ବାରବାଟୀ ଫୁଡ୍ କୋର୍ଟର ବିକଳ ଚିତ୍ର: କୁକୁର ଖାଉଛନ୍ତି ଅଇଁଠା, ଗୋରୁଙ୍କ କବ୍ଜାରେ ପାର୍କିଂ, ୪ ମାସ ପରେ ବି ପରିଚାଳନା କରିବାରେ KMC କର୍ତ୍ତୃପକ୍ଷ ଫେଲ୍

କଟକ,୧୫/୧୦: ଯେଉଁଠି ଲୋକମାନେ ଖାଉଛନ୍ତି ସେଠାରେ କୁକୁର ବି ଖାଉଛି । ଲୋକମାନେ ଛାଡ଼ି ଯାଉଥିବା ଅଇଁଠାପତ୍ରକୁ ମାଳ ମାଳ କୁକୁର ଟେବୁଲ୍ ଉପରେ ଚଢ଼ି ଖାଉଛନ୍ତି । ଫଳରେ ଲୋକମାନେ ଟେବୁଲ୍ ଥିଲେ ବି ଏଣେତେଣେ ଛିଡ଼ା ହୋଇ ଖାଇବାକୁ ବାଧ୍ୟ ହେଉଛନ୍ତି । କେବଳ ସେତିକି ନୁହେଁ, ଦୋକାନରୁ ବାହାରୁଥିବା ଆବର୍ଜନା ବି ଦୁଇ ତିନି ଦିନ ପର୍ଯ୍ୟନ୍ତ ପଡ଼ି ଦୁର୍ଗନ୍ଧରେ ନାକ ଫାଟୁଛି । ଏସବୁ ଭିତରେ ଗୋରୁପଲଙ୍କ ଯୋଗୁଁ ପାର୍କିଂ ସ୍ଥାନ ଅସୁରକ୍ଷିତ ହୋଇପଡ଼ିଛି । ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି କଟକ ମହାନଗର ନିଗମ(କେଏମ୍ସି) ଦ୍ୱାରା ପରିଚାଳିତ ୬ କୋଟିର ଦାମୀ ବାରବାଟୀ ଫୁଡ୍ କୋର୍ଟରେ । ଉଦ୍ଘାଟନର ୪ମାସ ପରେ ଆଜି ପର୍ଯ୍ୟନ୍ତ ଏହାକୁ ପରିଚାଳନା କରିବାରେ ଅସମର୍ଥ ରହିଛନ୍ତି କେଏମ୍ସି କର୍ତ୍ତୃପକ୍ଷ । ଯାହାଦ୍ୱାରା ଅବ୍ୟବସ୍ଥା ପାଇଁ କଟକବାସୀଙ୍କ ପାଇଁ ତିଆରି ହୋଇଥିବା ଏହି ଫୁଡ୍ କୋର୍ଟ ଯିବାକୁ ଲୋକମାନେ ନାକ ଟେକିଲେଣି ।
କେଏମ୍ସି ଦ୍ୱାରା ସାଢ଼େ ୬ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଫୁଡ୍ କୋର୍ଟକୁ ଗତ ମେ’ ମାସରେ କାର୍ଯ୍ୟକ୍ଷମ କରାଯାଇଥିଲା । ଆବଣ୍ଟନ ପ୍ରକ୍ରିୟାକୁ ନେଇ ବିଭିନ୍ନ ପ୍ରକାରର ଅଭିଯୋଗ ସାମ୍ନାକୁ ଆସିବା ସହିତ ରାଜନୈତିକ ମୋଡ଼ ନେଇଥିଲା । ଏଥିରେ ୮୩ ଜଣଙ୍କୁ ଲଟେରୀ କରାଯାଇ ଦୋକାନ ଘର ଆବଣ୍ଟନ ହୋଇଥିଲା । ପ୍ରଥମ ଥର ପାଇଁ କଟକ ସହରରେ ଖୋଲିଥିବା ଏହି ଫୁଡ୍ କୋର୍ଟରେ ସଂଧ୍ୟା ବେଳେ ଖାଇବା ଅପେକ୍ଷା ଦିନବେଳା ମଧ୍ୟ କଲେଜ ଛାତ୍ରଛାତ୍ରୀଙ୍କ ଖଟି ପାଲଟିଥିଲା । ବିଶେଷକରି ରୁଫ୍ଟପ୍ ରେଷ୍ଟୁରାଣ୍ଟ୍ କାଫେର ବେଶ୍ ଆନନ୍ଦ ଉଠାଇଥିଲେ । କିନ୍ତୁ ଏବେ ଏହା ଅବ୍ୟବସ୍ଥା ଆଡ଼କୁ ଠେଲି ହେବାରେ ଲାଗିଛି । କାରଣ ଫୁଡ୍କୋର୍ଟ ପରିଚାଳନାକୁ ନେଇ ସ୍ୱତନ୍ତ୍ର ଏସ୍ଓପି ଜାରି ହୋଇଥିଲାବେଳେ ତାହା କେବଳ କାଗଜପତ୍ରରେ ସୀମିତ ରହିଥିବା ମନେ ହେଉଛି । ସମସ୍ତ ବ୍ୟବସାୟୀ ଡଷ୍ଟବିନ୍ ସହିତ ସ୍ୱଚ୍ଛତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ହୋଇଥିଲା। କିନ୍ତୁ ମାସ କେଇଟା ନ ପୂରୁଣୁ ତାହା ବିପର୍ଯ୍ୟସ୍ତ ହୋଇପଡ଼ିଛି । ବିଶେଷକରି ଅସ୍ୱସ୍ଥ୍ୟକର ପରିବେଶରେ ଖାଇବାକୁ ବାଧ୍ୟ ହେଉଛନ୍ତି ଲୋକେ । କୌଣସି ସୁରକ୍ଷା ବ୍ୟବସ୍ଥା ନ ଥିବାରୁ କୁକୁର ଓ ଗୋରୁ ପଲଙ୍କ ଉତ୍ପାତ ବଢ଼ିବାରେ ଲାଗିଛି । ଏ ନେଇ କମିସନର କିରନଦୀପ କୌର ସହୋତାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନ ଥିଲା ।
ସୌଜନ୍ୟ ପ୍ରମେୟ




