Nana Patekar: ଦିନକୁ ୬୦ ସିଗାରେଟ୍ ଟାଣୁଥିଲେ ନାନା, ରାତାରାତି କିପରି ଛାଡିଲେ ଅଭ୍ୟାସ ? ଜାଣନ୍ତୁ କିଛି ଅଜଣା କଥା…

ମୁମ୍ବାଇ,୦୯/୧୦; ଆଜି ଯାଏ ଯେଉଁ ଫିଟ୍ନେସ୍ ପାଇଁ ନାନା ପ୍ରଶଂସା ସାଉଁଟୁଥିଲେ, ସେପର୍ଯ୍ୟନ୍ତ ପହଞ୍ଚିବା ତାଙ୍କ ପାଇଁ ଆଦୌ ସହଜ ନ ଥିଲା । ପ୍ରଥମରୁ ଫିଟ୍ନେସ୍ ପ୍ରତି ତାଙ୍କର ଏଭଳି ଚିନ୍ତାଧାରା ନ ଥିଲା । ୨୦୧୫ରେ ଏକ ସାକ୍ଷାତକାରରେ ସେ କହିଥିଲେ, ତାଙ୍କୁ ସିଗାରେଟ ଏକ ପ୍ରକାର ନିଶା ହୋଇଯାଇଥିଲା । ଦିନକୁ ପ୍ରାୟ ୬୦ ସିଗାରେଟ୍ ସେ ଟାଣୁଥିଲେ । ୫୬ ବର୍ଷ ବୟସ ଯାଏ ତାଙ୍କର ଏହି ଅଭ୍ୟାସ ଥିଲା । କିନ୍ତୁ ଏକ ଘଟଣା ତାଙ୍କୁ ଭିତରୁ ଭାଙ୍ଗିଦେଲା । ତାଙ୍କର ଜଣେ ଅତି ଘନିଷ୍ଠ ପାରିବାରିକ ବନ୍ଧୁ ନିଜର ପୁଅକୁ ହରାଇଦେଲେ । ଏହି ଘଟଣା ନାନାଙ୍କୁ ଖୁବ୍ ପ୍ରଭାବିତ କଲା । ପୁଅକୁ ହରାଇବା ଦୁଃଖରେ ବନ୍ଧୁପତ୍ନୀଙ୍କୁ ଭାଙ୍ଗିପଡ଼ିବାର ସେ ଦେଖିଥିଲେ । ଦିନେ ନାନା ନିଜେ କାଶୁଥିବାର ଦେଖି ବନ୍ଧୁପତ୍ନୀ ଏମିତି କଥା କହିଲେ, ଯାହା ତାଙ୍କୁ ଭାଙ୍ଗିଦେଲା । ସେହି ଦିନ ନାନା ଧୂମପାନ ଛାଡ଼ିବାକୁ ନିଷ୍ପତ୍ତି ନେଲେ ଏବଂ ଆଉ କେବେ ସିଗାରେଟ୍ ଛୁଇଁଲେ ନାହିଁ । ଧୀରେ ଧୀରେ ବ୍ୟାୟାମ ଓ ଫିଟ୍ନେସ୍ ସହ ନିଜକୁ ଯୋଡ଼ିଲେ ।
କାରଗିଲରେ ୬୦ ଦିନ- ନାନା କେବଳ ଜଣେ ଉତ୍କୃଷ୍ଟ ଅଭିନେତା ନ ଥିଲେ । ପ୍ରକୃତ ନାଗରିକ ଓ ଦେଶପ୍ରେମୀ ଥିଲେ । ସର୍ବଦା ଦେଶହିତ କଥା କହୁଥିଲେ ଓ ସେଥିପାଇଁ କାମ କରୁଥିଲେ । ଅନେକ ସ୍ମରଣୀୟ ଚରିତ୍ର ଜରିଆରେ ଖ୍ୟାତି ଲାଭ କରିଥିବା ନାନା ଦେଶସେବାରେ ନିଜକୁ ଉତ୍ସର୍ଗ କରିଥିଲେ । ଭାରତୀୟ ପ୍ରାଦେଶିକ ସେନାରେ ସେ ଯୋଗ ଦେଇଥିଲେ । କାରଗିଲ ଯୁଦ୍ଧରେ ଆଗଧାଡ଼ିର ଯୋଦ୍ଧା ଥିଲେ । କାରଗିଲ ଯୁଦ୍ଧ ସମୟରେ ନାନା ଅଭିନୟରୁ ବିରତି ନେଇ ଲାଇଟ୍ ଇନ୍ଫାଣ୍ଟ୍ରି ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ । ଏକ ସାକ୍ଷାତକାରରେ ସେ କାଗରିଲ ଯୁଦ୍ଧର ଏକ କାହାଣୀ ବାଣ୍ଟିଥିଲେ । କହିଥିଲେ ‘ସେତେବେଳେ ଫର୍ନାଣ୍ଡିସ ସାହାବ ରକ୍ଷା ମନ୍ତ୍ରୀ ଥିଲେ । ମୁଁ ଯୁଦ୍ଧରେ ଭର୍ତ୍ତି ହେବାକୁ ଚାହୁଁଥିଲି । କମାଣ୍ଡୋ ପାଠ୍ୟକ୍ରମ ପୂରା କରିଥିଲି । ଭଲ ଶୁଟର୍ ଥିଲି । ଜାତୀୟ ସ୍ତରରେ ଖେଳିଛି । ମୋତେ ପଦକ ବି ମିଳିଛି । ଯୁଦ୍ଧ ସମୟରେ ଫର୍ନାଣ୍ଡିସ ସାହାବଙ୍କୁ ଫୋନ୍ରେ ଏ କଥା କହିବାରୁ ସେ ମୋତେ ପଚାରିଲେ କେବେ ଯିବ ? ମୁଁ କହିଲି, ଏବେ । ତା’ପରେ ଚାଲିଗଲି ଯୁଦ୍ଧକୁ । କ୍ୱିକ୍ ରିଆକ୍ସନ୍ ଟିମ୍ର ସଦସ୍ୟ ହେଲି । ଏତିକି ତ ମୁଁ ଦେଶ ପାଇଁ କରିପାରିବି । ଆମର ସବୁଠୁ ବଡ଼ ଅସ୍ତ୍ର ବୋଫୋର୍ସ କି ଏକେ-୪୭ ନୁହେଁ, ବରଂ ଆମ ଯବାନ ।’
ସୌଜନ୍ୟ ପ୍ରମେୟ




