ରାଜ୍ୟ

BIS : ବିଆଇଏସ୍‌ ପକ୍ଷରୁ ବିଶ୍ୱ ମାନକ ଦିବସ, ଅକ୍ଷୟ ଶକ୍ତି ଲାଗି ସ୍ୱଦେଶୀ ଟେକ୍ନୋଲୋଜି ଲୋଡ଼ା

ଭୁବନେଶ୍ୱର,୧୫\୧୦: ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡସ (ବିଆଇଏସ୍) ଭୁବନେଶ୍ୱର ଶାଖା ପକ୍ଷରୁ କିଟ୍ ବିଶ୍ୱବିଦ୍ୟାଳୟଠାରେ ବିଶ୍ୱ ମାନକ ଦିବସ ୨୦୨୬ ପାଳିତ ହୋଇଯାଇଛି । ଗୁଣବତ୍ତା, ସୁରକ୍ଷା, ଶକ୍ତି ଦକ୍ଷତା ଓ ସ୍ଥାୟୀ ବିକାଶକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏଭଳି ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ମିଳିତ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ-୭ (ଏସଡିଜି-୭) ଅର୍ଥାତ ସ୍ୱଚ୍ଛ ଓ ସୁଲଭ ଶକ୍ତି ଉପରେ କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ ଲିମିଟେଡ (ଓପିଜିସି)ର ପରିଚାଳନା ନିର୍ଦ୍ଦେଶକ କେଦାର ରଞ୍ଜନ ପାଣ୍ଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଅକ୍ଷୟ ଶକ୍ତି ବ୍ୟବହାର ବୃଦ୍ଧି ଲାଗି ସ୍ୱଦେଶୀ ଜ୍ଞାନକୌଶଳର ବିକାଶ ଓ ସ୍ଥାନୀୟକରଣ ଲୋଡ଼ା । ଶକ୍ତି ଓ ଅନ୍ୟାନ୍ୟ ସମ୍ବଳର ଦକ୍ଷ ଉପଯୋଗ ସହ ମାନକ ପ୍ରସ୍ତୁତି ବେଳେ ଖର୍ଚ୍ଚ, ସୁଲଭତା ଓ ଉପଲବ୍ଧତାକୁ ଧ୍ୟାନ ଦେବାକୁ ହେବ ।

ବିଆଇଏସ୍ ଭୁବନେଶ୍ୱର ଶାଖା ମୁଖ୍ୟ ଏକେ ପୁରୋହିତ କହିଲେ, ଉତ୍ପାଦର ଗୁଣବତ୍ତା, ଗ୍ରାହକଙ୍କ ସୁରକ୍ଷା ଓ ସ୍ଥାୟୀ ବିକାଶ ପାଇଁ ମାନକୀକରଣ ଅତ୍ୟନ୍ତ ଜରୁରୀ । ବିଆଇଏସ୍ ପୂର୍ବାଞ୍ଚଳ କାର୍ଯ୍ୟାଳୟର ଉପମହାନିର୍ଦ୍ଦେଶକ ତଥା ବୈଜ୍ଞାନିକ ଡ.ମୀନାକ୍ଷୀ ଗଣେଶନ ଦେଶର ଗୁଣବତ୍ତା ସଂସ୍କୃତିକୁ ମଜଭୁତ କରିବା ଲାଗି ସରକାର, ଶିଳ୍ପ ସଂସ୍ଥା, ଶିକ୍ଷାନୁଷ୍ଠାନ ଓ ଉପଭୋକ୍ତା ସଙ୍ଗଠନଗୁଡିକର ସମନ୍ୱିତ ପ୍ରୟାସ ଉପରେ ଜୋର ଦେଇଥିଲେ । କିଟ୍ ର କୁଳପତି ପ୍ରଫେସର ଡ. ସରଣଜିତ ସିଂହ ଅନୁଷ୍ଠାନର ସବୁଜ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ଟାଟା ଷ୍ଟିଲର ମୁଖ୍ୟ ବୈଜ୍ଞାନିକ ସେବା ଅଧିକାରୀ ତନ୍ମୟ ଭଟ୍ଟାଚାର୍ଯ୍ୟ, ଆଇକ୍ୟୁଇଏମ୍ଏସ୍ ର ମୁଖ୍ୟ ବୈଜ୍ଞାନିକ ସେବା ଅଧିକାରୀ ସୁବ୍ରତ ପାଣିଗ୍ରାହୀଙ୍କ ସମେତ ଅଲ୍ଟ୍ରାଟେକ ସିମେଣ୍ଟ ଏବଂ ଓପିଜିସିର ବିଶେଷଜ୍ଞମାନେ ଅକ୍ଷୟ ଶକ୍ତି ଉପରେ ଏକ ବୈଷୟିକ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଉପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button