Disabilities: ଦିବ୍ୟାଙ୍ଗଙ୍କ ଉନ୍ନତି ପ୍ରସଙ୍ଗ ଭୁଲିଗଲେ: ପଶ୍ଚିମ ଓଡ଼ିଶାରେ ଭତ୍ତାରୁ ବଞ୍ଚିତ ୯୧ ହଜାର
ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭତ୍ତା ପ୍ରଦାନ କରାଯାଉଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହଜାର ହଜାର ଯୋଗ୍ୟ ହିତାଧିକାରୀ....

ରାଉରକେଲା (ଦେବବ୍ରତ ଗଡ଼ତିଆ): ଦିବ୍ୟାଙ୍ଗମାନଙ୍କୁ ସଶକ୍ତ କରିବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭତ୍ତା ପ୍ରଦାନ କରାଯାଉଛି। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ହଜାର ହଜାର ଯୋଗ୍ୟ ହିତାଧିକାରୀ ମଧୁବାବୁ ପେନ୍ସନ୍ ଯୋଜନା (ଏମ୍ବିପିୱାଇ) ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (ଏନ୍ଏସ୍ଏପି) ଅଧୀନରେ ମିଳୁଥିବା ମାସିକ ଭତ୍ତାରୁ ବଞ୍ଚିତ ହେଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ସମେତ ପଶ୍ଚିମ ଓଡ଼ିଶାର ସମସ୍ତ ୧୦ଟି ଜିଲ୍ଲାରେ ଏହି ସଂଖ୍ୟା ଉଦ୍ବେଗଜନକ। ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାରେ ମୋଟ ୨,୫୬,୦୦୨ ଜଣ ପଞ୍ଜୀକୃତ ଦିବ୍ୟାଙ୍ଗ ହିତାଧିକାରୀ ଅଛନ୍ତି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୧,୬୪,୭୦୦ ଜଣ (୬୪.୩୩%) ନିୟମିତ ଭାବେ ଭତ୍ତା ପାଉଥିବା ବେଳେ ଅବଶିଷ୍ଟ ୯୧,୩୦୨ ଜଣ (୩୫.୬୬%) ଦିବ୍ୟାଙ୍ଗ ଆର୍ଥିକ ସହାୟତା ପାଇପାରିନାହାନ୍ତି।
ପଶ୍ଚିମ ଓଡ଼ିଶାରେ ଭତ୍ତାରୁ ବଞ୍ଚିତ ୯୧ ହଜାର
ସୁନ୍ଦରଗଡ଼ରେ ପାଇନାହାନ୍ତି ୪୯%
ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ୫୫୬୬୦ ଜଣ ପଞ୍ଜୀକୃତ ଦିବ୍ୟାଙ୍ଗ ହିତାଧିକାରୀ ଅଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ୨୭,୨୯୩ ଜଣଙ୍କୁ (୪୯.୦୩%) ଏଯାଏଁ ଭତ୍ତା ମିଳିନି। ସେହିଭଳି ବଲାଙ୍ଗୀର ଜିଲ୍ଲାର ପଞ୍ଜୀକୃତ ୪୩,୬୩୬ ଜଣଙ୍କ ମଧ୍ୟରୁ ୧୪,୨୭୨ ଜଣ ଭତ୍ତା ପାଇନଥିବା ବେଳେ ବରଗଡ଼ ଜିଲ୍ଲାରେ ୩୪,୩୩୫ ଜଣଙ୍କ ମଧ୍ୟରୁ ୧୧୨୦୧, ଦେବଗଡ଼ରେ ୮୯୦୭ ଜଣଙ୍କ ମଧ୍ୟରୁ ୩୨୧୨ ଜଣ, ବୌଦ୍ଧରେ ୧୨,୪୫୦ ଜଣଙ୍କ ମଧ୍ୟରୁ ୫୦୩୮, ଝାରସୁଗୁଡ଼ାରେ ୧୩,୦୪୮ ଜଣଙ୍କ ମଧ୍ୟରୁ ୪,୧୫୪, ନୂଆପଡ଼ାରେ ୧୮,୩୦୦ ଜଣଙ୍କ ମଧ୍ୟରୁ ୬୨୮୨, ସମ୍ବଲପୁରରେ ୨୨,୭୩୨ ଜଣଙ୍କ ମଧ୍ୟରୁ ୭୨୧୫, ସୁବର୍ଣ୍ଣପୁରରେ ୧୮୮୩୦ ଜଣଙ୍କ ମଧ୍ୟରୁ ୮୨୨୩ ଓ କଳାହାଣ୍ଡି ଜିଲ୍ଲାରେ ୨୮,୧୦୪ ଜଣଙ୍କ ମଧ୍ୟରୁ ୪୬୮୨ ଜଣ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି।
ସୌଜନ୍ୟ ସମ୍ବାଦ




