Konark temple: ସୂର୍ଯ୍ୟମନ୍ଦିର ସମ୍ମୁଖ ଜମି ବିବାଦ ମାମଲା: ସରକାରୀ ଖାତାକୁ ଫେରିଲା ୧୧୦ କୋଟିରୁ ଅଧିକ ଟଙ୍କାର ଜମି
ବିଶ୍ବ ପ୍ରସିଦ୍ଧ କୋଣାର୍କସ୍ଥିତ ‘ସୂର୍ଯ୍ୟ ମନ୍ଦିର’ ସମ୍ମୁଖର ୧୧ଏକରୁ ଅଧିକ ଜମି ବିବାଦ ନେଇ ରାଜସ୍ୱ ପର୍ଷଦ ଐତିହାସିକ ରାୟ ଦେଇଛନ୍ତି। ୧୧୦କୋଟିରୁ ଅଧିକ ଟଙ୍କାର ମୂଲ୍ୟବାନ ଜମିକୁ ନେଇ ନିଷ୍ପତ୍ତି ହୋଇଛି। ତୁରନ୍ତ ସରକାରୀ ଖାତାକୁ ଜମି ଫେରାଇବାକୁ ବନ୍ଦୋବସ୍ତ...

କଟକ: ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର ସମ୍ମୁଖ ଅଞ୍ଚଳର ୧୧ ଏକରରୁ ଅଧିକ ମୂଲ୍ୟବାନ ଜମି ସରକାରୀ ଖାତାକୁ ଫେରିବ। ଏହି ଜମିର ଆନୁମାନିକ ମୂଲ୍ୟ ୧୧୦ କୋଟି ଟଙ୍କା ହେବ। ଏହି ବହୁ ଚର୍ଚ୍ଚିତ ଜମି ବିବାଦରେ ଓଡ଼ିଶା ରାଜସ୍ବ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପୂର୍ବତନ ଭୂ-ଅଭିଲୋଖ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ ୧୯୮୯ର ଆଦେଶକୁ ରାଜସ୍ବ ପର୍ଷଦ ସଦସ୍ୟ ରଦ୍ଦ କରିଛନ୍ତି। ରାଜ୍ୟ ସରକାରଙ୍କ ଅନୁମୋଦନ ସହିତ ପୁରୀ ଜିଲ୍ଲାପାଳ ଦାଖଲ କରିଥିବା ଦୁଇଟି ରିଭିଜନ ମାମଲାକୁ ରାଜସ୍ବ ପର୍ଷଦ ସଦସ୍ୟ ଗ୍ରହଣ କରି ଏପରି ରାୟ ପ୍ରଦାନ କରିଛନ୍ତି। ସରକାରୀ ସମ୍ପତ୍ତିର ସୁରକ୍ଷା, ଜମିର ମୂଳ ମାଲିକାନା ଓ ପୁରୁଣା ରାଜସ୍ବ ରେକର୍ଡର ବୈଧତାକୁ ବିଚାରକୁ ନେଇ ଏହି ଉଲ୍ଲେଖନୀୟ ରାୟ ପ୍ରଦାନ କରାଯାଇଛି।
ଜମିର ଉଚ୍ଚ ମୂଲ୍ୟ, ଗୁରୁତ୍ବପୂର୍ଣ୍ଣ ଅବସ୍ଥିତି ଓ ସରକାରୀ ସମ୍ପତ୍ତି ସହ ଏହାର ସଂପୃକ୍ତିକୁ ବିଚାରକୁ ନେଇ ପୁରୀ ଜିଲ୍ଲାପାଳ ୨୦୨୫, ନଭେମ୍ବରରେ ରାଜସ୍ବ ପର୍ଷଦଙ୍କ ନିକଟରେ ଦୁଇଟି ରିଭିଜନ ମାମଲା ଦାୟର କରିଥିଲେ। ଏହାପରେ ମାମଲାର ରାଜସ୍ବ ପର୍ଷଦ ସଦସ୍ୟ ତ୍ବରିତ ଶୁଣାଣି କରିବା