ରାଜ୍ୟ

ଗାଡ଼ି ଚାଲାଣ କଟାରେ ହେରଫେର ଧରିଲେ ସିଏଜି: ଚାଲାଣ କଟିଲା ହେଲେ ଜରିମାନା ଆଦାୟ ହେଲାନି, ସରକାରଙ୍କ ୬୪୦ କୋଟି କ୍ଷତି

  • ଅମାନିଆଙ୍କୁ ଅଳ୍ପ ଜରିମାନା କଷି ଛାଡ଼ିଦେଲେ
  • ବିନା ଫଟୋ ପ୍ରମାଣରେ କାଟିଛନ୍ତି ୪୩ ଲକ୍ଷ ଚାଲାଣ 
  • ଜାଣିଶୁଣି ଉପଯୁକ୍ତ ଅପରାଧ ବୁକ୍‌ କରିନାହାନ୍ତି
  • ୧୯,୫୮୩ ଓଭରଲୋଡ୍‌ ଟ୍ରକ୍‌କୁ ଛାଡ଼ିଛନ୍ତି

ଭୁବନେଶ୍ୱର ୨୯/୦୯: ମୋଟରଯାନ  ଆଇନ ଅନୁସାରେ ସଡ଼କ ନିୟମ ଭାଙ୍ଗିଲେ  ଜରିମାନା ଲାଗୁ ହେବ । ଇ-ଚାଲାଣ କାଟିବା  ବେଳେ ସବୁ ଅପରାଧ ପାଇଁ ଭିନ୍ନ ଭିନ୍ନ ଜରିମାନା  ଲାଗୁ ହେବ । କିନ୍ତୁ ୨୦୧୯ରୁ ୨୦୨୪ ଭିତରେ କଟା  ଯାଇିଥବା ଚାଲାଣରେ ବଡ଼ ହେରଫେର ହୋଇଛି ।  ଟ୍ରାଫିକ ପୁଲିସ ଓ ଆରଟିଓ କର୍ମଚାରୀ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଚାଲାଣ କାଟିଛି ସତ, ହେଲେ  ଅନେକ ମାମଲାରେ ଅମାନିଆଙ୍କ ସହ ରଫାଦଫା  କରି ଚାଲାଣରେ ଜରିମାନା ରାଶି କମାଇ ଦେଇଛି । ନିୟମ ବାହାରକୁ ଯାଇ ଏହି ତଥାକଥିତ ରଫାଦଫା  କରିବା ଯୋଗୁ ସରକାର ୬୪୦ କୋଟି ଟଙ୍କାର  ଜରିମାନା ରାଶି ହରାଇଛନ୍ତି । ଚାଲାଣ କଟାରେ  ହୋଇଥିବା ଏହି ହେରଫେରକୁ ଧରିଛନ୍ତି ସିଏଜି ।

