Asiad medal winners: ଏସିଆଡ୍ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାବାସୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସ୍ଥାନୀୟ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ୧୭ ବର୍ଷୀୟ ତୀରନ୍ଦାଜ କୁମକୁମ ମହୋଦ ତାଙ୍କୁ ଏକ ଧନୁ ଉପହାର...

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସ୍ଥାନୀୟ ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମରେ ଏସୀୟ କ୍ରୀଡ଼ାରେ ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ୧୭ ବର୍ଷୀୟ ତୀରନ୍ଦାଜ କୁମକୁମ ମହୋଦ ତାଙ୍କୁ ଏକ ଧନୁ ଉପହାର ଦେଇଥିବା ବେଳେ ଅନ୍ୟ ଖେଳାଳିମାନେ ସ୍ୱାକ୍ଷରିତ ଜର୍ସି ସ୍ମାରକୀ ସ୍ବରୂପ ପ୍ରଦାନ କରିଥିଲେ।
ଏହି ଅବସରରେ ମୋଦୀ କହିଛନ୍ତି ଯେ ଖେଳାଳିମାନେ ୧୪୦ କୋଟି ଭାରତୀୟଙ୍କୁ ଗର୍ବିତ କରିଛନ୍ତି । ତ୍ରିରଙ୍ଗାକୁ ଉଚ୍ଚରେ ଉଡ଼ାଇବା ହିଁ ସବୁଠାରୁ ବଡ଼ ସଫଳତା। ତେଣୁ ଏହି ସଫଳତା କେବଳ ଖେଳାଳିଙ୍କର ନୁହେଁ, ସମଗ୍ର ଦେଶବାସୀଙ୍କର ବୋଲି ସେ କହିଛନ୍ତି। “ଭାରତବାସୀଙ୍କ ତରଫରୁ ମୁଁ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଉଛି। ଏହା ସହିତ ପ୍ରଶିକ୍ଷକ, ସହାୟକ କର୍ମଚାରୀ ଓ ପରିବାରଲୋକଙ୍କୁ ବି କୃତଜ୍ଞତା ଓ ଅଭିନନ୍ଦନ ଜଣାଉଛି’’ ବୋଲି ମୋଦୀ କହିଛନ୍ତି।
ଭାରତ ଏହି କ୍ରୀଡ଼ାରେ ୨୧ଟି ସ୍ୱର୍ଣ୍ଣ, ୨୭ ରୌପ୍ୟ ସହ ମୋଟ ୮୫ଟି ପଦକ ଜିତିଛି। ମହିଳା ଖେଳାଳିମାନେ ୩୮ଟି ପଦକ ଜିତିଥିବା ବେଳେ ସେଥିରେ ୧୧ଟି ସ୍ୱର୍ଣ୍ଣ ରହିଥିଲା। କ୍ରିକେଟ୍, ହକି ଓ ତୀରନ୍ଦାଜୀରେ ଭାରତର ପ୍ରଦର୍ଶନକୁ ମୋଦୀ ପ୍ରଶଂସା କରିଥିଲେ। କ୍ରିକେଟ୍ ଓ ହକିରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ସ୍ବର୍ଣ୍ଣ ଜିତିଛନ୍ତି। ସେହିପରି ତୀରନ୍ଦାଜମାନେ ୫ଟି ସ୍ୱର୍ଣ୍ଣପଦକ ଜିତିଛନ୍ତି।
ଏସୀୟ କ୍ରୀଡ଼ା ପ୍ରଦର୍ଶନକୁ ନେଇ କ୍ରୀଡ଼ାମନ୍ତ୍ରୀଙ୍କ ଅସନ୍ତୋଷ: ଖାଲି ମୀରାବାଈ ପଦକ ଜିତି ଚାଲିଥିବେ କି?
ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ ଦୌଡ଼କୁଦ, ବ୍ୟାଡମିଣ୍ଟନ, ଟେନିସ୍ ଆଦି ବିଭିନ୍ନ ଖେଳରେ ଭାରତର ନିମ୍ନମାନର ପ୍ରଦର୍ଶନକୁ ନେଇ ଗୁରୁବାର ସମୀକ୍ଷା କରାଯାଇଛି। କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭୀୟ ବିଭିନ୍ନ ଜାତୀୟ କ୍ରୀଡ଼ା ମହାସଂଘର ପ୍ରତିନିଧିଙ୍କ ସହ ବୈଠକ କରି ଖେଳାଳିଙ୍କ ପ୍ରଦର୍ଶନ ଓ ଆହତ ସମସ୍ୟା ଉପରେ ପ୍ରଶ୍ନ ଉଠାଇଛନ୍ତି। ଜାପାନର ଆଇଚି-ନାଗୋୟାରେ ପହଞ୍ଚିବା ପରେ କିଛି ଖେଳାଳି ଆହତ ହେବା ନେଇ ବି ସେ ପ୍ରଶ୍ନ କରିଛନ୍ତି। ଏହା ସହିତ କେତେକ ନାମୀ ଖେଳାଳିଙ୍କ ନିରାଶାଜନକ ପ୍ରଦର୍ଶନକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ଆଉ କେତେଦିନ ମୀରାବାଇ ଚାନୁ ପଦକ ଜିତିଚାଲିଥିବେ? ଦେଶକୁ ଆଉ ୧୦ ଜଣ ମୀରାବାଇ ଚାନୁ ଦରକାର। ପ୍ରତ୍ୟେକ ମହାସଂଘ ଖେଳାଳି ଚୟନ, ଉପଯୁକ୍ତ ପ୍ରଶିକ୍ଷଣ ଓ ଉଚ୍ଚସ୍ତରରେ ପହଞ୍ଚିବା ପାଇଁ ଆବଶ୍ୟକ ପରିବେଶ ସୃଷ୍ଟି ଦିଗରେ ଦାୟିତ୍ୱ ନେବା ଉଚିତ।’’ ଏହି ସମୀକ୍ଷା ବୈଠକରେ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ରକ୍ଷା ଖଡ଼ସେ, ଭାରତୀୟ ଅଲିମ୍ପିକ୍ ସଂଘର ଅଧ୍ୟକ୍ଷା ପି.ଟି. ଉଷା ଓ କ୍ରୀଡ଼ା ସଚିବ ହରି ରଞ୍ଜନ ରାଓ ଉପସ୍ଥିତ ଥିଲେ।
ସୌଜନ୍ୟ ସମ୍ବାଦ




