Class 9 new books : ବିଳମ୍ବରେ ଚେତିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ନବମ ଶ୍ରେଣୀ ନୂଆ ବହି ପାଇଁ ପ୍ରସ୍ତୁତି ଆରମ୍ଭ

କଟକ, ୩୦/୯ : ମାଧ୍ୟମିକ ଶିକ୍ଷାରେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଜାତୀୟ ନୂଆ ଶିକ୍ଷାନୀତି-୨୦୨୦ ଅନୁସାରେ ପାଠ୍ୟକ୍ରମ (ସିଲାବସ୍)ପ୍ରସ୍ତୁତ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପ୍ରଥମ ପର୍ଯ୍ୟାୟରେ ନବମ ଶ୍ରେଣୀ ପାଇଁ ସିଲାବସ୍ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛି । ଜାତୀୟ ଶିକ୍ଷା ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍ସିଇଆର୍ଟି)ର ସିଲାବସ୍ ଏବଂ ରାଜ୍ୟର ବିଭିନ୍ନ ଏକ୍ସପର୍ଟମାନଙ୍କୁ ନେଇ ବୋର୍ଡ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ପାଠ୍ୟ ଖସଡ଼ା ପ୍ରସ୍ତୁତ କରୁଛି । ସିଲାବସ୍ ଆଧାରରେ ପ୍ରଥମେ ନବମ ଶ୍ରେଣୀ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ । ନବମ ପାଠ୍ୟପୁସ୍ତକ ପ୍ରସ୍ତୁତ ହେବା ପରେ ଦଶମ ଶ୍ରେଣୀ ପାଇଁ ନୂଆ ସିଲାବସ୍ ଓ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ ବୋଲି ବୋର୍ଡର ଜଣେ ଅଧିକାରୀ କହିଛନ୍ତି । ଆସନ୍ତା ଶିକ୍ଷା ବର୍ଷରେ ନବମ ଶ୍ରେଣୀ ପିଲା ନୂତନ ପାଠ୍ୟପୁସ୍ତକରେ ପାଠ ପଢ଼ିବା ପାଇଁ ଲକ୍ଷ୍ୟ ଥିଲେ ହେଁ ବିଳମ୍ବରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଧାର୍ଯ୍ୟ ସମୟରେ ବା ମାର୍ଚ୍ଚ ଶେଷ ସୁଦ୍ଧା ସରିବା ନେଇ ଆଶଙ୍କା ରହିଛି ।
ଜାତୀୟ ଶିକ୍ଷାନୀତିରେ ମାଧ୍ୟମିକ ଶିକ୍ଷାରେ ଅନେକ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ନବମ ଶ୍ରେଣୀରେ ଧନ୍ଦାମୂଳକ ଶିକ୍ଷା(ଭୋକେସନାଲ୍)ଇଚ୍ଛାଧୀନ ବିଷୟ ଥିଲା । ମାତ୍ର ନୂଆ ନୀତିରେ ତାହା ବାଧ୍ୟତାମୂଳକ ବିଷୟ ହୋଇଛି । ସେହିପରି ଆର୍ଟ ଏଜୁକେସନ ଓ ଫିଜିକାଲ ଏଜୁକେସନ ମଧ୍ୟ ବାଧ୍ୟମୂଳକ କରାଯାଇଛି । ସିବିଏସ୍ଇର ନବମ ଓ ଦଶମ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଆଧାରରେ ନୂଆ ସିଲାବସ୍ ରହିଥିବାରୁ ଓଡ଼ିଶା ଶିକ୍ଷା ବ୍ୟବସ୍ଥାରେ ନବମ ଓ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ମଧ୍ୟ ଉକ୍ତ ତିନୋଟି ବିଷୟ ବଢ଼ିଛି । ନୂଆ ସିଲାବସ୍ ପ୍ରଚଳନ ହେଲେ ନବମ ଶ୍ରେଣୀର ମୋଟ ପରୀକ୍ଷା ନମ୍ବର ୬ ଶହରୁ ୯ ଶହକୁ ବୃଦ୍ଧି ପାଇବ । ଏଣୁ ଆସନ୍ତା ଶିକ୍ଷା ବର୍ଷ ବେଳକୁ ନବମ ବିଦ୍ୟାର୍ଥୀ ୯ ଶହ ନମ୍ବରର ପରୀକ୍ଷା ଦେବେ ।
ସୌଜନ୍ୟ ପ୍ରମେୟ




