ରାଜ୍ୟ

Siminai saree : ଏବେ କାହାଣୀରେ ୮୦ ଦଶକର ସିମିନଇ ଶାଢ଼ି, ପୁନରୁଦ୍ଧାର ପାଇଁ ଉଦ୍ୟମ ଆରମ୍ଭ

ଭୁବନେଶ୍ୱର, ୨୮/୯ ( ସସ୍ମିତା ମଲ୍ଲ) : ଢେଙ୍କାନାଳ ଜିଲ୍ଲାର ସିମିନଇ ଗାଁର ସିମିନଇ ହସ୍ତତନ୍ତ ଶାଢି । ଏବେ ଖାଲି ଯାହା ଏହାର ନାମ ହସ୍ତତନ୍ତ ତାଲିକାରେ ନାମିତ ହୋଇଛି । ନା’ ଶାଢ଼ି ବୁଣା ଯାଉଛି ନା’ ଶାଢ଼ିଗୁଡ଼ିକ ପର ପିଢ଼ିକୁ ଦେଖାଇବା ଲାଗି କପି ଅଛି । ଗାଁ ନାଁ ଆଲୋଚନା ହେଲେ ଶାଢ଼ି କଥା ଆଖପାଖ ଲୋକଙ୍କର ମନେ ପଡ଼ିଯାଏ । ୫୦ ବର୍ଷ ହେବ ଏହି ଶାଢ଼ି ଆଉ ବୁଣାଯାଉନାହିଁ । କିନ୍ତୁ ଦୀର୍ଘ ବର୍ଷର ବ୍ୟବଧାନ ପରେ ଏଇ କିଛିବର୍ଷ ହେବ ସିମିନଇକୁ ପୁନଃଉଦ୍ଧାର ପାଇଁ ଆରମ୍ଭ ହୋଇଛି ପ୍ରୟାସ । ସରକାରଙ୍କ ତରଫରୁ ଗାଁ ଲୋକଙ୍କୁ ତାଲିମ ଦିଆଯାଉଛି ।

ସେହି ସମୟର ଜଣେ ଦୁଇ ଜଣ କାରିଗର ଏବେ ଏହି ଶାଢ଼ି ବୁଣା ଜାଣିଛନ୍ତି । ନହେଲେ ଗାଁର ଅନ୍ୟ ସବୁ କାରିଗର ଏବେ ସିମିନଇ ପାୱାରଲୁମ୍ ଉପରେ ନିର୍ଭରଶୀଳ । ବୁଣାକାର ପ୍ରଦୀପ କୁମାର ସିଂ କୁହନ୍ତି, ସିମିନଇ ଶାଢ଼ିର ଚାହିଦା ବହୁତ ଅଧିକ ଥିଲା । ଗାଁ ର ସମସ୍ତ ଲୋକ ଏହି ଶାଢ଼ି ବୁଣୁଥିଲେ । ରାଜାରାଜୁଡା ସମୟରେ ଏହି ଶାଢ଼ିର ଚାହିଦା ବହୁତ ଅଧିକ ଥିଲା । ଏ ଶାଢ଼ି ନହେଲେ ବାହାଘର, ବ୍ରତଘର ହେଉନଥିଲା । ସେତେବେଳେ ସମୟରେ ଶାଢ଼ିଗୁଡ଼ିକ ୨ରୁ ୩ଟଙ୍କାରେ ବିକ୍ରି ହେଉଥିଲା । ମାର୍କେଟରେ ଏହାର ଚାହିଦା ଭଲ ଥିଲା ।

୧୯୭୧ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମୟରେ ଏହି ଗାଁକୁ ପାୱାରଲୁମ୍ ମେସିନ୍ ଗୁଡ଼ିକ ଆସିଲା । ସେତେବେଳେ କାରିଗରଙ୍କୁ ଲୋଭ ଦେଖାଗଲା ମେସିନ୍ରେ ତିଆରି କଲେ ଉତ୍ପାଦନ ଭଲ ବଢ଼ିବ । ଅଧିକ ତିଆରି ହେଲେ ଅଧିକ ବିକ୍ରି ହେବ ଓ ରୋଜଗାର ବଢ଼ିବ । ଏମିତି ଲୋଭରେ ବୁଣାକାରମାନେ ହାତରେ ବୁଣିବା ବଦଳରେ ମେସିନରେ ତିଆରି କରିବା ଆରମ୍ଭ କଲେ । ଯାହାଫଳରେ ଲୋକପ୍ରିୟ ସିମିନଇ ଶାଢ଼ିର ଲୋକପ୍ରିୟତା କମିବାକୁ ବସିଲା । ଏମିତି ସମୟ ଆସିଲା ଯେ ଏହି ହସ୍ତତନ୍ତ ଶାଢ଼ି ବୁଣିବେ କେମିତି ପର ପିଢ଼ି ତାଙ୍କ ମୁରବୀଙ୍କ ଠାରୁ ଶିଖି ମଧ୍ୟ ପାରିଲେ ନାହିଁ । ଏବେ ଶାଢ଼ି କହିଲେ ଜଣେ ବୁଣାକାରଙ୍କ ପାଖରେ ଗୋଟିଏ କପି ରହିଛି । ଯାହାକୁ ସରକାର ତାଙ୍କ ଠାରୁ ନେବାକୁ ଚାହିଁଥିଲେ ମଧ୍ୟ ସେ ଦେଇନଥିଲେ । ତାଙ୍କ ପର ପିଢ଼ିଙ୍କର ଏହା ସଙ୍କେତ ବୋଲି କହିଥିଲେ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button