ରାଜ୍ୟ

Defence Technology: DRDOର ‘କ୍ୱାଣ୍ଟମ୍ ଲକ୍’ର ପରୀକ୍ଷଣ ସଫଳ, ଏଣିକି ଅସ୍ତ୍ର ପରୀକ୍ଷାର ଗୋପନୀୟ ତଥ୍ୟ ସୁରକ୍ଷିତ ରହିବ

ବାଲେଶ୍ୱର,୧୫/୧୦: ଭାରତର ପ୍ରତିରକ୍ଷା କ୍ଷେତ୍ରରେ  ସାଇବର ସୁରକ୍ଷାକୁ ଅଧିକ ମଜଭୁତ  କରିବା ଦିଗରେ ବୁଧବାର ଏକ ବଡ଼  ସଫଳତା ହାସଲ କରିଛି ପ୍ରତିରକ୍ଷା  ଗବେଷଣା ଓ ବିକାଶ ସଂଗଠନ  (ଡିଆର୍‌ଡିଓ) । ବାଲେଶ୍ୱର  ଜିଲ୍ଲା ଚାନ୍ଦିପୁରସ୍ଥିତ ପ୍ରୁଫ୍‌ ଆଣ୍ଡ୍‌  ଏକ୍ସପେରିମେଣ୍ଟାଲ୍‌ ଏଷ୍ଟାବ୍ଲିସମେଣ୍ଟ୍‌  (ପିଏକ୍ସଇ)ରେ ଅସ୍ତ୍ର ପରୀକ୍ଷଣ  ସମୟରେ ବ୍ୟବହୃତ ନେଟୱର୍କରେ  ଏକ ଅତ୍ୟାଧୁନିକ କ୍ୱାଣ୍ଟମ୍‌ ସୁରକ୍ଷା  ପ୍ରଯୁକ୍ତି (କ୍ୱାଣ୍ଟମ୍‌ ଲକ୍‌)ର ସଫଳ  ପରୀକ୍ଷଣ କରାଯାଇଛି । ଏହି  ପ୍ରଯୁକ୍ତି ଯୁଦ୍ଧାସ୍ତ୍ର ପରୀକ୍ଷଣ ସମ୍ପର୍କିତ  ସମ୍ବେଦନଶୀଳ ତଥ୍ୟକୁ ସୁରକ୍ଷିତ  ରଖିବା ସହ ଅନଧୀକୃତ ଭାବେ  ତଥ୍ୟ ହାସଲ କରିବା ଉଦ୍ୟମକୁ  ଚିହ୍ନଟ କରିବାରେ ସହାୟକ ହେବ ।

ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି,  ଚାନ୍ଦିପୁରର ଡାଇନାମିକ୍‌ ଟେଷ୍ଟ୍‌  ରେଞ୍ଜର ସକ୍ରିୟ ନେଟୱର୍କରେ  କ୍ୱାଣ୍ଟମ ଲକ୍‌ ବା କ୍ୱାଣ୍ଟମ୍‌ କି  ଡିଷ୍ଟ୍ରିବ୍ୟୁସନ୍‌(କ୍ୟୁକେଡି) ପ୍ଲାଟଫର୍ମକୁ  ସଫଳତାର ସହ ସଂଯୋଗ ଓ  ପରୀକ୍ଷଣ କରାଯାଇଛି । ଏହା ଦ୍ୱାରା  ଅସ୍ତ୍ର ପରୀକ୍ଷଣ ସମୟରେ ସଂଗୃହୀତ  ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ରିଅଲ୍‌ ଟାଇମ୍‌  ଟେଲିମେଟ୍ରିକୁ ସୁରକ୍ଷିତ ରଖିବାର  ସମ୍ଭାବନା ପ୍ରମାଣିତ ହୋଇଛି ।

