ଯୋଜନା ବାଟବଣା ; କନ୍ଧମାଳରେ ନାବାଳିକା ମାତୃତ୍ୱ ଗ୍ରାଫ୍ ଉପରମୁହାଁ, ସଚେଚନତା ନାହିଁ

ଫୁଲବାଣୀ, ୨୯\୯ : ସଚେତନତାର ସ୍ୱର ଗାଁରୁ ଗାଁକୁ ଯାଉଛି । ହେଲେ ବଦଳୁନି ବାସ୍ତବ ଚିତ୍ର । କନ୍ଧମାଳରେ ନାବାଳିକା ମାତୃତ୍ୱ ଏ ବର୍ଷ ୨ ଶହ ଟପିଛି । ଯାହା ଗତବର୍ଷ ତୁଳନାରେ ଦୁଇଗୁଣ । ନାବାଳିକା ଗର୍ଭବତୀ ହେବା ଘଟଣା ଏବେ କନ୍ଧମାଳକୁ ବଦନାମ କରୁଛି । ନାବାଳିକା ମାତୃତ୍ୱ ରୋକିବା ଦିଗରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ସଚେତନ କରାଯାଉଛି । ତଥାପି ଜିଲ୍ଲାରେ ନାବାଳିକା ମାତୃତ୍ୱ ସଂଖ୍ୟା କମୁନାହିଁ ।
ଜିଲ୍ଲା ସମାଜ ମଙ୍ଗଳ ବିଭାଗର ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ସମୂଦାୟ ୧୪,୩୩୬ ଜଣ ଗର୍ଭବତୀଙ୍କ ନାମ ପଞ୍ଜୀକୃତ ହୋଇଥିଲା । ସେଥିମଧ୍ୟରୁ ୧୨୨ ଜଣ ଥିଲେ ନାବାଳିକା । ତୁମୁଡିବନ୍ଧ ବ୍ଲକରେ ସର୍ବାଧିକ ୨୭ ଜଣ ଗର୍ଭବତୀ ନାବାଳିକାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଫିରିଙ୍ଗିଆରେ ୧୭ ଜଣ, ଦାରିଙ୍ଗବାଡିରେ ୧୬, କୋଟଗଡ଼ରେ ୧୫ ଓ ଚକାପାଦରେ ୧୦ ଜଣ ନାବାଳିକା ଗର୍ଭଧାରଣ କରିଥିଲେ । ଗତବର୍ଷ ଏହି ସଂଖ୍ୟା କମିବା ବଦଳରେ ଅଧିକ ବଢିଥିବା ବିଭାଗୀୟ ରିପୋର୍ଟ କହୁଛି । ୨୦୨୫-୨୬ରେ ଜିଲ୍ଲାର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ରରେ ସମୂଦାୟ ୧୩,୧୪୫ ଗର୍ଭବତୀଙ୍କ ନାମ ପଞ୍ଜୀକୃତ ହୋଇଥିଲା । ସେଥି ମଧ୍ୟରୁ ୨୧୭ ଜଣ ଥିଲେ ନାବାଳିକା । ଦାରିଙ୍ଗବାଡି ବ୍ଲକରେ ସର୍ବାଧିକ ୩୮ ଜଣ ଗର୍ଭବତୀ ନାବାଳିକାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତୁମୁଡିବନ୍ଧରେ ୩୬ ଜଣ, ଫିରିଙ୍ଗିଆରେ ୩୫, ବାଲିଗୁଡାରେ ୩୨, କୋଟଗଡ଼ରେ ୧୯ ଓ ଖଜୁରୀପଡାରେ ୧୩ ଜଣ ନାବାଳିକା ଗର୍ଭ ଧାରଣ କରିଥିଲେ ।
ସୌଜନ୍ୟ ପ୍ରମେୟ




