Supremecourt: ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଆହତ ସୈନିକଙ୍କ ଉତ୍ତରାଧିକାରୀଙ୍କୁ ଖୋଜିବ ସେନା
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଇଟାଲୀରେ ଯୁଦ୍ଧ କରି ଆହତ ହୋଇଥିବା ବ୍ରିଟିସ୍ ଭାରତୀୟ ସେନାର ପୂର୍ବତନ ରାଇଫଲମ୍ୟାନ୍ ଗୋବିନ୍ଦ ସିଂହ ରାୱତଙ୍କ ମୃତ୍ୟୁର ପ୍ରାୟ ଦେଢ଼ ବର୍ଷ ପରେ ତାଙ୍କ ନାଁରେ ଯୁଦ୍ଧଜନିତ ଅକ୍ଷମତା ପେନ୍ସନ୍ ପାଇଁ ଆବେଦନ ହୋଇଥିବା ଅଭିଯୋଗ ଆସିଛି

ନୂଆଦିଲ୍ଲୀ: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଇଟାଲୀରେ ଯୁଦ୍ଧ କରି ଆହତ ହୋଇଥିବା ବ୍ରିଟିସ୍ ଭାରତୀୟ ସେନାର ପୂର୍ବତନ ରାଇଫଲମ୍ୟାନ୍ ଗୋବିନ୍ଦ ସିଂହ ରାୱତଙ୍କ ମୃତ୍ୟୁର ପ୍ରାୟ ଦେଢ଼ ବର୍ଷ ପରେ ତାଙ୍କ ନାଁରେ ଯୁଦ୍ଧଜନିତ ଅକ୍ଷମତା ପେନ୍ସନ୍ ପାଇଁ ଆବେଦନ ହୋଇଥିବା ଅଭିଯୋଗ ଆସିଛି। ଏହି ମାମଲାରେ ସମ୍ଭାବ୍ୟ ଜାଲିଆତିର ତଦନ୍ତ ପାଇଁ ସୁପ୍ରିମ୍କୋର୍ଟ ବୁଧବାର ସେନାକୁ ରାୱତଙ୍କ ଆଇନଗତ ଉତ୍ତରାଧିକାରୀ ଓ ପରିବାର ସଦସ୍ୟଙ୍କୁ ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେନାକୁ ଏଥିରେ ସହଯୋଗ କରିବା ପାଇଁ ସମ୍ପୃକ୍ତ ଅଞ୍ଚଳର ବରିଷ୍ଠ ପୁଲିସ ଅଧୀକ୍ଷକ (ଏସ୍ଏସ୍ପି) ଓ ଥାନା ଅଧିକାରୀଙ୍କୁ ମଧ୍ୟ କୁହାଯାଇଛି।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଏସ୍ଭିଏନ୍ ଭଟ୍ଟିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। କେନ୍ଦ୍ର ସରକାର, ସେନାମୁଖ୍ୟ ଓ ଅନ୍ୟମାନଙ୍କ ପକ୍ଷରୁ ୨୦୨୩ ଅକ୍ଟୋବର ୧୭ ରାୟର ପୁନର୍ବିଚାର ପାଇଁ ଆବେଦନ ହୋଇଛି। ଉକ୍ତ ରାୟରେ ସୁପ୍ରିମ୍କୋର୍ଟ ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ୍ (ଏଏଫ୍ଟି)ଙ୍କ ପେନ୍ସନ୍ ମଞ୍ଜୁରି ଆଦେଶ ବିରୋଧରେ କେନ୍ଦ୍ରର ଆବେଦନକୁ ଖାରଜ କରିଥିଲେ। ବିଳମ୍ବରେ ଆବେଦନ କରାଯାଇଥିବାରୁ କେନ୍ଦ୍ରର ଅପିଲ୍ ଗ୍ରହଣ କରାଯାଇ ନ ଥିଲା।
