Braja Mohan Ram: ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ, ମୋଦିଙ୍କ କଲ୍କୁ ବାରମ୍ବାର କାଟୁଥିଲେ ବ୍ରଜମୋହନ

ଭୁବନେଶ୍ବର,୧୫\୧୦: ଝାଡ଼ଖଣ୍ଡର ବିଜେପି ନେତା ବ୍ରଜମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି । ରାଜ୍ୟପାଳ ଭାବେ ନିଯୁକ୍ତ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସହ କଥା ହେବାକୁ ଚାହୁଁଥିଲେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବ୍ରଜମୋହନଙ୍କୁ ବାରମ୍ବାର ଫୋନ୍ କଲ୍ ଗଲା । କିନ୍ତୁ ପ୍ରାଇଭେଟ୍ ନମ୍ବର ଦେଖି ସେ ଫୋନ୍ ଉଠାଇଲେ ନାହିଁ । ଶେଷରେ ଯେତେବେଳେ ସେ ଫୋନ୍ ଉଠାଇଲେ, ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇଲେ ।
ବ୍ରଜମୋହନ ୟୁଟ୍ୟୁବ୍ ଚ୍ୟାନେଲ ‘ଦ ଫଲୋଅପ୍’ ସହ ବାର୍ତ୍ତାଳାପରେ ମୋଦିଙ୍କ ସହ ଫୋନରେ ଆଲୋଚନାର ପୂରା କାହାଣୀ ବର୍ଣ୍ଣନା କରିଛନ୍ତି । କହିଛନ୍ତି, କୌଣସି ଦଳର ନମ୍ବର ହୋଇଥିବ ଭାବି ସେ ପିଏମ୍ଓର ଫୋନ୍ କଲ୍ ଉଠାଉନଥିଲେ । ତା’ପରେ ଅନ୍ୟ ଏକ ନମ୍ବରରୁ କଲ୍ ଆସିଲା । ଆରପଟୁ ଜଣେ କହିଲେ, ସାର୍ ପ୍ରଧାନମନ୍ତ୍ରୀ ଆପଣଙ୍କ ସହ କଥା ହେବେ । ମୁଁ ପିଏମ୍ଓରୁ କହୁଛି । ବ୍ରଜମୋହନ କଥା କରାନ୍ତୁ ବୋଲି କହିବାରୁ ସେ କହିଲେ, ଆପଣ ବାରମ୍ବାର କଲ୍ କାଟି ଦେଉଛନ୍ତି । ଅନ୍ୟ ନମ୍ବରରୁ କଲ୍ କରୁଛୁ, ଉଠାନ୍ତୁ । ଏହା ପରେ ପ୍ରାଇଭେଟ୍ ନମ୍ବରରୁ ଫୋନ୍ ଆସିଲା । ବ୍ରଜମୋହନ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ । ମୋଦିଙ୍କ ପ୍ରଥମ ଶବ୍ଦ ଥିଲା- ‘ଜୋହାର’ । ତା’ପରେ ସେ ବ୍ରଜମୋହନଙ୍କୁ ହାଲଚାଲ୍ ପଚାରିଲେ । ସଂଗଠନରେ ତାଙ୍କ ଦାୟିତ୍ୱ ବିଷୟରେ ବି ପଚାରିଲେ । ଦୁଇ-ଚାରି ଦିନ ଭିତରେ ସରକାରରେ ଦାୟିତ୍ୱ ଦିଆଯିବ ବୋଲି ମୋଦି କହିଲେ । ଔପଚାରିକ ଫୋନ୍ କଲ୍ ନ ଆସିବା ଯାଏ, ଏହାକୁ ଗୁପ୍ତ ରଖିବାକୁ କହିଲେ ।
ସୌଜନ୍ୟ ପ୍ରମେୟ




