ରାଜ୍ୟ

Bribe case : ୫୦୦ ଟଙ୍କା ଲାଞ୍ଚ ମାମଲାରେ ୨୩ ବର୍ଷ ପରେ ରାୟ, ଅବସରପ୍ରାପ୍ତ ରାଜସ୍ୱ କର୍ମଚାରୀଙ୍କୁ ବର୍ଷେ ଜେଲ୍‌

ରାଉରକେଲା, ୩୦/୯ : ୫୦୦ ଟଙ୍କାର ଲାଞ୍ଚ ମାମଲାରେ ୨୩ ବର୍ଷ ପରେ ବୃଦ୍ଧଙ୍କୁ ଜେଲ୍ । ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ମଙ୍ଗଳବାର ଏକ ଲାଞ୍ଚ ମାମଲାରେ ଏଭଳି ରାୟ ପ୍ରକାଶ ପାଇଛି । ରାଉରକେଲା ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ବିଭାଗର ପୂର୍ବତନ କନିଷ୍ଠ କିରାଣି ତଥା ଅବସରପ୍ରାପ୍ତ କର୍ମଚାରୀ କୁଞ୍ଜବିହାରୀ ଜେନା (୭୫)ଙ୍କୁ ଅଦାଲତ ଦୋଷୀସାବ୍ୟସ୍ତ କରି ବର୍ଷେ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ୫ ହଜାର ଟଙ୍କା ଜରିମାନା ଏବଂ ଅନାଦାୟ ସ୍ଥଳେ ଅଧିକ ୨ ମାସ୍‌ ଜେଲ୍‌ଦଣ୍ଡ ଭୋଗିବାକୁ କୋର୍ଟ ତାଙ୍କ ରାୟରେ ଆଦେଶ ଦେଇଛନ୍ତି । ଦୀର୍ଘ ୨୩ ବର୍ଷ ପରେ ମାମଲାର ରାୟ ଆସିଛି ।

ସୂଚନାନୁଯାୟୀ, ଏକ ଜମି ବିବାଦ ସମ୍ୱନ୍ଧୀୟ ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଜଣାଇବା ଏବଂ ମାମଲାରେ ସହଯୋଗ କରିବା ଆଳରେ ଶ୍ରୀ ଜେନା ଅଭିଯୋଗକାରୀଙ୍କଠାରୁ ୫୦୦ଟଙ୍କା ଲାଞ୍ଚ ଦାବି କରିଥିଲେ । ଏକ ଜୁସ୍‌ ଦୋକାନରେ ଲାଞ୍ଚ ବାବଦ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ କାବୁ କରିଥିଲା । ଏନେଇ ସମ୍ୱଲପୁର ଭିଜିଲାନ୍ସ ଥାନାରେ ୨୦୦୩ ଜୁନ୍‌ ୨୨ରେ ଏକ ମାମଲା ରୁଜୁ ହୋଇଥିଲା । ଭିଜିଲାନ୍ସ ବିଭାଗ ପକ୍ଷରୁ ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ୍ ହୋଇଥିଲା । ରାଉରକେଲା ଭିଜିଲାନ୍ସ  ୟୁନିଟ୍‌ର ତତ୍କାଳୀନ ଇନ୍ସପେକ୍ଟର ସ୍ୱରୂପ କୁମାର ପରିଡ଼ା ଏହାର ତଦନ୍ତ କରୁଥିଲେ । ସ୍ୱତନ୍ତ୍ର ପିପି ଶ୍ୟାମସୁନ୍ଦର ମିଶ୍ର ମାମଲା ପରିଚାଳନା କରିଥିବା ବେଳେ ସହକାରୀ ପିପି ସନ୍ଦୀପ ପଣ୍ଡା ସହଯୋଗ କରିଥିଲେ । ଶ୍ରୀ ଜେନା ଦୋଷୀସାବ୍ୟସ୍ତ ପରେ ତାଙ୍କ ପେନସନ ବନ୍ଦ ପାଇଁ ସମ୍ପୃକ୍ତ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ପଠାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଶ୍ରୀ ଜେନା ଏବେ ରାଉରକେଲାରେ ଘରଦ୍ୱାର କରି ରହୁଥିବା ଜଣାପଡ଼ିଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button