Israel Iran tensions: ଇସ୍ରାଏଲ ସେନା ଏବଂ ନେତାନ୍ୟାହୁଙ୍କ ମଧ୍ୟରେ ଫାଟ: ଇରାନ ଉପରେ ଆକ୍ରମଣ କରିବାକୁ ମନା କଲେ ଆଇଡିଏଫ୍ ମୁଖ୍ୟ
ଇସ୍ରାଏଲରେ ସେନା ମୁଖ୍ୟ ଇୟାଲ୍ ଜମିର ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ଉଭୟଙ୍କ ମଧ୍ୟରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ସେନା ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ମୌଖିକ ନିର୍ଦ୍ଦେଶକୁ...

ତେଲ ଅଭିଭ: ଇସ୍ରାଏଲରେ ସେନା ମୁଖ୍ୟ ଇୟାଲ୍ ଜମିର ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ସବୁକିଛି ଠିକ୍ ଚାଲିନାହିଁ। ଉଭୟଙ୍କ ମଧ୍ୟରେ ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ, ସେନା ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ମୌଖିକ ନିର୍ଦ୍ଦେଶକୁ ମାନିବାକୁ ମନା କରିଦେଇଛି। ଇସ୍ରାଏଲୀ ଗଣମାଧ୍ୟମ ଏହି ଦାବି କରିଛି। ଟାଇମ୍ସ ଅଫ୍ ଇସ୍ରାଏଲ ଏହାର ରିପୋର୍ଟରେ ଏହାକୁ ଇସ୍ରାଏଲର ଇତିହାସରେ ପୂର୍ବରୁ କେବେ ଦେଖାଯାଇନଥିବା ସଂଘର୍ଷ ବୋଲି କହିଛି। ଅକ୍ଟୋବର ୨୭ରେ ଇସ୍ରାଏଲରେ ହେବାକୁଥିବା ନିର୍ବାଚନ ପୂର୍ବରୁ ଏହି ରିପୋର୍ଟ ଆସିଛି।ଚ୍ୟାନେଲ ୧୨ ଅନୁଯାୟୀ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ(ଆଇଡିଏଫ) ମୁଖ୍ୟ ଇୟାଲ୍ ଜମିରଙ୍କ ମଧ୍ୟରେ ଏକ ସମ୍ପୂର୍ଣ୍ଣ ନୂଆ ଲଢ଼େଇ ଦେଖିବାକୁ ମିଳିଛି। ମଙ୍ଗଳବାର ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପୂର୍ବରୁ ଇସ୍ରାଏଲୀ ରାଜନୈତିକ ନେତୃତ୍ୱ ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେବାକୁ ଚେଷ୍ଟା କରିବା ସମୟରେ ଏହି ସଂଘର୍ଷ ଆରମ୍ଭ ହୋଇଛି।
ସେନା ମୁଖ୍ୟ ଜମିର ସାମରିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରୁଛନ୍ତି। ସେ ନେତାନ୍ୟାହୁଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଆଇନଗତ ଅନୁମୋଦନ ସମ୍ପର୍କରେ ଲିଖିତ ଏବଂ ସ୍ୱାକ୍ଷରିତ ଦଲିଲ ମାଗିଛନ୍ତି। ଚ୍ୟାନେଲ ୧୨ କହିଛି ଯେ, ଗତ ୨୪ ଘଣ୍ଟା ଶନିବାର-ରବିବାର ମଧ୍ୟରେ ଏହି ମାମଲା ବହୁତ ଗମ୍ଭୀର ହୋଇଯାଇଛି। ପରଦା ପଛରେ ଏନେଇ ବହୁ ଟଣାଓଟରା ଚାଲିଛି। ରିପୋର୍ଟରେ କୁହାଯାଇଛି ଯେ, ସମଗ୍ର ମାମଲା ଇରାନ ପ୍ରସଙ୍ଗ ସହିତ ଜଡିତ । ଜମିର ଏବଂ ଅନ୍ୟ ବରିଷ୍ଠ ସେନା ଅଧିକାରୀମାନେ ଚିନ୍ତିତ ଯେ, ନିର୍ବାଚନ ପୂର୍ବରୁ ରାଜନୈତିକ ନେତୃତ୍ୱ ଇସ୍ରାଏଲକୁ ଏପରି ପରିସ୍ଥିତିକୁ ଠେଲି ଦେଇପାରନ୍ତି ଯାହା ଦ୍ବାରା ପରିଣାମର ଭୁଲ୍ ଆକଳନ କରି ଏକ ଭୁଲ୍ ନିଷ୍ପତ୍ତି ନିଆଯିବାର ଆଶଙ୍କା ରହିଛି। ଏହା ଏପରି ଏକ ପଦକ୍ଷେପ ଯାହା ଇରାନ ସହିତ ଉତ୍ତେଜନାକୁ ବୃଦ୍ଧି କରିପାରେ। ଏତେ ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ସମୟରେ ଏହି ପଦକ୍ଷେପ ନେବା ଏକ ଗମ୍ଭୀର ଭୁଲ୍ ପ୍ରମାଣିତ ହୋଇପାରେ।
ସୌଜନ୍ୟ ସମ୍ବାଦ




