Rajnath Singh: ପାକିସ୍ତାନକୁ ରାଜନାଥଙ୍କ କଡ଼ା ଚେତାବନୀ ! କହିଲେ, ଶାନ୍ତିକୁ ଦୁର୍ବଳତା ଭାବନି

ନୂଆଦିଲ୍ଲୀ, ୧୫।୧୦: ‘ଟାଇମ୍ସ ନେଟୱର୍କ’ର ‘ନ୍ୟାସନାଲ ଡିଫେନ୍ସ କନକ୍ଲେଭ-୨୦୨୬’କୁ ସମ୍ବୋଧନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଭାରତ ସର୍ବଦା ଶାନ୍ତିର ପକ୍ଷାଧାରୀ ରହିଛି, କିନ୍ତୁ ଏହାକୁ ଆମର ଦୁର୍ବଳତା ବୋଲି ଭୁଲ୍ରେ ବି ଭାବନ୍ତୁନି । ଶାନ୍ତି ବଜାୟ ରଖିବା ପାଇଁ ଶକ୍ତି ଏବଂ ସାମର୍ଥ୍ୟ ଉଭୟର ଆବଶ୍ୟକତା ରହିଛି ।
‘ଆମେ ଆତଙ୍କବାଦର ଛାତି ଉପରେ ସିଧାସଳଖ ଆକ୍ରମଣ କରିଛୁ’
‘ଅପରେସନ ସିନ୍ଦୂର’ର ଉଲ୍ଲେଖ କରି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ ଏହି ସଂଘର୍ଷ ସମୟରେ ଭାରତୀୟ ସେନା ନିଜର ପରାକ୍ରମର ପରିଚୟ ଦେଇଛି । ପହଲଗାମ ଆକ୍ରମଣ ପରେ ଆମ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଇଥିଲା । ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ହେଲେ ପୂର୍ବ ସରକାରଗୁଡ଼ିକ ବିଶ୍ୱ ଦରବାରରେ କାନ୍ଦୁଥିଲେ, କିନ୍ତୁ ଆମେ ବର୍ତ୍ତମାନ କାନ୍ଦୁନାହୁଁ ବରଂ ଆତଙ୍କବାଦର ମୂଳପୋ କରୁଛୁ । ବର୍ତ୍ତମାନର ଯୁଦ୍ଧ କୌଶଳ ବଦଳି ଯାଇଛି ଏବଂ ଆମକୁ ହାଇପର ୱାର୍ ଫେୟାରର ପ୍ରତ୍ୟେକ ରୂପ ପାଇଁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି ରାଜନାଥ ସିଂହ ମତବ୍ୟକ୍ତ କରିଛନ୍ତି । ‘ଅପରେସନ ସିନ୍ଦୂର’ ସମୟରେ ଆକାଶ, ଆକାଶ ତୀର ଏବଂ ବ୍ରହ୍ମୋସ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହୃତ ହୋଇଛି । ଏହାର ସଫଳତା ଭାରତୀୟ ଶିଳ୍ପଗୁଡ଼ିକ ଉପରେ ଥିବା ଆସ୍ଥାର ଏକ ପ୍ରମାଣ ।
ସୌଜନ୍ୟ ପ୍ରମେୟ




