ଦେଶ ବିଦେଶ

Panchasakha Shiksha Setu ପଞ୍ଚସଖା ଶିକ୍ଷା ସେତୁ: ୨୯ ଜିଲ୍ଲାରେ ୭.୭୩ କୋଟି ଟଙ୍କାର ୭୦୭ଟି ପ୍ରକଳ୍ପକୁ ମଞ୍ଜୁରି

ପଞ୍ଚସଖା ଶିକ୍ଷା ସେତୁ ଅଧୀନରେ ଓଡ଼ିଶାର ୨୯ ଜିଲ୍ଲାରେ ୭.୭୩ କୋଟି ଟଙ୍କାର ୭୦୭ଟି ବିଦ୍ୟାଳୟ ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଶ୍ରେଣୀଗୃହ ମରାମତି, ପାନୀୟ ଜଳ ଓ ଭିତ୍ତିଭୂମି ବିକାଶ ହେବ।

ଭୁବନେଶ୍ୱର: ପୁରାତନ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଓ ସାମୂହିକ ସହଯୋଗ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ବିକାଶ ସହ ଶିକ୍ଷାର ଗୁଣାତ୍ମକ ଉନ୍ନତିକୁ ଅଧିକ ଗତିଶୀଳ କରିବା ଲକ୍ଷ୍ୟରେ ପଞ୍ଚସଖା ଶିକ୍ଷା ସେତୁର ଷଷ୍ଠ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ୨୯ଟି ଜିଲ୍ଲାରେ ବିଭିନ୍ନ ବିଦ୍ୟାଳୟର ଉନ୍ନତି ପାଇଁ ମୋଟ ୭. ୭୩ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରି ମିଳିଛି।

ବିଦ୍ୟାଳୟ ସହ ପୁରାତନ ଛାତ୍ରଛାତ୍ରୀଙ୍କ ସମ୍ପର୍କକୁ ସୁଦୃଢ଼ କରିବା ସହ ସେମାନଙ୍କ ଅବଦାନକୁ ବିଦ୍ୟାଳୟର ବିକାଶରେ ବିନିଯୋଗ କରିବା ଦିଗରେ ପଞ୍ଚସଖା ଶିକ୍ଷା ସେତୁ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିଛି। ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି, ବୁଦ୍ଧିଜୀବୀ ଓ ବିଭିନ୍ନ ଅନୁଷ୍ଠାନର ସହଯୋଗରେ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକ ଭିତ୍ତିଭୂମିର ବିକାଶ ହେବା ସହ ଶିକ୍ଷା ପରିବେଶକୁ ଅଧିକ ସୁଦୃଢ଼ କରିବାର ପ୍ରୟାସ ଜାରି ରହିଛି ।

ଚଳିତ ବୈଠକରେ ବିଦ୍ୟାଳୟଗୁଡ଼ିକର ଉନ୍ନତି ପାଇଁ ପୁରାତନ ଛାତ୍ରଛାତ୍ରୀ, ଅଭିଭାବକ, ପରିଚାଳନା କମିଟି ସଦସ୍ୟ ଓ ସ୍ଥାନୀୟ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ପକ୍ଷରୁ ମୋଟ ୨ କୋଟି ୫୭ ଲକ୍ଷ ୯୦ ହଜାର ୮୧୦ ଟଙ୍କାର ଆର୍ଥିକ ଅବଦାନ ମିଳିଛି । ଏହି ଅବଦାନ ସହ ପଞ୍ଚସଖା ଶିକ୍ଷା ସେତୁ ପକ୍ଷରୁ ଦୁଇଗୁଣା ଅନୁଦାନକୁ ମିଶାଇ ମୋଟ ୭ କୋଟି ୭୩ ଲକ୍ଷ ୭୨ ହଜାର ୪୩୦ ଟଙ୍କାର ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି ।

ଏହାଦ୍ୱାରା ସମାଜର ସାମୂହିକ ସହଯୋଗକୁ ଶିକ୍ଷାର ବିକାଶରେ ଉପଯୋଗ କରାଯାଇ ବିଦ୍ୟାଳୟଗୁଡ଼ିକର ବିକାଶ ହୋଇପାରିବ। ମଞ୍ଜୁରିପ୍ରାପ୍ତ ପ୍ରକଳ୍ପଗୁଡ଼ିକ ମାଧ୍ୟମରେ ବିଦ୍ୟାଳୟର ଶ୍ରେଣୀଗୃହ ମରାମତି, ପାନୀୟ ଜଳ ବ୍ୟବସ୍ଥାର ଉନ୍ନତି, ପାଚେରି ନିର୍ମାଣ, ବିଦ୍ୟାଳୟ ପରିସରର ସୌନ୍ଦର୍ଯ୍ୟକରଣ, ଫାଟକ ନିର୍ମାଣ, ସାଇକେଲ ଷ୍ଟାଣ୍ଡ ସ୍ଥାପନ ଏବଂ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମିର ରକ୍ଷଣାବେକ୍ଷଣ କରାଯିବ । ଏହି ପଦକ୍ଷେପଗୁଡ଼ିକ ବିଦ୍ୟାଳୟ ପରିବେଶକୁ ଅଧିକ ସୁରକ୍ଷିତ, ସୁନ୍ଦର ଓ ଶିକ୍ଷା ଅନୁକୂଳ କରିବା ସହ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଶିକ୍ଷଣ ପରିବେଶ ସୃଷ୍ଟି କରିବ ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button