ସହିତ ବିଭିନ୍ନ ତଥ୍ୟ ପ୍ରମାଣ ତଥା ଆଇନଗତ ଓ ରାଜସ୍ବ ସମ୍ବନ୍ଧୀୟ ଦିଗକୁ ତର୍ଜମା କରିଥିଲେ। ଜମିର ମୂଳ ଅଧିକାର, ପୁରୁଣା ହାତ ପଟ୍ଟାର ବୈଧତା, ପୂର୍ବରୁ ପ୍ରସ୍ତୁତ ରାଜସ୍ବ ରେକର୍ଡ ଓ ଦାବିର ଆଇନଗତ ଆଧାର ଭଳି ଜଟିଳ ପ୍ରସଂଗକୁ ବିଚାରକୁ ନେଇ ଏହି ରାୟ ପ୍ରକାଶ ପାଇଛି। କୋଣାର୍କ ଭଳି ବିଶ୍ବଐତିହ୍ୟସ୍ଥଳୀ ନିକଟରେ ଥିବା ସରକାରୀ ଜମିର ସୁରକ୍ଷା କେବଳ ରାଜସ୍ବ ପ୍ରଶାସନର ଦାୟିତ୍ବ ନୁହେଁ, ଏହା ଆଗାମୀ ପିଢି ପାଇଁ ସାମୂହିକ ସଂପଦକୁ ସୁରକ୍ଷିତ ରଖିବା ସହ ଜଡିତ।
ମାମଲାର ବିବରଣୀରୁ ପ୍ରକାଶ ଯେ ପୁରୀ ଜିଲ୍ଲାର କୋଣାର୍କ ମୌଜାରେ ଅବସ୍ଥିତ ବିବାଦୀୟ ଜମିର ସାବିକ ରେକର୍ଡରେ ଅନାବାଦୀ/ପୁରାତନ ପତିତ ଭାବେ ଉଲ୍ଲେଖ ଥିଲା। ପରବର୍ତ୍ତୀ ସମୟରେ ଏହାର ଏକ ଅଂଶ ଭୂ-ଅଭିଲେଖ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ ଅଦାଲତଙ୍କ ଆଦେଶକ୍ରମେ ୧୯୮୯ରେ ଜନୈକ ଘରୋଇ ବ୍ୟକ୍ତିଙ୍କ ନାମରେ ସ୍ଥିତିବାନ ଭାବେ ରେକର୍ଡ ହୋଇଥିଲା। ତାଙ୍କ ପକ୍ଷରୁ ଦାବି କରାଯାଇଥିଲା ଯେ ପୂର୍ବତନ ଜମିଦାରଙ୍କ ପକ୍ଷରୁ ବହୁବର୍ଷ ପୂର୍ବରୁ ଦୁଇଟି ହାତ ପଟ୍ଟା ମାଧ୍ୟମରେ ଜମି ତାଙ୍କୁ ଦିଆଯାଇଥିଲା। ଭୂ-ଅଭିଲେଖ ଓ ବନ୍ଦୋବସ୍ତ ଆୟୁକ୍ତ ଦୁଇ ମାସ ଭିତରେ ଏପରି ଦାବି ନେଇ ଦାୟର ମାମଲାର ଶୁଣାଣି କରି ଘରୋଇ ବ୍ୟକ୍ତିଙ୍କ ସପକ୍ଷରେ ରାୟ ଦେଇଥିଲେ। ଶୁଣାଣି ବେଳେ ପୁରୀ ଜିଲ୍ଲାପାଳଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିବା ଅଭିଯୋଗ ହୋଇଥିଲା।
