society: ସମାଜକୁ ବିଭାଜନକାରୀ ଶକ୍ତି ବିରୋଧରେ ଏକଜୁଟ ହେବାକୁ ଆହ୍ୱାନ ଦେଲେ ମୋଦୀ
ମୋଦୀ କହିଛନ୍ତି, ଗତ କିଛି ଦଶନ୍ଧି ମଧ୍ୟରେ ସମୟ ବଦଳିଛି। ଦେଶ ସମ୍ମୁଖରେ ନୂଆ ଆହ୍ୱାନ ଆସିବା ସହ ସମାଜରେ ନୂଆ ନୂଆ ବିକୃତି ଦେଖାଦେଇଛି। ଏସବୁର ସମାଧାନ କରିବାର ଦାୟିତ୍ୱ ଆମ ସମସ୍ତଙ୍କର।

ନୂଆଦିଲ୍ଲୀ: ସମାଜରେ ଦେଖାଦେଉଥିବା ନୂଆ ଆହ୍ୱାନ ଓ ସାମାଜିକ ବିକୃତିର ମୁକାବିଲା ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ। ଏଥିସହ ସମାଜକୁ ବିଭାଜିତ କରିବାକୁ ଉଦ୍ୟମ କରୁଥିବା ଶକ୍ତିଗୁଡ଼ିକ ବିରୋଧରେ ଏକଜୁଟ ହେବା ସହ ଯୁବବର୍ଗଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରିତ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଶୁକ୍ରବାର ନୂଆଦିଲ୍ଲୀରେ ଚିନ୍ମୟ ଅମୃତ ମହୋତ୍ସବ ଗ୍ଲୋବାଲ୍ ସମ୍ମିଳନୀର ଉଦ୍ଘାଟନ କରି ସେ ଏହି ଆହ୍ୱାନ ଦେଇଛନ୍ତି।
ମୋଦୀ କହିଛନ୍ତି, ଗତ କିଛି ଦଶନ୍ଧି ମଧ୍ୟରେ ସମୟ ବଦଳିଛି। ଦେଶ ସମ୍ମୁଖରେ ନୂଆ ଆହ୍ୱାନ ଆସିବା ସହ ସମାଜରେ ନୂଆ ନୂଆ ବିକୃତି ଦେଖାଦେଇଛି। ଏସବୁର ସମାଧାନ କରିବାର ଦାୟିତ୍ୱ ଆମ ସମସ୍ତଙ୍କର। ସମାଜକୁ ବିଭାଜିତ କରିବାକୁ ଚାହୁଥିବା ଶକ୍ତି ବିରୋଧରେ ଏକତା ବଜାୟ ରଖିବା ସହ ପ୍ରତ୍ୟେକ ନାଗରିକଙ୍କୁ ଆତ୍ମନିର୍ଭରଶୀଳତାର ଗୁରୁତ୍ୱ ବୁଝାଇବାକୁ ହେବ। ଏଥିସହ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସଂକଳ୍ପ ସହ ପ୍ରତ୍ୟେକ ଭାରତୀୟଙ୍କୁ ଯୋଡ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଭାରତୀୟ ସଂସ୍କୃତିର ମହତ୍ତ୍ୱ ଉପରେ ଆଲୋକପାତ କରି ମୋଦୀ କହିଥିଲେ, ଭାରତ ହେଉଛି ସଂସ୍କୃତିର ଜନ୍ମଭୂମି ଏବଂ ଏହା ଦେଶର ଅସ୍ତିତ୍ୱର ମୂଳଦୁଆ। ଚିନ୍ମୟ ମିସନର ଉଦ୍ୟମ ଯୋଗୁଁ ଆଜି ଲକ୍ଷ ଲକ୍ଷ ଯୁବକ ଭାରତର ସାଂସ୍କୃତିକ ପ୍ରତିନିଧି ଭାବେ କାର୍ଯ୍ୟ କରୁଛନ୍ତି। ଚିନ୍ମୟ ମିସନ କେବଳ ଏକ ଅନୁଷ୍ଠାନ ନୁହେଁ, ଏହା ଏକ ବିଚାରଧାରା ବୋଲି ମୋଦୀ କହିଥିଲେ। ‘ଚିନ୍ମୟ’ର ଅର୍ଥ ହେଉଛି ଶୁଦ୍ଧ ଚେତନା। ସ୍ୱାମୀ ଚିନ୍ମୟାନନ୍ଦଙ୍କ ଦ୍ୱାରା ୧୯୫୧ରେ ପ୍ରତିଷ୍ଠିତ ଏହି ମିସନ ବେଦାନ୍ତ ଓ ଭଗବଦ୍ଗୀତାର ଜ୍ଞାନକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଯୁବବର୍ଗଙ୍କ ମଧ୍ୟରେ ଭାରତୀୟ ମୂଲ୍ୟବୋଧର ପ୍ରସାର କରୁଛି।
ସୌଜନ୍ୟ ସମ୍ବାଦ