ଅତିରିକ୍ତ ସଲିସିଟର ଜେନେରାଲ୍ ଅର୍ଚ୍ଚନା ପାଠକ ଡାଭେ କୋର୍ଟଙ୍କୁ ଜଣାଇଥିଲେ ଯେ ରାୱତଙ୍କ ମୃତ୍ୟୁ ୨୦୧୯ ଜାନୁଆରି ୧୭ରେ ହୋଇଥିଲା। କିନ୍ତୁ ତାଙ୍କ ନାଁରେ ଏଏଫ୍ଟିରେ ୨୦୨୦ ସେପ୍ଟେମ୍ବର ୯ରେ ମାମଲା ଦାଏର ହୋଇଥିଲା। ଏହାର ଶୁଣାଣି ପରେ ୨୦୨୧ ଜୁନ୍ ୪ରେ ଟ୍ରିବ୍ୟୁନାଲ୍ ତାଙ୍କୁ ଯୁଦ୍ଧଜନିତ ଅକ୍ଷମତା ପେନ୍ସନ୍ ଦେବାକୁ ଆଦେଶ ଦେଇଥିଲେ। ଏହି ଆଦେଶ କାର୍ଯ୍ୟକାରୀ କରିବା ପାଇଁ ସେନା ପକ୍ଷରୁ ବ୍ୟାଙ୍କ୍ ଖାତାର ବିବରଣୀ ଓ ବାତିଲ୍ ଚେକ୍ ମଗାଯିବା ପରେ ରାୱତଙ୍କ ମୃତ୍ୟୁ ସମ୍ପର୍କରେ ଜଣାପଡ଼ିଥିଲା। ତାଙ୍କ ଆଇନଗତ ଉତ୍ତରାଧିକାରୀଙ୍କୁ ମଧ୍ୟ ମାମଲାରେ ପକ୍ଷଭୁକ୍ତ କରାଯାଇ ନଥିଲା। କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ଯେ ଗମାଲ ସିଂହ ରାୱତ ଏହି ଆବେଦନ ଦାଏର କରିଥିଲେ। ସେନା ରେକର୍ଡ ଯାଞ୍ଚ କରି ଗମାଲ ଓ ଗୋବିନ୍ଦଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିବା ଜାଣିବାକୁ ପାଇଥିଲା। ଗମାଲ ନିଜ ବ୍ୟାଙ୍କ୍ ଖାତାର ବିବରଣୀ ଦେଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି।
ରାୱତ ୧୯୪୧ ସେପ୍ଟେମ୍ବରରେ ରୟାଲ୍ ଗଢ଼ୱାଲ୍ ରାଇଫଲ୍ସରେ ଯୋଗ ଦେଇଥିଲେ। ଇଟାଲୀରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆହତ ହେବା ପରେ ୧୯୪୭ ଏପ୍ରିଲ୍ ୬ରେ ତାଙ୍କୁ ଚିକିତ୍ସାଗତ କାରଣରୁ ସେନାରୁ ଅବସର ଦିଆଯାଇଥିଲା। ୨୦୧୧ରେ ସେ ଯୁଦ୍ଧଜନିତ ଅକ୍ଷମତା ପେନ୍ସନ୍ ପାଇଁ ରେଜିମେଣ୍ଟ ନିକଟରେ ଦାବି କରିଥିଲେ। ତେବେ ପ୍ରତିରକ୍ଷା ହିସାବ ନିୟନ୍ତ୍ରକ (ପେନ୍ସନ୍), ଆଲ୍ଲାହାବାଦ ତାଙ୍କ ଦାବିକୁ ଗ୍ରହଣ କରିନଥିଲେ। ଏହା ବିରୋଧରେ ସେ ଏଏଫ୍ଟିର ଲକ୍ଷ୍ନୌ ଖଣ୍ଡପୀଠର ଦ୍ୱାରସ୍ଥ ହୋଇଥିଲେ।
ସୌଜନ୍ୟ ସମ୍ବାଦ




