Srinagar Durga Puja: ଶ୍ରୀନଗରର ଐତିହାସିକ ଲାଲ୍ଚୌକରେ ଦୁର୍ଗାପୂଜା ଶୋଭାଯାତ୍ରା, ଢୋଲର ତାଳେ ନାଚିଲେ ଶ୍ରଦ୍ଧାଳୁ
ଜମ୍ମୁ-କଶ୍ମୀରର ଶ୍ରୀନଗରସ୍ଥିତ ଐତିହାସିକ ଲାଲ୍ଚୌକରେ ଦୁର୍ଗାପୂଜା ଅବସରରେ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଛି। କଶ୍ମୀରରେ ରହୁଥିବା ବଙ୍ଗୀୟ ସମ୍ପ୍ରଦାୟର ଲୋକମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ମା’ ଦୁର୍ଗାଙ୍କୁ ବିଦାୟ ଦେଇଛନ୍ତି।

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରସ୍ଥିତ ଐତିହାସିକ ଲାଲ୍ଚୌକରେ ଦୁର୍ଗାପୂଜା ଅବସରରେ ଏକ ଭବ୍ୟ ଶୋଭାଯାତ୍ରା ଆୟୋଜିତ ହୋଇଛି। କଶ୍ମୀରରେ ରହୁଥିବା ବଙ୍ଗୀୟ ସମ୍ପ୍ରଦାୟର ଲୋକମାନେ ଏହି ଶୋଭାଯାତ୍ରାରେ ସାମିଲ ହୋଇ ମା’ ଦୁର୍ଗାଙ୍କୁ ବିଦାୟ ଦେଇଛନ୍ତି। ‘ଜୟ ମା’ ଦୁର୍ଗା’ ଧ୍ୱନିରେ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।
ଶାରଦୀୟ ନବରାତ୍ରି ଓ ବିଜୟାଦଶମୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୁରୁଷ ଓ ମହିଳାମାନେ ପାରମ୍ପରିକ ପୋଷାକ ପିନ୍ଧି ଢୋଲର ତାଳେ ତାଳେ ନୃତ୍ୟ କରିଥିଲେ। ବଙ୍ଗୀୟ ପରମ୍ପରା ଅନୁଯାୟୀ ସିନ୍ଦୂର ଖେଳା ମଧ୍ୟ ଅନୁଷ୍ଠିତ ହୋଇଥିଲା। ପାଞ୍ଚଦିନ ଧରି ଚାଲିଥିବା ଦୁର୍ଗୋତ୍ସବର ଶେଷ ଦିନରେ ଶ୍ରଦ୍ଧାଳୁମାନେ ଆନନ୍ଦ ଓ ଭାବବିହ୍ୱଳ ପରିବେଶରେ ଦେବୀଙ୍କୁ ବିଦାୟ ଜଣାଇଥିଲେ।
କଶ୍ମୀରରେ ଦୁର୍ଗାପୂଜା
ଐତିହାସିକ ଲାଲ୍ଚୌକର ଘଣ୍ଟାଘର ନିକଟରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରା ଆମିରା କଦଲ ଘାଟରେ ପହଞ୍ଚିଥିଲା। ସେଠାରେ ବୈଦିକ ମନ୍ତ୍ରୋଚ୍ଚାରଣ ଓ ଆଳତି ପରେ ପାରମ୍ପରିକ ବିଦାୟ ଗୀତ ମଧ୍ୟରେ ମା’ ଦୁର୍ଗାଙ୍କ ପ୍ରତିମାକୁ ଝେଲମ ନଦୀରେ ବିସର୍ଜନ କରାଯାଇଥିଲା।
ଏହି ଶୋଭାଯାତ୍ରା ସମୟରେ ଧାର୍ମିକ ସଦ୍ଭାବର ଏକ ଉଦାହରଣ ମଧ୍ୟ ଦେଖିବାକୁ ମିଳିଥିଲା। ମୁସଲମାନ ସମ୍ପ୍ରଦାୟର ଆଜାନ ସମୟରେ ସମ୍ମାନ ଜଣାଇ ଶୋଭାଯାତ୍ରାକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା। ଆଜାନ ଶେଷ ହେବା ପରେ ପୁଣି ଶୋଭାଯାତ୍ରା ଆଗକୁ ବଢ଼ିଥିଲା। ଏହି ପଦକ୍ଷେପ ଧାର୍ମିକ ସହିଷ୍ଣୁତା ଓ ପରସ୍ପର ପ୍ରତି ସମ୍ମାନର ବାର୍ତ୍ତା ଦେଇଥିଲା।
ସୌଜନ୍ୟ ସମ୍ବାଦ




