International experience: ପୁରୁଷଙ୍କ ପରେ ମହିଳାଙ୍କ ଅନ୍ତର୍ଜାତୀୟ ଅଭିଜ୍ଞତା ପର୍ବ: ଜୁଲି ଓ ପ୍ୟାରୀଙ୍କୁ ମିଳିପାରେ ସୁଯୋଗ
ଭାରତୀୟ ମହିଳା ଫୁଟବଲ୍ ଦଳ ପାଇଁ ଆସନ୍ତା ଦୁଇ ଦିନ ଐତିହାସିକ ହେବାକୁ ଯାଉଛି। ‘ବ୍ଲୁ ଟାଇଗ୍ରିସ୍’ ଭାବେ ପରିଚିତ ଭାରତୀୟ ଦଳ ଚଳିତ ଅକ୍ଟୋବର ୮ ଅର୍ଥାତ୍ ଗୁରୁବାର ଏବଂ ୧୧ ତାରିଖରେ କୋଲକାତାର କିଶୋର ଭାରତୀ କ୍ରୀଡ଼ାଙ୍ଗନରେ ରୁଷିଆ...

କୋଲକାତା: ଭାରତୀୟ ମହିଳା ଫୁଟବଲ୍ ଦଳ ପାଇଁ ଆସନ୍ତା ଦୁଇ ଦିନ ଐତିହାସିକ ହେବାକୁ ଯାଉଛି। ‘ବ୍ଲୁ ଟାଇଗ୍ରିସ୍’ ଭାବେ ପରିଚିତ ଭାରତୀୟ ଦଳ ଚଳିତ ଅକ୍ଟୋବର ୮ ଅର୍ଥାତ୍ ଗୁରୁବାର ଏବଂ ୧୧ ତାରିଖରେ କୋଲକାତାର କିଶୋର ଭାରତୀ କ୍ରୀଡ଼ାଙ୍ଗନରେ ରୁଷିଆ ବିପକ୍ଷରେ ଦୁଇଟି ଅନ୍ତର୍ଜାତୀୟ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ୍ ଖେଳିବ। ଏହି ଦୁଇ ମ୍ୟାଚ୍ ଭାରତୀୟ ମହିଳା ଦଳର କୋଲକାତାରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ହେବ। ଭାରତୀୟ ମହିଳା ଖେଳାଳିମାନେ ମଧ୍ୟ ପୁରୁଷ ଦଳ ଭଳି ଅନ୍ତର୍ଜାତୀୟ ଅଭିଜ୍ଞତା ଅର୍ଜନ କରିବେ। ସଂପ୍ରତି ଭାରତ ବିଶ୍ବମାନ୍ୟତାର ୬୯ତମ ସ୍ଥାନରେ ଥିବାବେଳେ ରୁଷିଆ ୨୭ତମ ସ୍ଥାନରେ ରହିଛି। ତେଣୁ ଏହି ଶୃଙ୍ଖଳା ଭାରତ ପାଇଁ ଉଚ୍ଚସ୍ତରୀୟ ୟୁରୋପୀୟ ଦଳ ବିପକ୍ଷରେ ନିଜ ଶକ୍ତି ପରୀକ୍ଷା କରିବାର ଏକ ବଡ଼ ସୁଯୋଗ।
ରୁଷିଆ ବିପକ୍ଷରେ ୨ଟି ମ୍ୟାଚ୍ ଖେଳିବ ଭାରତୀୟ ମହିଳା ଫୁଟବଲ ଦଳ, ଜୁଲି ଓ ପ୍ୟାରୀଙ୍କୁ ମିଳିପାରେ ସୁଯୋଗ
ଗତ ଜୁନ୍ରେ ରେକର୍ଡ ଷଷ୍ଠ ଥର ପାଇଁ ସାଫ୍ ମହିଳା ଚାମ୍ପିଅନସିପ୍ ଜିତିବା ପରେ ଏହା ଭାରତୀୟ ମହିଳା ଦଳର ପ୍ରଥମ ଅନ୍ତର୍ଜାତୀୟ ଅଭିଯାନ ହେବ। ରୁଷିଆ ବିପକ୍ଷ ସିରିଜ୍ରେ ଭାରତୀୟ ଦଳର କିଛି ଯୁବ ଖେଳାଳିଙ୍କ ପାଇଁ ମଧ୍ୟ ନିଜକୁ ପ୍ରମାଣ କରିବାର ସୁଯୋଗ ରହିଛି। ଗୋଲକିପର୍ ନନ୍ଦିନୀ ଓ ଫରୱାର୍ଡ ଶିବାନୀ ଦେବୀ ନୋଙ୍ଗମେଇକାପମ୍ ଜାତୀୟ ବରିଷ୍ଠ ଦଳରେ ନିଜର ପ୍ରଥମ ଅଭିଜ୍ଞତା ପାଇବା ଆଶାରେ ଅଛନ୍ତି। ପୂର୍ବ ରେକର୍ଡ ଅନୁସାରେ ରୁଷିଆ ଓ ଭାରତୀୟ ମହିଳା ଦଳ ପୂର୍ବରୁ ଦୁଇଥର ମୁହାଁମୁହିଁ ହୋଇଛନ୍ତି ଏବଂ ଦୁଇଥର ଯାକ ଭାରତ ପରାଜିତ ହୋଇଛି। ୨୦୨୧ରେ ଟର୍କିସ୍ ଓମେନ୍ସ କପ୍ରେ ଭାରତ ୦-୮ରେ ହାରିଥିବା ବେଳେ ୨୦୨୫ର ପିଙ୍କ୍ ଲେଡିଜ୍ କପ୍ରେ ରୁଷିଆ ୨-୦ରେ ବିଜୟୀ ହୋଇଥିଲା। ଏହି ଶୃଙ୍ଖଳା ପାଇଁ ଥିବା ସମ୍ଭାବ୍ୟ ଭାରତୀୟ ଦଳରେ ଓଡ଼ିଶାର ଜୁଲି କିଶାନ ଓ ପ୍ୟାରୀ ଖାଖା ରହିଛନ୍ତି। ଏଣୁ ସେମାନେ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହିଛି। ଏମାନେ ସୁଯୋଗ ପାଇଲେ ଓଡ଼ିଶା ଫୁଟବଲ୍ରେ ମଧ୍ୟ ନୂଆ ଅଧ୍ୟାୟ ସାମିଲ ହେବ। ଉଭୟ ସାଫ୍ ଚାମ୍ପିଅନସିପ୍ ଜିତିଥିବା ଭାରତୀୟ ଦଳର ମଧ୍ୟ ସଦସ୍ୟ ଥିବାରୁ ରୁଷିଆ ବିପକ୍ଷ ମ୍ୟାଚ୍ରେ ଉଭୟ ଖେଳିବାର ସମ୍ଭାବନା ଅଧିକ ରହିଛି।
ସୌଜନ୍ୟ ସମ୍ବାଦ




