Medicine pricing: କ୍ୟାନ୍ସର ଔଷଧରେ ୩୦%ରୁ ଅଧିକ ଲାଭ ଉପରେ ରୋକ,ଅନ୍ୟ ଔଷଧ ଉପରେ କାହିଁକି ନୁହେଁ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୪ \୧୦: କ୍ୟାନ୍ସର ଔଷଧ ଉପରେ ଲାଭକୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ସୀମିତ କରିବାକୁ ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ସରକାରଙ୍କ ଏହି ପଦକ୍ଷେପ ଉପରେ ଖୁସି ହେବା ଭଳି କିଛି ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅଦାଲତ ପଚାରିଛନ୍ତି, ଯଦି କ୍ୟାନ୍ସର ଔଷଧ ଉପରେ ମାର୍ଜିନ୍ ସ୍ଥିର ହୋଇପାରୁଛି ତେବେ ଅନ୍ୟ ଔଷଧର ମୂଲ୍ୟକୁ କାହିଁକି ନିୟନ୍ତ୍ରଣ କରାଯାଉନି? କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ, କ୍ୟାନ୍ସର ଔଷଧ ଉପରେ ଲାଭର ସୀମା ସ୍ଥିର କରିବା ଦ୍ୱାରା ରୋଗୀଙ୍କ ବାର୍ଷିକ ପ୍ରାୟ ୨,୫୦୦ କୋଟି ଟଙ୍କା ବଞ୍ଚିବାର ସମ୍ଭାବନା ରହିଛି । ଏହି ମୂଲ୍ୟ ନିର୍ଦ୍ଧାରଣ ଦ୍ୱାରା କ୍ୟାନ୍ସର ଔଷଧର ଏମ୍ଆରପି ୨୦%ରୁ ୭୦% ପର୍ଯ୍ୟନ୍ତ ହ୍ରାସ ପାଇପାରେ । ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ (ଏନ୍ପିପିଏ) ଗତ ୮ ତାରିଖରେ ଅନୁଷ୍ଠିତ ଏକ ବୈଠକରେ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସରକାର ଏହି ନିୟମାବଳୀ ଅନ୍ତର୍ଭୂକ୍ତ ହେବାକୁ ଥିବା କ୍ୟାନ୍ସର ଔଷଧଗୁଡ଼ିକୁ ଚିହ୍ନଟ କରିବେ ଏବଂ ବଜାର ସ୍ଥିତି ତଥା ଜନସାଧାରଣଙ୍କ ଆବଶ୍ୟକତା ଆଧାରରେ ପରବର୍ତ୍ତୀ ସମୟରେ ନୂଆ ଔଷଧ ଯୋଡ଼ାଯିବ ।
ସୌଜନ୍ୟ ପ୍ରମେୟ




