Maldives: ପାକିସ୍ତାନ ସହ ମାଳଦ୍ୱୀପର ପ୍ରତିରକ୍ଷା ଚୁକ୍ତି : ଭାରତ ମହାସାଗର ଅଞ୍ଚଳରେ ପାକିସ୍ତାନର ପ୍ରଭାବ ବୃଦ୍ଧି ନେଇ ଚର୍ଚ୍ଚା
ପାକିସ୍ତାନ ସହ ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ସଦ୍ୟ ପାକିସ୍ତାନ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ ସମୟରେ ଉଭୟ ଦେଶ ପ୍ରତିରକ୍ଷା ଓ ସାମୁଦ୍ରିକ ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ୨୦ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି।

ମାଲେ: ପାକିସ୍ତାନ ସହ ସମ୍ପର୍କକୁ ଆହୁରି ମଜଭୁତ କରିବା ଦିଗରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ସଦ୍ୟ ପାକିସ୍ତାନ ଗସ୍ତ ଗୁରୁତ୍ୱ ବହନ କରୁଛି। ଏହି ଗସ୍ତ ସମୟରେ ଉଭୟ ଦେଶ ପ୍ରତିରକ୍ଷା ଓ ସାମୁଦ୍ରିକ ସୁରକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ୨୦ଟି ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ଏଥିସହ ଦକ୍ଷିଣ ଏସିଆର ଆଞ୍ଚଳିକ ସହଯୋଗ ସଂଗଠନ (ସାର୍କ)ର ଶିଖର ସମ୍ମିଳନୀ ଶୀଘ୍ର ଆୟୋଜନ କରିବାକୁ ମୁଇଜ୍ଜୁ ଆହ୍ୱାନ ଦେଇଛନ୍ତି। ତାଙ୍କର ଏହି ପଦକ୍ଷେପ ଭାରତ ମହାସାଗର ଅଞ୍ଚଳରେ ପାକିସ୍ତାନର କୂଟନୈତିକ ପ୍ରଭାବ ନେଇ ନୂଆ ଚର୍ଚ୍ଚା ସୃଷ୍ଟି କରିଛି।
ଅକ୍ଟୋବର ୨୦ରୁ ୨୨ ପର୍ଯ୍ୟନ୍ତ ମୁଇଜ୍ଜୁ ପାକିସ୍ତାନ ଗସ୍ତରେ ଥିଲେ। ଏହି ଅବସରରେ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ଙ୍କ ସହ ଆଲୋଚନା କରିବା ସହ ରାଷ୍ଟ୍ରପତି ଆସିଫ୍ ଅଲି ଜର୍ଦାରୀ ଓ ସେନାମୁଖ୍ୟ ଅସୀମ ମୁନିର୍ଙ୍କୁ ମଧ୍ୟ ଭେଟିଥିଲେ। ଉଭୟ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୬୦ ବର୍ଷ ପୂର୍ତ୍ତି ଅବସରରେ ଏହି ଗସ୍ତ ହୋଇଥିଲା। ସ୍ୱାକ୍ଷରିତ ୨୦ଟି ବୁଝାମଣାପତ୍ର ମଧ୍ୟରେ ପ୍ରତିରକ୍ଷା ସହଯୋଗ, ସାମୁଦ୍ରିକ ସୁରକ୍ଷା, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ମତ୍ସ୍ୟଚାଷ, ପର୍ଯ୍ୟଟନ, ସୂଚନା ପ୍ରଯୁକ୍ତି, ପୁଲିସ ଓ ଯୁବବର୍ଗଙ୍କ ବିକାଶ ଆଦି କ୍ଷେତ୍ର ରହିଛି। ଆଗାମୀ ଦୁଇ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ କୋଟି ଡଲାରରେ ପହଞ୍ଚାଇବାକୁ ଉଭୟ ଦେଶ ଲକ୍ଷ୍ୟ ରଖିଛନ୍ତି। ମାଳଦ୍ୱୀପର ଜାତୀୟ ବିମାନ ସେବା ସଂସ୍ଥା ପାକିସ୍ତାନର କରାଚୀକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବା ଯୋଜନା ମଧ୍ୟ ରହିଛି।
ସାର୍କର ଭୂମିକା ଉପରେ ଗୁରୁତ୍ୱ ଦେଇ ମୁଇଜ୍ଜୁ କହିଛନ୍ତି, ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ବିଶ୍ୱାସ ଓ ଆଲୋଚନା ବୃଦ୍ଧି କରିବା ଆବଶ୍ୟକ। ଏଥିପାଇଁ ମାଳଦ୍ୱୀପ ଅନ୍ୟ ସଦସ୍ୟ ଦେଶଗୁଡ଼ିକ ସହ କାମ କରିବାକୁ ପ୍ରସ୍ତୁତ। ସାର୍କର ଶେଷ ଶିଖର ସମ୍ମିଳନୀ ୨୦୧୪ରେ ନେପାଳରେ ହୋଇଥିଲା। ୨୦୧୬ରେ ପାକିସ୍ତାନରେ ହେବାକୁ ଥିବା ସମ୍ମିଳନୀ ଜମ୍ମୁ-କାଶ୍ମୀରର ଉରି ଆକ୍ରମଣ ପରେ ବାତିଲ ହୋଇଥିଲା। ମୁଇଜ୍ଜୁଙ୍କ ଏହି ଗସ୍ତ ମାଳଦ୍ୱୀପ-ପାକିସ୍ତାନ ସମ୍ପର୍କରେ ନୂଆ ଅଧ୍ୟାୟ ଯୋଡ଼ିଥିବା ବେଳେ ଏହା ଭାରତ ମହାସାଗର ଅଞ୍ଚଳର ରଣନୈତିକ ସମୀକରଣ ଉପରେ କି ପ୍ରଭାବ ପକାଇବ, ତାହା ଉପରେ ନଜର ରହିଛି।
ସୌଜନ୍ୟ ସମ୍ବାଦ




