Protest: ସିଇସି ବିରୋଧୀ ଆନ୍ଦୋଳନ; ବିଭିନ୍ନ ଅଭିଯୋଗ ପାଇଁ ୨୭ ଏତଲା ରୁଜୁ କଲା ଦିଲ୍ଲୀ ପୁଲିସ
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ଗତ ଅକ୍ଟୋବର ୨ ତାରିଖରୁ ବିରୋଧୀ ଦଳ ନେତାମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ସମୟରେ ମହିଳା ପୁଲିସ ଅଫିସର୍ ଏବଂ ମହିଳାଙ୍କ ଉପରେ ଆକ୍ରମଣ, ଯୌନ ନିର୍ଯାତନା...

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ଗତ ଅକ୍ଟୋବର ୨ ତାରିଖରୁ ବିରୋଧୀ ଦଳ ନେତାମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ସମୟରେ ମହିଳା ପୁଲିସ ଅଫିସର୍ ଏବଂ ମହିଳାଙ୍କ ଉପରେ ଆକ୍ରମଣ, ଯୌନ ନିର୍ଯାତନା ଏବଂ ସରକାରୀ କର୍ମଚାରୀଙ୍କ କାମରେ ବାଧା ସୃଷ୍ଟି କରିବା ଭଳି ଅଭିଯୋଗ ସମେତ ଅନ୍ୟାନ୍ୟ କାରଣ ପାଇଁ ଦିଲ୍ଲୀ ପୁଲିସ ୨୭ଟି ଏତଲା ରୁଜୁ କରିଛି । ଆନ୍ଦୋଳନକାରୀଙ୍କ ବିରୋଧରେ ୬ ଥାନାରେ ଏହି ଏତଲା ରୁଜୁ ହୋଇଛି।
ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ଧରି ଦିଲ୍ଲୀରେ ଆନ୍ଦୋଳନ ଜୋରଦାର ହୋଇଛି। ଏହି ସମୟରେ ମହିଳାଙ୍କ ବିରୋଧରେ ଅପରାଧିକ ଶକ୍ତି ବ୍ୟବହାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମଧ୍ୟ ହୋଇଛି। ଦିଲ୍ଲୀ ପୁଲିସ ସୂତ୍ର ଅନୁଯାୟୀ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଅନ୍ୟ ନେତାମାନେ ସେମାନଙ୍କ ଆନ୍ଦୋଳନ ସମୟରେ ସରକାରୀ କର୍ମଚାରୀଙ୍କ ପାଇଁ ବାଧା ସୃଷ୍ଟି କରିବାରୁ ସେମାନଙ୍କ ବିରୋଧରେ ୫ଟି ଏତଲା ରୁଜୁ ହୋଇଛି।
ଆନ୍ଦୋଳନରେ ସାମିଲ ହୋଇଥିବା ଅନ୍ୟ ବରିଷ୍ଠ କଂଗ୍ରେସ ନେତା ଏବଂ ଦଳୀୟ କର୍ମୀମାନଙ୍କ ନାଁ ମଧ୍ୟ ଏତଲାରେ ରହିଛି। ପୁଲିସ କହିଛି ଯେ ସେମାନେ ଏକାଧିକ ମୋବାଇଲ ଫୋନ୍ ଭିଡିଓ ଯାଞ୍ଚ କରିଛନ୍ତି ଯେଉଁଥିରେ ମହିଳା ପୁଲିସ ଅଫିସର୍ ଏବଂ କନେଷ୍ଟବଳଙ୍କ ଉପରେ ଆକ୍ରମଣ କରାଯାଉଛି। ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରିବାପାଇଁ ଏହି ଭିଡିଓକୁ ଭଲଭାବେ ପରୀକ୍ଷା କରାଯାଉଛି।
ସୌଜନ୍ୟ ସମ୍ବାଦ




