ରାଜ୍ୟ

Ganjam’s economy: ଶୁଖୁଆ ଗନ୍ଧରେ ବାସୁଛି ଗଞ୍ଜାମ ଅର୍ଥନୀତି: ସପ୍ତାହକୁ ଆସୁଛି ୧୦ରୁ ୨୦ ଟନ୍‌ ଶୁଖୁଆ

ଶନିବାର ଆସିଲେ ଗଞ୍ଜାମ ଜିଲ୍ଲାର ହୁମ୍ମାରେ ବସୁଛି ଶୁଖୁଆ ବଜାର। ଜାତୀୟ ରାଜପଥ କଡ଼ରେ ଧାଡ଼ି ଧାଡ଼ି ପସରା। ଶହ ଶହ ବ୍ୟବସାୟୀ ଓ ଦୂରଦୂରାନ୍ତରୁ ଆସୁଥିବା ପାଇକାରୀ-ଖୁଚୁରା ବ୍ୟବସାୟୀଙ୍କ ଭିଡ଼।

ହୁମ୍ମା (ଶିବାନନ୍ଦ ପଲେଇ): ଶନିବାର ଆସିଲେ ଗଞ୍ଜାମ ଜିଲ୍ଲାର ହୁମ୍ମାରେ ବସୁଛି ଶୁଖୁଆ ବଜାର। ଜାତୀୟ ରାଜପଥ କଡ଼ରେ ଧାଡ଼ି ଧାଡ଼ି ପସରା। ଶହ ଶହ ବ୍ୟବସାୟୀ ଓ ଦୂରଦୂରାନ୍ତରୁ ଆସୁଥିବା ପାଇକାରୀ-ଖୁଚୁରା ବ୍ୟବସାୟୀଙ୍କ ଭିଡ଼। ଟନ୍‌ ଟନ୍‌ ଶୁଖୁଆର କିଣାବିକା ଭିତରେ ଚାଲେ କୋଟି କୋଟି ଟଙ୍କାର କାରବାର। ଏମିତି ଏକ ବଡ଼ ଆର୍ଥିକ ଶୃଙ୍ଖଳକୁ ବର୍ଷ ବର୍ଷ ଧରି ଚଳାଇ ଆସୁଛି ହୁମ୍ମା ଶୁଖୁଆ ହାଟ। ବ୍ୟବସାୟୀଙ୍କ ଆକଳନ ଅନୁସାରେ, ବର୍ଷକୁ ଏଠାରେ ହେଉଛି ପ୍ରାୟ ୩୦ କୋଟି ଟଙ୍କାର କାରବାର। ହେଲେ ଏହି ବଡ଼ ବଜାର ଏବେ ନୂଆ ଆହ୍ୱାନକୁ ସାମନା କରୁଛି।

ସପ୍ତାହକୁ ଆସୁଛି ୧୦ରୁ ୨୦ ଟନ୍‌ ଶୁଖୁଆ
କରୋନା ପରେ ଅଧା କାରବାର କମିଯାଇଛି
ବାର୍ଷିକ ୩୦ କୋଟିର ବ୍ୟବସାୟ
 ମୌଳିକ ସୁବିଧା ଦାବି 

ହୁମ୍ମା ହାଟକୁ ପ୍ରତି ସପ୍ତାହରେ ପ୍ରାୟ ୧୦ରୁ ୨୦ ଟନ୍‌ ଶୁଖୁଆ ଆସୁଛି। ଆନ୍ଧ୍ରପ୍ରଦେଶ, କେରଳ, କାକିନାଡ଼ା, ପାରାଦୀପ, ବାଲେଶ୍ୱର, ଭଦ୍ରକ, ଗୁଜରାଟ, ପୁରୀ, କୋଣାର୍କ, ଗୁଣପୁର ଓ ବିଶାଖାପାଟଣା ଭଳି ବିଭିନ୍ନ ସ୍ଥାନରୁ ଏଠାକୁ ଶୁଖୁଆ ଆସୁଛି। ଗଞ୍ଜାମ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଓ ରାଜ୍ୟ ବାହାରୁ ପାଇକାରୀ ବ୍ୟବସାୟୀ ଶୁଖୁଆ କିଣି ନେଉଛନ୍ତି। ରାଜ୍ୟ ବାହାର ସହ ବାଂଲାଦେଶକୁ ମଧ୍ୟ ଏଠାରୁ ଶୁଖୁଆ ପଠାଯାଉଥିବା ବ୍ୟବସାୟୀ କହିଛନ୍ତି।

ହାଟରେ ପ୍ରାୟ ୩୦ରୁ ୪୦ ପ୍ରକାରର ଶୁଖୁଆ ମିଳୁଛି। ଅକ୍ଟୋବରରୁ ଫେବ୍ରୁଆରି ଶେଷ ପର୍ଯ୍ୟନ୍ତ ବ୍ୟବସାୟ ସର୍ବାଧିକ ହୋଇଥାଏ। ଏପ୍ରିଲରୁ ଜୁଲାଇ ମାଛଧରା ନିଷେଧ ଯୋଗୁଁ ଆମଦାନୀ ଓ ବିକ୍ରି କମିଥାଏ। ବ୍ୟବସାୟୀଙ୍କ କହିବାନୁସାରେ, କରୋନା ପରେ ହାଟର କାରବାର ପ୍ରାୟ ୩୦ରୁ ୪୦ ପ୍ରତିଶତ କମିଛି। ସୋସିଆଲ ମିଡିଆ ମାଧ୍ୟମରେ କିଛି ବ୍ୟବସାୟୀ ସିଧାସଳଖ ମତ୍ସ୍ୟଜୀବୀଙ୍କଠାରୁ ଶୁଖୁଆ କିଣୁଛନ୍ତି। ଏହାସହ ପାନୁ ଆଦାୟକାରୀଙ୍କ ଉତ୍ପୀଡ଼ନ ଏବଂ ଶନିବାର ସ୍ଥାନୀୟ ଗ୍ରାହକଙ୍କୁ ବିକ୍ରି ନେଇ କିଛି କଟକଣା ଥିବା ନେଇ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ତଥାପି ହୁମ୍ମା ହାଟର ଗୁରୁତ୍ୱ କମିନାହିଁ। ହାଟକୁ ସୁବ୍ୟବସ୍ଥିତ କରିବା ସହ ବ୍ୟବସାୟୀଙ୍କ ସମସ୍ୟା ଦୂର କରାଗଲେ କାରବାର ପୁଣି ବଢ଼ିପାରିବ। ଏହି ଦିଗରେ ଏବେ ପ୍ରଶାସନିକ ପଦକ୍ଷେପ ଆରମ୍ଭ ହୋଇଛି। ହାଟର ପରିଚାଳନାକୁ ଆହୁରି ଶୃଙ୍ଖଳିତ କରାଗଲେ ଏହି ପାରମ୍ପରିକ ବଜାର ପୁଣି ଗଞ୍ଜାମର ଅର୍ଥନୀତିରେ ନୂଆ ଗତି ଆଣିପାରିବ ବୋଲି ଆଶା କରାଯାଉଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button