Road Accident : ନିୟନ୍ତ୍ରଣ ହୋଇପାରୁନି ସଡ଼କ ଦୁର୍ଘଟଣା, ରାଜ୍ୟରେ ଦ୍ଵିତୀୟ ସ୍ଥାନରେ କେନ୍ଦୁଝର

କେନ୍ଦୁଝର, ୩୦/୯ : କେନ୍ଦୁଝର ଜିଲ୍ଲାରେ ଏବେ ସଡକ ଦୁର୍ଘଟଣା ବୃଦ୍ଧି ଉବବେଗର ବିଷୟ ହୋଇଛି । ପ୍ରତ୍ୟେକ ବର୍ଷ ବହୁ ଲୋକଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ବେଳେ ଅନେକ ଅର୍କମଣ୍ୟ ହେଉଛନ୍ତି । ସଡ଼କ ଦୁର୍ଘଟଣା ପାଇଁ ଯେତେ ସଚେତନତା କଲେ ମଧ୍ୟ ଫେଲ୍ ମାରିଛି । ସଡ଼କ ଦୁର୍ଘଟଣାରେ କେନ୍ଦୁଝର ରାଜ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଛି । ରାଜ୍ୟରେ କେନ୍ଦୁଝର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇବା ଘଟଣା ଦ୍ୱିତୀୟ ସ୍ଥାନରେ ରହିଛି । ଗତ ୧୦ ବର୍ଷ ମଧ୍ୟରେ ୬୫୪୩ଟି ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ୩୫୧୬ ଜଣ ପ୍ରାଣ ହରାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ଦୁର୍ଘଟଣାର କାରଣ ଖୋଜିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏବଂ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ବ୍ଲାକ୍ସ୍ପଟ୍ ପରିଦର୍ଶନ କରୁଛନ୍ତି । ବ୍ଲାକ୍ ସ୍ପଟ୍ ଗୁଡିକ ନିୟମ ମୁତାବକ ସତର୍କତା ଏବଂ ସୁରକ୍ଷା ବ୍ୟବସ୍ଥା କରାଯାଉଥିବା ଅଭିଯୋଗ ହୋଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରାଜପଥ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଦୁର୍ଘଟଣା ବଢ଼ି ଚାଲିଛି । ସଡ଼କପଥର ସୁରକ୍ଷା ପାଇଁ ପ୍ରଶାସନ ଗୁରୁତ୍ୱ ଦେଉନାହାନ୍ତି । ୨୦୨୩ ଜୁନ୍ ୨୮ ତାରିଖରେ କେନ୍ଦୁଝର ୨୦ ନଂ ରାଜପଥଧର ଷଠିଘର ସାହି ନିକଟରେ ବରଯାତ୍ରୀଙ୍କ ଉପରେ ଏକ ଟ୍ରକ୍ ମାଡି ଯିବା ପରେ ଘଟଣାସ୍ଥଳରେ ୫ ଜଣ ପ୍ରାଣ ହରାଇଥିଲେ । ଏହି ଘଟଣା ପରେ ଜନଗହଳିପୂର୍ଣ୍ଣ ସ୍ଥାନରେ ରାତିରେ ଆଲୋକ ବ୍ୟବସ୍ଥା କଡାକଡି ପାଇଁ ପ୍ରତିଶ୍ରୃତି ମିଳିଥିଲା । ମାତ୍ର ପରେ ପ୍ରଶାସନ ଫାଙ୍କି ଦେଇଛି । ଏହି ସ୍ଥାନରେ ନିୟମିତ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲାରେ ୨୦୧୭ ମସିହାରେ ୫୯୨ଟି ଦୁର୍ଘଟଣା ଘଟି ୩୧୨ଜଣଙ୍କର ମୃତ୍ୟୁ ହୋଇଛି । ଏହି ବର୍ଷରେ ୨୩୫ଜଣ ଗୁରୁତର ଆହତ ଏବଂ ୩୩୯ଜଣ ଆହତ ହୋଇଛନ୍ତି ।
୨୦୧୮ ବର୍ଷରେ ୬୩୯ଟି ଦୁର୍ଘଟଣା ଘଟି ୩୧୬ଜଣ ମୃତ୍ୟୁ ହୋଇଥିବାବେଳେ ୨୮୦ଜଣ ଗୁରୁତର ଆହତ ଏବଂ ୫୫୦ଜଣ ଆହତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ୨୦୧୯ ମସିହାରେ ୬୭୪ ଦୁର୍ଘଟଣାରେ ୩୩୩ ଜଣ ମୃତ୍ୟୁବରଣ କରିଥିବାରୁ ପ୍ରତିବର୍ଷ ମୃତ୍ୟୁହାର ଓ ଦୁର୍ଘଟଣା ନିୟନ୍ତ୍ରଣ ହେବା ବଦଳରେ ବୃଦ୍ଧି ପାଇଚାଲିଛି । କରୋନା ଯୋଗୁ ଯାନବାହାନ ଚଳାଚଳ କମ୍ ରହିଥିଲା । ତଥାପି ଦୁର୍ଘଟଣା ନିୟନ୍ତ୍ରଣ ହୋଇ ପାରିନଥିଲା । ୨୦୨୦ ମସିହାରେ ୬୪୯ଟି ଦୁର୍ଘଟଣାରେ ୩୫୪ ଜଣ ପ୍ରାଣ ହରାଇଥିବା ବେଳେ ୪୩୫ ଜଣ ଗୁରୁତର ଆହତ ହୋଇଥିବା ରିପୋର୍ଟ ମିଳିଛି । ୨୦୨୧ ମସିହାରେ ୬୬୧ଟି ଦୁର୍ଘଟଣା ଘଟିଥିବା ବେଳେ ୩୪୧ ଜଣ ପ୍ରାଣ ହରାଇଛନ୍ତି । ୨୦୨୨ ମସିହାରେ ୬୫୯ଟି ଦୁର୍ଘଟଣା ଘଟିଥିବା ସମୟରେ ୩୭୮ ଜଣ ପ୍ରାଣହରାଇଛନ୍ତି ଓ ୪୯୨ ଜଣ ଆହତ ହୋଇଥିଲେ । ୨୦୨୩ ମସିହା ୭୬୭ ଦୁର୍ଘଟଣାରେ ୩୯୨ ଜଣ ପ୍ରାଣ ହରାଇଛନ୍ତି । ୨୦୨୪ ମସିହାରେ ୬୯୮ ଦୁର୍ଘଟଣା କେନ୍ଦୁଝର ଜିଲ୍ଳାରେ ଘଟିଛି । ସେଥିମଧ୍ୟରୁ ୩୮୩ ଜଣ ପ୍ରାଣ ହରାଇଛନ୍ତି । ୨୦୨୫ ମସିହାରେ ୭୩୧ ଦୁର୍ଘଟଣାରେ ୪୨୩ ପ୍ରାଣ ହରାଇଛନ୍ତି । ୨୦୨୬ ମସିହାରେ ଅଗଷ୍ଟ ମାସ ସୁଦ୍ଧା ୪୫୬ଟି ଦୁର୍ଘଟଣାରେ ୨୮୪ ଜଣ ପ୍ରାଣ ହରାଇଥିବା ରିପୋର୍ଟ ମିଳିଛି ।
ସୌଜନ୍ୟ ପ୍ରମେୟ




