ବରଗଡ଼: ଓଡ଼ିଶାର ଅନ୍ୟତମ ପ୍ରସିଦ୍ଧ ଧନୁଯାତ୍ରାର ୭୮ତମ ସଂସ୍କାର ଜାନୁଆରି ୧୨ରୁ ଆରମ୍ଭ ହେବ। ତେବେ ଚଳିତ ଧନୁଯାତ୍ରାରେ କଂସ କିଏ ହେବ ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି।
ଆଜି (ମଙ୍ଗଳବାର) ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଉପଦେଷ୍ଟା କମିଟି ଓ କାର୍ଯ୍ୟକାରୀ କମିଟିର ବୈଠକ ଅନୁଷ୍ଠିତ ହୋଇଥିଲା। ଧନୁଯାତ୍ରା ୨୦୨୬-୨୭ ଜାନୁଆରୀ ୧୨ ରୁ ୨୨ ତାରିଖ ଯାଏଁ ଆୟୋଜନ କରିବା ପାଇଁ ଧାର୍ଯ୍ୟ କରାଯାଇଛି। ଏହା ବ୍ୟତୀତ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ତଥା ମହାନାୟକ କଂସ ଭୂମିକା ପାଇଁ କଳାକାର ଚୟନ ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ, ତର୍କସଙ୍ଗତ ଏବଂ ଉଚିତ ସାଂସ୍କୃତିକ ପ୍ରଣାଳୀ ଅନୁସରଣ କରି ଆସନ୍ତା ୧୫ ଦିନ ମଧ୍ୟରେ ସମ୍ପାଦନ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ବୈଠକରୁ ମିଳିଥିବା ସୂଚନା ଅନୁସାରେ, ୨୦୨୪-୨୫ ଆର୍ଥିକ ବର୍ଷ ସୁଦ୍ଧା ୨,୧୩,୩୧,୨୩୯ ଟଙ୍କାର ବଳକା ପାଣ୍ଠି ରହିଛି। ୨୦୨୫-୨୬ ବର୍ଷ ପାଇଁ ମୋଟ ୩,୫୦,୮୭,୮୧୬ ଟଙ୍କା ଖର୍ଚ୍ଚ ହୋଇଛି। ଏହି ସମୀକ୍ଷା ସହିତ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ଯେ ଏଥର ଧନୁଯାତ୍ରା ଶେଷ ହେବାର ୩୦ ଦିନ ମଧ୍ୟରେ ବିଭିନ୍ନ କମିଟି ଏବଂ ସେଗୁଡ଼ିକର ଆବାହକମାନେ ସେମାନଙ୍କର ସମସ୍ତ ଖର୍ଚ୍ଚ ହିସାବ ସମିତି ନିକଟରେ ଦାଖଲ କରିବେ।