Judgement: ସିଇସି ଜ୍ଞାନେଶ କୁମାରଙ୍କ ନିଯୁକ୍ତିକୁ ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ: ସୁଖବୀର ସିଂହ ସାନ୍ଧୁ-ବିବେକ ଯୋଶୀଙ୍କ ନିଯୁକ୍ତି ଉପରେ ମଧ୍ୟ ପ୍ରଶ୍ନ
ମୁଖ୍ୟ ନିର୍ବାଚନ କମିସନର୍ ଜ୍ଞାନେଶ କୁମାରଙ୍କ ସମେତ ନିର୍ବାଚନ କମିସନର୍ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ନିଯୁକ୍ତିକୁ ଆଜି ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆବେଦନକାରୀ ସୂରୀ ପାୟଲାଙ୍କ ପକ୍ଷରୁ ସମ୍ବିଧାନର ଧାରା ୩୨ ଅନୁଯାୟୀ ଏହି ରିଟ୍ ପିଟିସନ ଦାଖଲ ହୋଇଛି।

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର୍ ଜ୍ଞାନେଶ କୁମାରଙ୍କ ସମେତ ନିର୍ବାଚନ କମିସନର୍ ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ନିଯୁକ୍ତିକୁ ଆଜି ସୁପ୍ରିମ୍କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆବେଦନକାରୀ ସୂରୀ ପାୟଲାଙ୍କ ପକ୍ଷରୁ ସମ୍ବିଧାନର ଧାରା ୩୨ ଅନୁଯାୟୀ ଏହି ରିଟ୍ ପିଟିସନ ଦାଖଲ ହୋଇଛି। ୨୦୨୩ରେ ପ୍ରଣୀତ ମୁଖ୍ୟ ନିର୍ବାଚନ କମିସନର୍ ଓ ଅନ୍ୟ ନିର୍ବାଚନ କମିସନର୍ ନିଯୁକ୍ତି, ସେବା ସର୍ତ୍ତ ଓ କାର୍ଯ୍ୟକାଳ ଆଇନରେ ଥିବା ପ୍ରକ୍ରିୟା ଅନୁସରଣ କରାଯାଇ ନଥିବା ଆବେଦନରେ ଅଭିଯୋଗ କରାଯାଇଛି।
ଆବେଦନରେ ଜ୍ଞାନେଶ କୁମାର, ସୁଖବୀର ସିଂହ ସାନ୍ଧୁ ଓ ବିବେକ ଯୋଶୀଙ୍କ ବିରୋଧରେ ‘କ୍ୱୋ ୱାରଣ୍ଟୋ’ ରିଟ୍ ଜାରି କରିବାକୁ ଦାବି କରାଯାଇଛି। ଅର୍ଥାତ୍ ସେମାନେ କେଉଁ ଆଇନଗତ ଅଧିକାରରେ ସାମ୍ବିଧାନିକ ପଦରେ ରହିଛନ୍ତି, ତାହାର ପ୍ରମାଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ଚାହିଛନ୍ତି। ନିଯୁକ୍ତି ଆଇନସମ୍ମତ ନୁହେଁ ବୋଲି କୋର୍ଟ ନିଷ୍କର୍ଷରେ ପହଞ୍ଚିଲେ ପଦଗୁଡ଼ିକୁ ଖାଲି ଘୋଷଣା କରିବାକୁ ମଧ୍ୟ ଦାବି ହୋଇଛି।
୨୦୨୪ର ନିଯୁକ୍ତି ପ୍ରକ୍ରିୟାକୁ ନେଇ ଆପତ୍ତି
ଆବେଦନରେ ୨୦୨୪ ମାର୍ଚ୍ଚ ୧୪ ତାରିଖର ଅଧିସୂଚନାକୁ ଚ୍ୟାଲେଞ୍ଜ କରାଯାଇଛି। ଏହି ଅଧିସୂଚନା ମାଧ୍ୟମରେ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁଙ୍କୁ ନିର୍ବାଚନ କମିସନର୍ ନିଯୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ଦାବି ଅନୁଯାୟୀ, ଦୁଇଟି ପଦ ଖାଲି ଥିବାବେଳେ ଆଇନ ଅନୁସାରେ ପ୍ରତ୍ୟେକ ପଦ ପାଇଁ ୫ ଜଣଙ୍କ ନାମ ଥିବା ପ୍ୟାନେଲ୍ ହେବା କଥା। ଅର୍ଥାତ୍ ମୋଟ ୧୦ ଜଣଙ୍କ ନାମ ରହିବା ଆବଶ୍ୟକ ଥିଲା। କିନ୍ତୁ ସର୍ଚ୍ଚ କମିଟି ମାତ୍ର ୬ଟି ନାମ ସୁପାରିସ କରିଥିବା ଆବେଦନରେ ଦର୍ଶାଯାଇଛି। ଏହି ପ୍ରସଙ୍ଗରେ ୨୦୨୪ ମାର୍ଚ୍ଚ ୨୨ର ସୁପ୍ରିମ୍କୋର୍ଟ ଆଦେଶକୁ ମଧ୍ୟ ଆବେଦନକାରୀ ଉଲ୍ଲେଖ କରିଛନ୍ତି। ଦୁଇଟି ଖାଲି ପଦ ପାଇଁ ୧୦ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାମ ଥିବା ଆବଶ୍ୟକ ବୋଲି ସେତେବେଳେ କୋର୍ଟ ପ୍ରାଥମିକ ଭାବେ କହିଥିବା ଦାବି କରାଯାଇଛି। ନିଯୁକ୍ତି ପ୍ରକ୍ରିୟାକୁ ତରବରିଆ ନକରି ଚୟନ କମିଟିର ସଦସ୍ୟମାନଙ୍କୁ ପ୍ରାର୍ଥୀଙ୍କ ସମ୍ପୂର୍ଣ୍ଣ ତଥ୍ୟ ଆଗୁଆ ଦେବା ଉଚିତ ବୋଲି ମଧ୍ୟ କୋର୍ଟ ମତ ଦେଇଥିଲେ।
ନିର୍ବାଚନ ସମ୍ପର୍କିତ ଅଭିଜ୍ଞତା ନେଇ ପ୍ରଶ୍ନ
୨୦୨୩ ଆଇନର ଧାରା ୫ ଅନୁଯାୟୀ ନିର୍ବାଚନ କମିସନର୍ ପଦ ପାଇଁ କେନ୍ଦ୍ର ସରକାରର ସଚିବ ପାହ୍ୟାରେ ଥିବା କିମ୍ବା ରହିଥିବା ଅଧିକାରୀଙ୍କ ସହ ନିର୍ବାଚନ ପରିଚାଳନା ଓ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ଓ ଅଭିଜ୍ଞତା ଥିବା ଆବଶ୍ୟକ ବୋଲି ଆବେଦନରେ ଦର୍ଶାଯାଇଛି। ଜ୍ଞାନେଶ କୁମାର ଓ ସାନ୍ଧୁଙ୍କ ସରକାରୀ ରେକର୍ଡରେ ନିର୍ବାଚନ ପରିଚାଳନା ସହ ସିଧାସଳଖ ଜଡ଼ିତ କୌଣସି ଦାୟିତ୍ୱ ଦେଖାଯାଉ ନଥିବା ଆବେଦନକାରୀ ଦାବି କରିଛନ୍ତି। ସେମାନେ କୌଣସି ଜିଲ୍ଲା ନିର୍ବାଚନ ଅଧିକାରୀ ଦାୟିତ୍ବରେ ମଧ୍ୟ ନ ଥିଲେ।
ସୌଜନ୍ୟ ସମ୍ବାଦ




