Odisha flood Updates : ରାଜକନିକାବାସୀଙ୍କ ଦୁର୍ଦ୍ଦଶାର ଅନ୍ତ ହେବାକୁ ଦେଉନି ବୈତରଣୀ ବନ୍ୟା, ୪୭ ପରିବାର ପାଣି ଘେରରେ

ରାଜକନିକା, ୨୮/୯ : ରାଜକନିକା ବ୍ଲକ୍ବାସୀଙ୍କ ପାଇଁ ଦୁର୍ଦ୍ଦଶାର ଅନ୍ତ ହେବାକୁ ଦେଉନାହିଁ ବୈତରଣୀର ବନ୍ୟା । ଗତ ୨୫ ତାରିଖ ମଧ୍ୟାହ୍ନରୁ ବନ୍ୟାଜଳ ପଶିବା ପରେ ବ୍ଲକ୍ ର କେତେକ ଗାଁରେ ସପ୍ତମ ଥର ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କାଏମା କନପୁର ଓ ବାର୍ହା କନପୁର ବିଶେଷ ଭାବେ ପ୍ରଭାବିତ ହୋଇଥିବା ବେଳେ ୪୭ ପରିବାରଙ୍କ ଘରେ ପାଣି ପଶିଛି । ଲଗାଣ ବନ୍ୟାରେ ଜନଜୀବନ ବିପର୍ଯ୍ୟସ୍ତ ହୋଇଥିଲେ ମଧ୍ୟ ଆବଶ୍ୟକ ସହାୟତା ମିଳୁନଥିବା ନେଇ ଅଭିଯୋଗ ହୋଇଛି । କାଏମା କନପୁରର କେଶବ ସେଠୀ, ଦଶରଥ ସେଠୀ, ବୈଷ୍ଣବ ସେଠୀ, ଖଗେଶ୍ୱର ସେଠୀ, ଫକୀର ସେଠୀ, ରତ୍ନାକର ସେଠୀ, ସୁରଥ ସେଠୀ, ବିପଦ ଭଞ୍ଜନ ସେଠୀ, ଦଶରଥ ବାରିକ, ଗଣେଶ ବାରିକ, ସୁରେଶ ନାୟକ, ବିଜୟ ନାୟକ ଓ ଅମୀୟ ନାୟକଙ୍କ ଘରେ ବନ୍ୟାଜଳ ପଶିଛି । ସେହିପରି ବାର୍ହା କନପୁରର ସୁରେଶ ଶତପଥୀ, ବନଜ ମହାପାତ୍ର, ନିର୍ମଳ ଜେନା, ପ୍ରଫୁଲ୍ଲ ଜେନାଙ୍କ ସମେତ ୨୪ ପରିବାର ପାଣି ଘେରରେ ରହିଛନ୍ତି । ବନ୍ୟାଜଳ ବଢ଼ିବା ସହ ଅନେକ ଘର ଭିତରକୁ ବିଷଧର ସାପ ପଶିଆସୁଥିବା ବେଳେ କୁମ୍ଭୀର ଉପଦ୍ରବ ମଧ୍ୟ ବଢ଼ିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଡଙ୍ଗା ନଥିବାରୁ ଲୋକେ ଅଣ୍ଟାଏ ପାଣିରେ ପଶି ଉଚ୍ଚସ୍ଥାନରେ ଥିବା ନଳକୂପରୁ ପାଣି ସଂଗ୍ରହ କରୁଛନ୍ତି । ବନ୍ୟାଘେରରେ ଥିବା ଘରୁ ଗୋରୁଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଓ ଖାଦ୍ୟ ସାମଗ୍ରୀ ସ୍ଥାନାନ୍ତର କରିବା ମଧ୍ୟ କଷ୍ଟକର ହୋଇପଡ଼ିଛି ।
ଆଖୁଆପଦାଠାରେ ବୈତରଣୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଧୀରେ ଧୀରେ ଜଳସ୍ତର କମୁଛି । ଆସନ୍ତା ଦୁଇ ଦିନ ମଧ୍ୟରେ ରାଜକନିକାର ବନ୍ୟା ପରିସ୍ଥିତିରେ ସୁଧାର ଆସିବ ବୋଲି ଜଳସମ୍ପଦ ବିଭାଗର ସହକାରୀ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା କହିଛନ୍ତି । ତେବେ ବନ୍ୟାରେ ଫସିଥିବା ଲୋକଙ୍କ ତୁରନ୍ତ ଚଳପ୍ରଚଳ ପାଇଁ ଡଙ୍ଗା ବ୍ୟବସ୍ଥା, ଶୁଖିଲା ଓ ରନ୍ଧା ଖାଦ୍ୟ, ପାନୀୟ ଜଳ ଏବଂ ଗୋଖାଦ୍ୟ ଯୋଗାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ପ୍ରଶାସନ ତୁରନ୍ତ ବନ୍ୟାଞ୍ଚଳ ପରିଦର୍ଶନ କରି ଆବଶ୍ୟକ ସହାୟତା ପହଞ୍ଚାଇବାକୁ ଶ୍ରୀନିବାସ ନାୟକ, ଶତୁଘ୍ନ ନାୟକ, ସୁମନ୍ତ ନାୟକ, ପ୍ରେମାନନ୍ଦ ବାରିକ, ପଞ୍ଚାନନ ସେଠୀ, ଯୁଧିଷ୍ଠିର ବାରିକ, ଅଭିମନ୍ୟୁ ନାୟକ, ବାବାଜୀ ସେଠୀ ଓ ମାନଗୋବିନ୍ଦ ନାୟକ ପ୍ରମୁଖ ଦାବି କରିଛନ୍ତି ।
ସୌଜନ୍ୟ ପ୍ରମେୟ




