ରାଜ୍ୟ

World Food Day : ଖାଦ୍ୟ ନୁହେଁ ତ ସ୍ଲୋ-ପଏଜନ, ପେଟକୁ ଯାଇ କ୍ୟାନସର କରୁଛି ରାସାୟନିକ ଓ ରଙ୍ଗମିଶା ଖାଦ୍ୟ

ଭୁବନେଶ୍ୱର, ୧୬/୧୦ : ଯାହା ଖାଉଛୁ ବିଷ । ଡାଲି, ଚାଉଳରୁ ନେଇ ପରିବା, ଫଳ, ପାଉଁରୁଟି, ଦୁଗ୍ଧ, ଛେନା, ପନିର, ସବୁଥିରେ ଅପମିଶ୍ରଣ । ସ୍ଲୋ-ପଏଜନ ଭଳି ଶରୀରକୁ ଚରିଯାଉଛି ଏହି ଖାଦ୍ୟ । ଯାହା ଭବିଷ୍ୟତରେ ଗ୍ୟାସ, ବଦହଜମି, ଲିଭର ସମସ୍ୟା ଭଳି ରୋଗ ଡାକୁଛି । ଗତ କିଛି ମାସ ହେବ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ନକଲି ପନିର ଓ ଛେନା ଧରପଗଡ଼ ଚାଲିଛି । ଏବେବି ପ୍ରତିଦିନ ସହରରେ ଛେନା, ପନିର ଜବତ ହେଉଛି । ମାତ୍ର ଏତେମାତ୍ରାରେ ନକଲି ଖାଦ୍ୟ କେଉଁଠୁ ଆସୁଛି ତାକୁ ନେଇ ପ୍ରଶ୍ନ ଉଠୁଛି । ଖାଦ୍ୟ ସୁରକ୍ଷା ବିଭାଗର ତଥ୍ୟ କହୁଛି, ଗଲା ୫ବର୍ଷରେ ଭୁବନେଶ୍ୱରରେ ବିଭିନ୍ନ ହୋଟେଲ, ମିଠା ଦୋକାନ, ରେସ୍ତୋରାଂ ଓ ଅନ୍ୟ ସ୍ଥାନରେ ଚଢ଼ଉ କରାଯାଇ ୬୨୩୮ଟି ନମୁନା ସଂଗ୍ରହ କରାଯାଇଛି । ଖାଦ୍ୟ ଅପମିଶ୍ରଣ ଅଭିଯୋଗରେ ୪୬୦ ଜଣ ଅପମିଶ୍ରଣକାରୀଙ୍କ ବିରୋଧରେ ମାମଲା ରୁଜୁ ବି ହୋଇଛି ।

ଖାଲି ସେତିକି ନୁହେଁ, ୫ଲକ୍ଷ ୪୦ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି । ଏଠୁ ସ୍ପଷ୍ଟ ଯେ ଖାଦ୍ୟ ସୁରକ୍ଷା ଆଇନକୁ ଦୃଷ୍ଟିରେ ରଖି ଅପମିଶ୍ରଣକାରୀଙ୍କ ବିରୋଧରେ କଠୋର ହେଉଛନ୍ତି ସରକାର । ହେଲେ ମାର ମାର ଭଣ୍ଡାରିଆକୁ ମାର ଭଳି କେବଳ ବେପାରୀଙ୍କ ପାଖରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଯାଉଛି । ଅପମିଶ୍ରଣର ମୂଳକୁ କେହି ଯାଇପାରୁନାହାନ୍ତି । ଭୁବନେଶ୍ୱରରେ ଏବେ ଖୋଲାଖୋଲି ଭାବେ ଟ୍ୟାଙ୍କରରେ କ୍ଷୀର ବିକ୍ରି ଚାଲିଛି । ବିକ୍ରେତାମାନେ କହୁଛନ୍ତି, ଏସବୁ କ୍ଷୀର ସେମାନଙ୍କ ଗୋପାଳନ ଫାର୍ମ ଓ ଆଖପାଖ ଗାଁରୁ ସଂଗ୍ରହ ହୋଇ ଆସୁଛି । ଏହି କ୍ଷୀରରୁ ହିଁ ଛେନା, ପନିର ଆଦି ତିଆରି କରାଯାଇ ବିକ୍ରି ଚାଲିଛି । ହେଲେ ଅସଲରେ ଏହି ଟ୍ୟାଙ୍କର କ୍ଷୀର ଓ ଅନ୍ୟାନ୍ୟ ସାମଗ୍ରୀର ଯାଞ୍ଚ ହେଉନାହିଁ । ଖାଲି ଛେନା କି ପନିର ନୁହେଁ, କଦଳି, ସେଓ, ଲିଚୁ ଠାରୁ ଆରମ୍ଭ କରି ବିଭିନ୍ନ ଶାଗ, ମାଛ, ଶୁଖୁଆକୁ ତାଜା ରଖିବା ପାଇଁ ରାସାୟନିକ ସହ ରଙ୍ଗ ମିଶାଯାଉଛି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button