LPU Violence: ଏଲ୍ପିୟୁ ହିଂସା: ପୁଲିସ ସଂଯମ ଦେଖାଇଛି, ଭଙ୍ଗାରୁଜାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ
ପଞ୍ଜାବର କପୁରଥଲା ଜିଲ୍ଲା ଫଗୱାଡ଼ାସ୍ଥିତ ଲଭ୍ଲି ପ୍ରଫେସନାଲ୍ ୟୁନିଭର୍ସିଟି (ଏଲ୍ପିୟୁ)ରେ ଛାତ୍ରଛାତ୍ରୀଙ୍କ ହିଂସାତ୍ମକ ବିକ୍ଷୋଭ ପରେ ସୋମବାର ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ କ୍ୟାମ୍ପସ ପରିଦର୍ଶନ କରିଛନ୍ତି।

ଚଣ୍ଡୀଗଡ଼: ପଞ୍ଜାବର କପୁରଥଲା ଜିଲ୍ଲା ଫଗୱାଡ଼ାସ୍ଥିତ ଲଭ୍ଲି ପ୍ରଫେସନାଲ୍ ୟୁନିଭର୍ସିଟି (ଏଲ୍ପିୟୁ)ରେ ଛାତ୍ରଛାତ୍ରୀଙ୍କ ହିଂସାତ୍ମକ ବିକ୍ଷୋଭ ପରେ ସୋମବାର ପଞ୍ଜାବ ପୁଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ କ୍ୟାମ୍ପସ ପରିଦର୍ଶନ କରିଛନ୍ତି। ଛାତ୍ରମାନଙ୍କ ଦାବି ଶୁଣିବା ଓ ସମସ୍ୟାର ସମାଧାନ ପାଇଁ ପୁଲିସ ଅତ୍ୟନ୍ତ ସଂଯମର ସହ କାମ କରିଥିବା ସେ କହିଛନ୍ତି। ତେବେ ଆଇନକୁ ହାତକୁ ନେଇ ଭଙ୍ଗାରୁଜା, ହିଂସା କିମ୍ବା ସରକାରୀ ସମ୍ପତ୍ତି ନଷ୍ଟ କରିଥିବା ଲୋକଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।
ରବିବାର ଭୋର ପ୍ରାୟ ୨ଟାରୁ ଏଲ୍ପିୟୁ କ୍ୟାମ୍ପସରେ ଛାତ୍ରମାନେ ଏକ ଛାତ୍ରୀଙ୍କୁ ଜଣେ ବାହାର ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗକୁ ନେଇ ବିକ୍ଷୋଭ ଆରମ୍ଭ କରିଥିଲେ। ପରେ ବିକ୍ଷୋଭ ତୀବ୍ର ହୋଇ କ୍ୟାମ୍ପସ ସମ୍ପତ୍ତି ଭଙ୍ଗାରୁଜା, କିଛି ଯାନବାହନରେ ନିଆଁ ଲଗାଇବା ଏବଂ ଦୋକାନଗୁଡ଼ିକରେ କ୍ଷତି ଘଟାଇବା ପର୍ଯ୍ୟନ୍ତ ପହଞ୍ଚିଥିଲା। ଭୋର ୪ଟାରେ ଛାତ୍ରମାନେ କ୍ୟାମ୍ପସ ବାହାରେ ଦିଲ୍ଲୀ-ଅମୃତସର ଜାତୀୟ ରାଜପଥ-୪୪ ଅବରୋଧ କରିଥିଲେ। ରବିବାର ସନ୍ଧ୍ୟାରେ ପୁଲିସ ଉପରକୁ ପଥରମାଡ଼ ହେବା ସହ ପୁଲିସ ଗାଡ଼ିଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରାଯାଇଥିଲା। ଏଥିରେ କେତେକ ପୁଲିସକର୍ମୀ ଆହତ ହୋଇଥିବା ଅଧିକାରୀମାନେ କହିଛନ୍ତି।
ସୌଜନ୍ୟ ସମ୍ବାଦ




