ୱାସିଂଟନ: ନୋବେଲ ଶାନ୍ତି ପୁରସ୍କାର ପାଇବାର ଆଶା ଧୂଳିସାତ୍ ହେବା ପରେ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ମାନଜନକ ପୁଲିଜର ପୁରସ୍କାର ପାଇଁ ନିଜକୁ ଯୋଗ୍ୟ ବୋଲି ଦାବି କରିଛନ୍ତି। ନିଜ ଲେଖା ପାଇଁ ତାଙ୍କୁ ପୁଲିଜର ପୁରସ୍କାର ମିଳିବା ଉଚିତ ଥିଲା ବୋଲି ସେ କହିଛନ୍ତି। ବୁଧବାର ଦକ୍ଷିଣ କରୋଲିନାର ପେଣ୍ଡଲଟନସ୍ଥିତ ଟି. ଏଡ୍ ଗ୍ୟାରିସନ୍ ଆରେନାରେ ରିପବ୍ଲିକାନ୍ ସମର୍ଥକଙ୍କ ଏକ ସମାବେଶକୁ ସମ୍ବୋଧିତ କରି ଟ୍ରମ୍ପ ଏହି ମନ୍ତବ୍ୟ ଦେଇଛନ୍ତି।
ଏଥିସହ ରୁଷ୍ ସମ୍ପର୍କିତ ତଦନ୍ତର ଖବର ପ୍ରକାଶ କରି ପୁଲିଜର ପୁରସ୍କାର ପାଇଥିବା ସାମ୍ବାଦିକଙ୍କୁ ସେ କଡ଼ା ସମାଲୋଚନା କରିଛନ୍ତି। ଟ୍ରମ୍ପ କହିଛନ୍ତି, ‘ମୋତେ ନୋବେଲ ପୁରସ୍କାର ମିଳିଲା ନାହିଁ। ପୁଲିଜର ପୁରସ୍କାର ମଧ୍ୟ ମିଳିଲା ନାହିଁ। ମୋ ଲେଖା ପାଇଁ ମୋତେ ପୁଲିଜର ପୁରସ୍କାର ମିଳିବା ଉଚିତ ଥିଲା।’ ରୁଷ୍ ସମ୍ପର୍କିତ ଖବର ପ୍ରକାଶ କରିଥିବା ସାମ୍ବାଦିକମାନେ ଏହି ପୁରସ୍କାର ପାଇବାକୁ ଯୋଗ୍ୟ ନଥିଲେ ବୋଲି ସେ ଦାବି କରିଛନ୍ତି। ରୁଷ୍ ପ୍ରସଙ୍ଗରେ ସେମାନେ ଯାହା ଲେଖିଥିଲେ, ତାହା ଭୁଲ୍ ଥିଲା। ସେମାନଙ୍କ ସମସ୍ତ ରିପୋର୍ଟ ଭୁଲ୍ ଥିଲା ବୋଲି ଟ୍ରମ୍ପ କହିଛନ୍ତି।
ସାମ୍ବାଦିକଙ୍କୁ କଡ଼ା ସମାଲୋଚନା
୨୦୧୬ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୁଷ୍ର ହସ୍ତକ୍ଷେପ ଓ ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ଦଳ ସହ ରୁଷ୍ର ସମ୍ଭାବ୍ୟ ସମ୍ପର୍କ ଉପରେ ଖବର ପ୍ରକାଶ କରିଥିବାରୁ ୨୦୧୮ରେ ‘ଦି ନ୍ୟୁୟର୍କ ଟାଇମ୍ସ’ ଓ ‘ଦି ୱାସିଂଟନ ପୋଷ୍ଟ’କୁ ପୁଲିଜର ପୁରସ୍କାର ମିଳିଥିଲା। ଟ୍ରମ୍ପ ଏହି ଖବରଗୁଡ଼ିକୁ ଭୁଲ୍ ଦର୍ଶାଇ ପୁରସ୍କାର ପ୍ରତ୍ୟାହାର ଦାବି କରିଥିଲେ। କିନ୍ତୁ ୨୦୨୨ରେ ପୁଲିଜର ପୁରସ୍କାର ବୋର୍ଡ ତାଙ୍କ ଦାବି ଖାରଜ କରିଦେଇଥିଲା। ପୁରସ୍କୃତ ରିପୋର୍ଟଗୁଡ଼ିକ ଭୁଲ୍ ଥିବାର କୌଣସି ପ୍ରମାଣ ମିଳିନଥିବା ବୋର୍ଡ ସ୍ପଷ୍ଟ କରିଥିଲା।
ପୁଲିଜର ପୁରସ୍କାର ଆମେରିକାର ସାମ୍ବାଦିକତା, ସାହିତ୍ୟ, ନାଟକ ଓ ସଙ୍ଗୀତ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରତିବର୍ଷ ପ୍ରଦାନ କରାଯାଏ। ତେବେ ନିଜର କେଉଁ ଲେଖା ପାଇଁ ଏହି ପୁରସ୍କାର ମିଳିବା ଉଚିତ ବୋଲି ଟ୍ରମ୍ପ ଭାବୁଛନ୍ତି, ତାହା ସେ ସ୍ପଷ୍ଟ କରିନାହାନ୍ତି। ଟ୍ରମ୍ପଙ୍କ ନାମରେ ବ୍ୟବସାୟ, ରାଜନୀତି, ଅର୍ଥନୀତି ଓ ଆତ୍ମଜୀବନୀ ସମ୍ପର୍କିତ ପ୍ରାୟ ୨୦ଟି ପୁସ୍ତକ ପ୍ରକାଶ ପାଇଛି। ୧୯୮୭ରେ ପ୍ରକାଶିତ ‘ଦି ଆର୍ଟ ଅଫ୍ ଦି ଡିଲ୍’ ତାଙ୍କର ପ୍ରଥମ ଓ ବହୁଚର୍ଚ୍ଚିତ ପୁସ୍ତକ। ତେବେ ଏହି ପୁସ୍ତକଟି ଟ୍ରମ୍ପଙ୍କ ପାଇଁ ଟୋନି ସ୍ୱାର୍ଜ ଲେଖିଥିଲେ। ତାଙ୍କ ନାମରେ ପ୍ରକାଶିତ ଅନ୍ୟାନ୍ୟ ପୁସ୍ତକ ମଧ୍ୟରୁ ଅନେକ ସହଲେଖକ ଓ ଭଡ଼ାଟିଆ ଲେଖକଙ୍କ ସହାୟତାରେ ପ୍ରସ୍ତୁତ ହୋଇଛି।
ସୌଜନ୍ୟ ସମ୍ବାଦ