Hit and-Run Accident: ମଞ୍ଚେଶ୍ୱରରୁ ଡମଣା ସିରିଜ୍ ଦୁର୍ଘଟଣା ମାମଲା, ଜଣେ ମୃତ, କିଲର ଡ୍ରାଇଭର ଗିରଫ

ଭୁବନେଶ୍ୱର,୧୬/୧୦: ମଞ୍ଚେଶ୍ୱରରୁ ଡମଣା ସିରିଜ୍ ଦୁର୍ଘଟଣା ଘଟାଇବା ମାମଲାରେ ଗୁରୁତରମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି । ତାଙ୍କ ନାମ ଜୟନ୍ତ ମହାପାତ୍ର । ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରିଛି । ଦୁର୍ଘଟଣା ଘଟାଇଥିବା ଇଭି କାର୍କୁ ପୁଲିସ ଜବତ କରିବା ସହ କିଲର ଚାଳକକୁ ଗିରଫ କରିଛି । ତା’ ନାମ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ(୪୮) । ଘର କଟକ ବଡ଼ମ୍ବା । ସେ କଟକ ବାଦାମବାଡ଼ି ଝାଞ୍ଜିରମଙ୍ଗଳାରେ ରହୁଥିଲା ।
ଗତକାଲି ରାତି ୯ଟାବେଳେ ଅଭିଯୋଗକାରୀ ଅଟୋଚାଳକ ପରମାନନ୍ଦ ସାହୁ ଜୟଦେବବିହାର ଛକରୁ ଜୟନ୍ତ ମହାପାତ୍ରଙ୍କୁ ଅଟୋରେ ନେଇ ଆସୁଥିଲେ । ମଞ୍ଚେଶ୍ୱର ରେଳବାଇ ହସ୍ପିଟାଲ ସମ୍ମୁଖରେ ହଠାତ୍ ସମ୍ମୁଖରୁ ବେପରୁଆ ଭାବେ ଇଭି ଚଳାଇ ଆସୁଥିବା ପ୍ରକାଶ ଅଟୋକୁ ଧକ୍କା ଦେଇଥିଲା । ଜୟନ୍ତ ଏବଂ ପରମାନନ୍ଦ ରସ୍ତାରେ ଛିଟିକି ପଡ଼ିଥିଲେ । ଜୟନ୍ତଙ୍କ ଉପରେ କାର୍ ଚଢ଼ି ଯାଇଥିଲା । ତା’ ପରେ କାର୍ ଚାଳକ ଜଣଙ୍କ ସେଠାରେ ନ ଅଟକି ବାଟସାରା ଦୁର୍ଘଟଣା ଘଟାଇ ଚାଲିଥିଲା । ଡମଣା ଛକରେ ଦୁର୍ଘଟଣା ଘଟାଇ ଖସି ଯାଉଥିବା ବେଳେ ପିସିଆର ପୁଲିସ ଗାଡ଼ିକୁ ଅଟକାଇବାରେ ସକ୍ଷମ ହୋଇଥିଲା । ପୁଲିସ କାର୍ ସହ ଚାଳକ ପ୍ରକାଶଙ୍କୁ ଧରି ଚନ୍ଦ୍ରଶେଖରପୁର ଥାନାକୁ ନେଇ ଯାଇଥିଲା । ଜୟନ୍ତଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ବ୍ରେଥ୍ ଆନାଲାଇଜରରେ କାର ଚାଳକ ପ୍ରକାଶ ଅତ୍ୟଧିକ ମଦ୍ୟପାନ କରିଥିବା ଜଣା ପଡ଼ିଥିଲା । ଏନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ ମଧ୍ୟ ଏକ ମାମଲା ରୁଜୁ କରିଛି ।
ସୌଜନ୍ୟ ପ୍ରମେୟ