ଏହି ବିବାଦରେ ମୂଳ ପ୍ରଶ୍ନ ଥିଲା ସଂପୃକ୍ତ ହାତ ପଟ୍ଟା ଗୁଡ଼ିକ ଆଇନ ଅନୁଯାୟୀ ବୈଧ ବା ନୁହେଁ। ଯେଉଁ ବ୍ୟକ୍ତି ଏହି ଜମି ପ୍ରଦାନ କରିଥିଲେ ବୋଲି ଦାବି କରାଯାଇଥିଲା ସଂପୃକ୍ତ ବ୍ୟକ୍ତିଙ୍କ ଜମି ହସ୍ତାନ୍ତର ପାଇଁ ଆଇନଗତ କ୍ଷମତା ଥିଲା ବା ନାହିଁ ସେ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା। ଏଥି ସହିତ ଏହି ଜମିରେ ସ୍ଥିତିବାନ ଅଧିକାର ସୃଷ୍ଟି ହୋଇ ପାରିବ କି ନାହିଁ ସେ ନେଇ ମଧ୍ୟ ଆଇନଗତ ପ୍ରଶ୍ନ ଦେଖା ଦେଇଥିଲା। ଏହି ବିବାଦରେ ବୃହତ ସାବିକ ପ୍ଲଟ ମଧ୍ୟରେ ସରକାରୀ ରାସ୍ତା ଥିବା ସଂପର୍କରେ ତହସିଲଦାରଙ୍କ ସରଜମିନ ତଦନ୍ତ ରିପୋର୍ଟ ମଧ୍ୟ ଗୁରୁ୍ତ୍ବ ବହନ କରିଥିଲା।
କୋଣାର୍କ ଭଳି ପର୍ଯ୍ୟଟନସ୍ଥଳୀ ନିକଟରେ ଜମିର ସୀମା, ରାସ୍ତା, ରାଜସ୍ବ ରେକର୍ଡରେ ଅସଂଗତି ରହିଲେ ଭବିଷ୍ୟତରେ ସାଧାରଣ ଲୋକଙ୍କ ଯାତାୟତ, ପର୍ଯ୍ୟଟନର ବିକାଶ, ସରକାରୀ ଯୋଜନାର କାର୍ଯ୍ୟାନ୍ବୟନକୁ ପ୍ରଭାବିତ କରିପାରେ। ଏହି ଦୃଷ୍ଟିରୁ ଜମିର ନିର୍ଭୁଲ ଚିହ୍ନଟ ଓ ରେକର୍ଡ ସଂଶୋଧନ ବିଶେଷ ଗୁରୁତ୍ବ ବହନ କରେ ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ଏହାପରେ ରାଜସ୍ବ ପର୍ଷଦ ସଦସ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ୧୯୮୯ର ଭୂ-ଅଭିଲେଖ ଓ ବନ୍ଦୋବସ୍ତ ଆୟୁକ୍ତଙ୍କ ଅଦାଲତଙ୍କ ଆଦେଶକୁ ରଦ୍ଦ କରିଛନ୍ତି। ସାବିକ ଓ ହାଲ ରେକର୍ଡ, ନକ୍ସା, ଜମିର ପରିମାଣ, ସୀମାକୁ ଯାଞ୍ଚ କରି ଆଇନ ଅନୁଯାୟୀ ଆବଶ୍ୟକ ରେକର୍ଡ ସଂଶୋଧନ କରିବା ସହ ସରକାରୀ ରାସ୍ତା ଓ ସଂପତ୍ତିର ସୁରକ୍ଷା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାୟ ଜମିର ମୂଳ ଅଧିକାର, ପୁରୁଣା ରାଜସ୍ବ ରେକର୍ଡର ଆଇନଗତ ମାନ୍ୟତା ଓ ସରକାରୀ ସଂପତ୍ତିର ସୁରକ୍ଷା ଉପରେ ପ୍ରଶାସନିକ ସତର୍କତାର ଗୁରୁତ୍ବକୁ ପୁନର୍ବାର ସ୍ପଷ୍ଟ କରିଛି। ସରକାରଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଶଙ୍କର ଦାସ ମାମଲା ପରିଚାଳନା କରୁଥିଲେ।
ସୌଜନ୍ୟ ସମ୍ବାଦ




