃଦ୍ଧି ପାଇଛି। ଚାହୁଁଚାହୁଁ ବନ୍ୟାପାଣି ଚିଖିଲି ଓ ସେମିଲିଆ ଗାଁ ପାଖକୁ ଚାଲି ଆସିଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ବନ୍ୟା ପାଣି ଏହି ଦୁଇ ଗାଁ ଭିତରକୁ ପ୍ରବେଶ କରିଥିବା ବେଳେ ସୁଖାସୋଢ଼ା, ଶରଧା ଓ ମହୁଲପାଲି ଗାଁର ବ୍ୟାପକ ଚାଷଜମି ବୁଡ଼ାଇ ଦେଇଛି। ଏହି ଗାଁଗୁଡ଼ିକର ମୁଖ୍ୟ ରାସ୍ତାରେ ପାଣି ଜମିରହିବା ଫଳରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି।

ଗତକାଲି ରାତିରେ ପାଣି ଅଚାନକ ବଢ଼ିବାରୁ ଚାଷଜମି ଭିତରେ ରହିଥିବା ମଟର ପମ୍ପ ଓ ବିଦ୍ୟୁତ୍‌ ତାର ବାହାର କରିବାକୁ ଲୋକେ ସମୟ ପାଇନଥିଲେ। ବନ୍ୟା ପରିସ୍ଥିତିକୁ ଦେଖି ଲଖନପୁର ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି। ତହସିଲଦାର ପ୍ରସନ୍ନ ପଟେଲ ଚିଖିଲି ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସେ କହିଛନ୍ତି ଯେ ମଧ୍ୟାହ୍ନରେ ଯେଉଁ ହାରରେ ବନ୍ୟାଜଳ ବୃଦ୍ଧି ପାଉଥିଲା ସନ୍ଧ୍ୟା ପରଠାରୁ ତାହା ହ୍ରାସ ପାଇବାରେ ଲାଗିଛି। ତଥାପି ଚିଖିଲିର ୩ଟି ଏବଂ ସେମିଲିଆର ୩ଟି ଘର ବନ୍ୟାରେ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ଉଭୟ ଗାଁର ଉକ୍ତ ୬ଟି ପରିବାରକୁ ରିଲିଫ୍ କେନ୍ଦ୍ରକୁ ସ୍ଥାନାନ୍ତର କରିବାକୁ ଯୋଜନା ହୋଇଛି। ଏହି ଗାଁଗୁଡ଼ିକର ଚାଷଜମି ଜଳମଗ୍ନ ହୋଇଥିବା ବେଳେ ପାଣି ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ମହାନଦୀର ଏହି ରୂପ ଦେଖି ସୀମାନ୍ତ ଗାଁଗୁଡ଼ିକର ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଛତିଶଗଡ଼ର କଲମା ବ୍ୟାରେଜ ତଳେ ଥିବା ଲିପ୍ତି, ନଦୀଗାଁ ସଂପୂର୍ଣ୍ଣ ବନ୍ୟାପାଣି ଘେରରେ ରହିଥିବା ଜଣାପଡ଼ିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button