କ୍ୱାଣ୍ଟମ୍‌ ଲକ୍‌ ସାଧାରଣତଃ  ଉପଗ୍ରହ ଓ ଭୂ-ଷ୍ଟେସନ୍‌  ମଧ୍ୟରେ ତଥା ବିଭିନ୍ନ ଉପଗ୍ରହ ମଧ୍ୟରେ ଯୋଗାଯୋଗ ପ୍ରଦର୍ଶନ କରିଥାଏ । ଏହା ଭାରତୀୟ  ପ୍ରତିରକ୍ଷା ବିଭାଗର ସମସ୍ତ ତଥ୍ୟକୁ ଗୋପନ ରଖିବା ସହ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ  କରିଥାଏ । ଏହା ବ୍ୟତୀତ ଅନ୍ୟ ଦ୍ୱାରା ତଥ୍ୟ ଚୋରି ଚିହ୍ନଟ କରିବାର ମଧ୍ୟ କ୍ଷମତା ରଖିଛି ।  ବିଶେଷ କରି କ୍ୱାଣ୍ଟମ୍‌ ଲକ୍‌ ଟେଲିମେଟ୍ରିର ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛି । ଟେଲିମେଟ୍ରି  ହେଉଛି ପରୀକ୍ଷଣ ସମୟରେ ସେନ୍‌ସର ଦ୍ୱାରା ପଠାଯାଉଥିବା ତଥ୍ୟର ପ୍ରବାହ । ଗୁଳି ବା  କ୍ଷେପଣାସ୍ତ୍ରର ଗତି, ଗତିପଥ ଏବଂ ଲକ୍ଷ୍ୟସ୍ଥଳରେ ଆଘାତର ସ୍ଥାନକୁ ତଥ୍ୟର ପ୍ରବାହରେ  ସାମିଲ କରାଯାଏ । ଏହି ତଥ୍ୟରୁ ଅସ୍ତ୍ରଶସ୍ତ୍ରର କାର୍ଯ୍ୟଦକ୍ଷତା ବିଷୟରେ ଜଣାପଡ଼େ । ମାତ୍ର  ଏବେ କ୍ୱାଣ୍ଟମ୍‌ ଲକ୍‌ ଦ୍ୱାରା ଉପରୋକ୍ତ ତଥ୍ୟଗୁଡ଼ିକର ଆଉ ସୂଚନା ମିଳିବନି ।

ଚାନ୍ଦିପୁରସ୍ଥିତ ପିଏକ୍ସଇର ପରିସର ଉପକୂଳବର୍ତ୍ତୀ ଅଞ୍ଚଳରେ ୫୦ କିମି ଓ  ସମୁଦ୍ର  ଭିତରକୁ ୫୦ କିମି ପର୍ଯ୍ୟନ୍ତ ବିସ୍ତୃତ । ଏହି କାରଣରୁ ଏଠାରେ ତୋପ, ଗୁଳିଗୋଳା,  ରକେଟ୍‌ ଏବଂ ସାମରିକ ସୁରକ୍ଷା କବଚ କ୍ଷମତା ଓ କାର୍ଯ୍ୟଦକ୍ଷତା ପରୀକ୍ଷା କରାଯାଏ ।  ଏହାକୁ ଦୃଷ୍ଟିରେ ରଖି କ୍ୱାଣ୍ଟମ୍‌ ଲକ୍‌ର ଉନ୍ନତ ସଂସ୍କରଣକୁ ଏଠାରେ ପରୀକ୍ଷା କରାଯିବାକୁ ଡିଆର୍‌ଡିଓ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ପରୀକ୍ଷଣ ସମୟରେ ସମସ୍ତ ପାରାମିଟର୍‌କୁ  ଏହା ପୂରଣ କରିଥିଲା ।  ସାମରିକ ନେଟୱର୍କଗୁଡ଼ିକୁ କ୍ୱାଣ୍ଟମ୍‌-ପ୍ରୁଫ୍‌ ବା କ୍ୱାଣ୍ଟମ୍‌ ଆକ୍ରମଣରୁ ସୁରକ୍ଷିତ କରିବା ପାଇଁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଚାଲିଛି । ଏଥିପାଇଁ  ଭାରତ ୬ ହଜାର ୩ କୋଟି ଟଙ୍କାରେ ‘ଜାତୀୟ କ୍ୱାଣ୍ଟମ୍‌ ମିଶନ୍‌’ କରିଛି । ୨୦୩୦-୩୧  ସୁଦ୍ଧା ଦୁଇ ହଜାର କିମି ପର୍ଯ୍ୟନ୍ତ ଉପଗ୍ରହ-ଆଧାରିତ ସୁରକ୍ଷିତ କ୍ୱାଣ୍ଟମ୍‌ ଲ’ ପ୍ରସ୍ତୁତ  କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହିକ୍ରମରେ ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ ମଧ୍ୟ  ଏହା ଉପରେ ଗୁରୁତ୍ୱ ଦିଆଯିବା ସହ ଉକ୍ତ ପ୍ରଦକ୍ଷେପ ହାତକୁ ନିଆଯାଇଛି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button