Odisha flood : ବନ୍ୟା କଷ୍ଟକୁ ବଳିଯାଉଛି ଡଙ୍ଗା ଭଡ଼ା, ନିରବଦ୍ରଷ୍ଟା ଆଳି ବ୍ଲକ୍ ପ୍ରଶାସନ

ଆଳି,୩୦\୯ : ଆଳିରେ ସାମାନ୍ୟତମ ବନ୍ୟା ହେଲେ ଆଳି-ଗୋବିନ୍ଦପୁର ମୁଖ୍ୟ ରାସ୍ତାର ମାନପୁରଠାରୁ ଡିମିରିପାଳ ମଠ ନିକଟରେ ଥିବା ଘୋଷରା ନିକଟରେ ବନ୍ୟା ଜଳରେ ବୁଡ଼ିଯାଇ ପ୍ରଥମେ ଧୋୟାଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥାଏ । ଫଳରେ ଲୋକଙ୍କୁ ଏହି ସମୟରେ କାତ ଡଙ୍ଗାରେ ୮୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଦେଇ ଆଳି ସଦର ମହକୁମାକୁ ଯିବା ପାଇଁ ପଡ଼ିଥାଏ । ଚଳିତ ବର୍ଷ ୫ ଥର ବନ୍ୟା ଆସିବା ଫଳରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି । ବର୍ଷା ସିନା ଛାଡ଼ି ଯାଇଛି ହେଲେ ଏବେ ଗାଁରେ ପାଣି ଜମି ରହିଛି । ଏମିତି ଅବସ୍ଥାରେ ପିଢ଼ି ପରେ ପିଢ଼ି ବିତିଛି । ସରକାର ପରେ ସରକାର ବଦଳିଛି । ହେଲେ ବଦଳି ପାରିନି ଆଳି ଧୋୟାଞ୍ଚଳ ୧୦ ପଞ୍ଚାୟତ ଲୋକଙ୍କ ଭାଗ୍ୟ ।
ବନ୍ୟା ଆସିଲେ ସେମାନଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଏ । ପାନୀୟ ଜଳ, ଖାଦ୍ୟ, ଯାତାୟତ ପାଇଁ ଲୋକେ ହନ୍ତସନ୍ତ ହୋଇଥାନ୍ତି । ଜୀବନ ଜୀବିକାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା ସବୁ ଠପ୍ ହୋଇଯାଏ । ଏଥିରୁ ବାଦ୍ ପଡ଼ନ୍ତିନି ଗୃହପାଳିତ ପଶୁ । ସମସ୍ତ ଦିଗରୁ କ୍ଷତିଗ୍ରସ୍ତ ହୁଅନ୍ତି ଧୋୟାଞ୍ଚଳବାସୀ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ର ଖରସ୍ରୋତା ଓ କାଣୀ ନଦୀରେ ପଞ୍ଚମ ବନ୍ୟା ଯୋଗୁଁ ଗାଁ ଗଣ୍ଡା ଏବେ ପାଣି ଘେରରେ । ଲୋକମାନେ ଜଳବନ୍ଦୀ ହୋଇ ଜୀବନ କାଟୁଛନ୍ତି । ଆଳି ବ୍ଲକ୍ ୩୪ ପଞ୍ଚାୟତରୁ ୧୦ ପଞ୍ଚାୟତ ଧୋୟାଞ୍ଚଳ ଭାବେ ପରିଚିତ । ସାମାନ୍ୟ ବନ୍ୟା ଆସିଲେ ଏହି ୧୦ ପଞ୍ଚାୟତ ପ୍ରଥମେ ପ୍ରଭାବିତ ହୋଇଥାଏ । ବର୍ତ୍ତମାନ ମାନପୁର-ଗୋବିନ୍ଦପୁର ରାସ୍ତାରେ ୩ ଫୁଟ ଉଚ୍ଚରେ ବନ୍ୟା ପାଣି ଢେଉ ଖେଳୁଛି । ସରକାର ଓ ବ୍ଲକ୍ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ହେତୁ ଏଠାରେ ଲୋକେ ଯାତାୟାତ କରିବା ପାଇଁ ବେସରକାରୀ କାତ ଡଙ୍ଗା ଉପରେ ନିର୍ଭରଶୀଳ ।
ସୌଜନ୍ୟ ପ୍ରମେୟ




