Redbull: ରେଡ୍ ବୁଲ୍କୁ ବଡ଼ ଆଶ୍ୱସ୍ତି: ଲେଖିପାରିବ ‘ଏନର୍ଜି ଡ୍ରିଙ୍କ’
ବିଶ୍ୱପ୍ରସିଦ୍ଧ ପାନୀୟ କମ୍ପାନୀ 'ରେଡ୍ ବୁଲ୍'କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଉତ୍ପାଦରୁ "Energy Drink" (ଏନର୍ଜି ଡ୍ରିଙ୍କ) ଶବ୍ଦ ହଟାଇବା ପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ପାନୀୟ କମ୍ପାନୀ ‘ରେଡ୍ ବୁଲ୍’କୁ ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଉତ୍ପାଦରୁ “Energy Drink” (ଏନର୍ଜି ଡ୍ରିଙ୍କ) ଶବ୍ଦ ହଟାଇବା ପାଇଁ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ଦେଇଥିବା ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଜଷ୍ଟିସ୍ ଅମିତ ମହାଜନଙ୍କ ଖଣ୍ଡପୀଠ ରେଡ୍ ବୁଲ୍ର ଆବେଦନ ଉପରେ ଶୁଣାଣି କରି FSSAIର ଗତ ଜୁନ୍ ୩୦ ତାରିଖର ନିର୍ଦ୍ଦେଶକୁ ଖାରଜ କରିଛନ୍ତି। କୋର୍ଟ ନିଜ ରାୟରେ କହିଛନ୍ତି ଯେ, ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ କମ୍ପାନୀକୁ ନିଜର ପକ୍ଷ ରଖିବା ପାଇଁ କୌଣସି କାରଣ ଦର୍ଶାଅ ନୋଟିସ୍ ଦିଆଯାଇ ନଥିଲା। ଏହା ନିୟମର ଉଲ୍ଲଂଘନ ଅଟେ।
କମ୍ପାନୀ ପକ୍ଷରୁ କୋର୍ଟରେ ଯୁକ୍ତି ଦର୍ଶାଯାଇଥିଲା ଯେ, ସେମାନେ ୨୦୦୨ ମସିହାରୁ ଭାରତରେ ‘ଏନର୍ଜି ଡ୍ରିଙ୍କ’ ଶବ୍ଦ ବ୍ୟବହାର କରିଆସୁଛନ୍ତି ଏବଂ ଏଫଏସଏସଏଆଇ ନିକଟରୁ ଏଥିପାଇଁ ଆବଶ୍ୟକୀୟ ଲାଇସେନ୍ସ ଓ ଅନୁମୋଦନ ମଧ୍ୟ ରହିଛି। ମାତ୍ର ଏଫଏସଏସଏଆଇ ବିନା କୌଣସି ପୂର୍ବ ସୂଚନାରେ ସିଧାସଳଖ ନିର୍ଦ୍ଦେଶ ଜାରି କରିଥିଲା।
ତେବେ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, କେବଳ ଆଇନଗତ ପ୍ରକ୍ରିୟାକୁ ନେଇ ଏହି ଆଦେଶ ରଦ୍ଦ କରାଯାଇଛି। ‘ଏନର୍ଜି ଡ୍ରିଙ୍କ’ ଶବ୍ଦର ବ୍ୟବହାର ଉପରେ କୌଣସି ଅନ୍ତିମ ନିଷ୍ପତ୍ତି ଦିଆଯାଇ ନାହିଁ। ଏଫଏସଏସଏଆଇ ଚାହିଁଲେ ନିୟମାନୁସାରେ ରେଡ୍ ବୁଲ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରି, କମ୍ପାନୀର ପକ୍ଷ ଶୁଣିବା ପରେ ପୁନର୍ବାର ନୂଆ ନିଷ୍ପତ୍ତି ନେଇପାରିବ।
ସୌଜନ୍ୟ ସମ୍ବାଦ