ସିଏଜି ଅଡିଟ୍‌ରୁ ଚାଲାଣ କଟାକୁ ନେଇ  ଚାଲିଥିବା କାରସାଦି ଫୁଟି ବାହାରିଛି । ୨୦୧୯ରୁ  ୨୦୨୪ ଭିତରେ ଇ-ଚାଲାଣ ଓ ବାହନ ତଥ୍ୟକୁ  ତନ୍ନ ତନ୍ନ କରି ଅଡିଟ୍‌ରେ ଯାଞ୍ଚ କରାଯାଇଥିଲା । ଏଥିରେ କିଛି ଅମାନିଆ ଗାଡ଼ି ଚାଳକଙ୍କ ସହ  ଟ୍ରାଫିକ ପୁଲିସ କରିଥିବା ରଫାଦଫା ତଥ୍ୟ  ମିଳିଛି । ଯଦି ଜଣେ ଅମାନିଆ ଗାଡ଼ି ଚାଳକ  ଧରାପଡ଼ନ୍ତି, ନିୟମ ଅନୁସାରେ, ତାଙ୍କର  ଡ୍ରାଇଭିଂ ଲାଇସେନ୍ସ(ଡିଏଲ), ପଞ୍ଜିକରଣ  ପ୍ରମାଣପତ୍ର(ଆରସି), ଫିଟନେସ୍‌ ଓ  ଇନସୁରାନ୍ସ(ବୀମା) ଡକ୍ୟୁମେଣ୍ଟ ଯାଞ୍ଚ କରିବା  ବାଧ୍ୟତାମୂଳକ । ଏକାଧିକ ନିୟମ ଉଲଙ୍ଘନ  କରିଥିଲେ ଏକାଧିକ ଜରିମାନା କଷାଯିବ ।  ଅର୍ଥାତ୍‌ ଯଦି ଜଣେ ନିୟମ ଭାଙ୍ଗି ଧରାପଡ଼ନ୍ତି  ଓ ତାଙ୍କ ଗାଡ଼ିର ଫିଟନେସ୍‌ ନଥିବ ତାଙ୍କ ଉପରେ  ୫ହଜାର ଜରିମାନା ଲାଗୁ ହେବ । ପୁଣି ସେହି  ସମାନ ଗାଡ଼ିର ବୀମା ନ ଥିଲେ ଅତିରିକ୍ତ ୨  ହଜାର ଟଙ୍କା ଜରିମାନା ଲାଗିବ । ଯଦି ସେହି  ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ନ  ଲାଗିନଥିବ ତା ଉପରେ ଆଉ ୫ ହଜାର  ଜରିମାନା ଲାଗିବ । ଯଦି ବିନା ପରମିଟ୍‌ରେ  ଏ ଗାଡ଼ି ଚାଲିଥିବ ଆଉ ୧୦ହଜାର ଜରିମାନା  କଷାଯିବ । ଭିନ୍ନ ଭିନ୍ନ ଅପରାଧ ବା ନିୟମ  ଉଲ୍ଲଙ୍ଘନ ପାଇଁ ଟ୍ରାଫିକ ପୁଲିସ ବା ଆରଟିଓ  କର୍ମଚାରୀ ଏ ସବୁ ଅପରାଧକୁ ବୁକ୍‌ କରି  ଜରିମାନା ଲଗାଇବେ । କିନ୍ତୁ ଏହାର ଖୋଲା  ଉଲ୍ଲଙ୍ଘନ ହୋଇଛି । ଏକାଧିକ ଅପରାଧ  କ୍ଷେତ୍ରରେ ଗାଡ଼ି ଚାଳକ/ମାଲିକଙ୍କ ସହ  ରଫାଦଫା କରି କେବଳ ଗୋଟିଏ ବା ଦୁଇଟି  ଅପରାଧ ପାଇଁ ଜରିମାନା ପକାଯାଇଛି ।

୩ଲକ୍ଷ ୩୧ ହଜାର ୮୦୯ ମାମଲାରେ  ପ୍ରଦୂଷଣ ନିୟନ୍ତ୍ରଣ ସାର୍ଟିଫିକେଟ ପାଇଁ ଜରିମାନା  ଆଦାୟ ହୋଇନି । ଏଥିପାଇଁ ୩୩୧ କୋଟି ଟଙ୍କା  କ୍ଷତି ହୋଇଛି । ପୁଣି ଫିଟନେସ୍‌ ପ୍ରମାଣପତ୍ର ନ  ଥାଇ ବି ୨ଲକ୍ଷ ୯୧ହଜାର ୫୩୬ ମାମଲାରେ  ଜରିମାନା ଛାଡ଼ କରାଯାଇଛି । ଏଥିରେ ୧୪୫  କୋଟି ଟଙ୍କାର କ୍ଷତି ହୋଇଛି । ବୀମା ପ୍ରମାଣପତ୍ର  ବା ଇନସୁରାନ୍ସ ନ ଥାଇ ବି ୭ଲକ୍ଷ ୩ହଜାର  ମାମଲାରେ ଜରିମାନା ଆଦାୟ ନ ହେବାରୁ  ୧୪୦ କୋଟି ଟଙ୍କାର କ୍ଷତି କ୍ଷତି ସହିଛନ୍ତି  ସରକାର । ପୁଣି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଲାଗିନଥିବା ୩୧ହଜାର ୩୨୦ ଗାଡ଼ି ଉପରେ  ଜରିମାନା ଲାଗୁ ନ ହେବାରୁ  ୧୫ କୋଟି  କ୍ଷତି ହୋଇଛି । ବିନା ପରମିଟ୍‌ରେ ଯାଉଥିବା  ୬୯୩୪ ଗାଡ଼ିକୁ ମାଫ୍‌ ଦିଆଯାଇଛି । ଏଥିରେ  ସରକାର ପ୍ରାୟ ୭ କୋଟି ଟଙ୍କା ହରାଇଛନ୍ତି । ଏହି କ୍ଷତି ଉପରେ ସରକାର ସଫେଇ  ରଖି କହିଛନ୍ତି, ଟ୍ରାଫିକ ପୁଲିସ ଅଧିକାରୀ ଓ  କର୍ମଚାରୀ ନିଜ ପୁଲିସ ଷ୍ଟେସନର କ୍ଷେତ୍ରାଧିକାର  ମଧ୍ୟରେ ଏହି ଜରିମାନାକୁ ରଫାଦଫା ପାଇଁ  ଅଧିକାରପ୍ରାପ୍ତ ।

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button