Traditional Healer Found Murdered ନିଛାଟିଆ ଜଙ୍ଗଲ ରାସ୍ତାରେ କବିରାଜଙ୍କୁ ବିଭତ୍ସ ହତ୍ୟା, ଗୁଣିଗାରେଡ଼ି ନା ଟଙ୍କାଲୋଭ ଦୋଛକିରେ ପୁଲିସ
ମୟୂରଭଞ୍ଜର ଗୋରୁମହିଷାଣୀ ଥାନା ଅଞ୍ଚଳରେ କବିରାଜ ରାମେଶ୍ୱର ପିଙ୍ଗୁଆଙ୍କ ମୃତଦେହ ଜଙ୍ଗଲ ରାସ୍ତାରୁ ଉଦ୍ଧାର ହୋଇଛି। ହତ୍ୟା ମାମଲା ରୁଜୁ କରି ଗୁଣିଗାରେଡ଼ି ସନ୍ଦେହ ଓ ଟଙ୍କା ଲୁଟ୍ ସମ୍ଭାବନାରୁ ପୁଲିସ ତଦନ୍ତ କରୁଛି।

ରାଇରଙ୍ଗପୁର (ତୁଷାରକାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାରେ ଗୁଣିଗାରେଡ଼ି ସନ୍ଦେହରେ ଗୋରୁମହିଷାଣୀ ଥାନା ଅଧୀନ ମଢ଼େଇକଚା ପଞ୍ଚାୟତ କାକୁଡ଼ିରୁମା-ଖେଜୁରୀ ଗାଁରେ ଜଣେ କବିରାଜ (ଆୟୁର୍ବେଦ ଚିକିତ୍ସକ)ଙ୍କୁ ହତ୍ୟା କରାଯାଇଛି।
ସୂଚନାନୁସାରେ, ମୃତକ ଜଣକ ହେଉଛନ୍ତି ଗୋରୁମହିଷାଣୀ ଥାନା ତାଣ୍ଡିପାଣି ଗ୍ରାମର ବୁଧୁ ପିଙ୍ଗୁଆଙ୍କ ପୁଅ ରାମେଶ୍ୱର ପିଙ୍ଗୁଆ (୪୫)। ସେ ଦୀର୍ଘ ବର୍ଷ ହେଲା ଚେରମୂଳି ଓ ପାରମ୍ପରିକ ଔଷଧ ବିକ୍ରି କରି ପରିବାର ପୋଷଣ କରୁଥିଲେ। ପ୍ରତି ଶନିବାର ବିଶୋଇ ସାପ୍ତାହିକ ହାଟରେ ଦୋକାନ ପକାଉଥିଲେ। ଗତକାଲି (ଶନିବାର) ସେ ବ୍ୟବସାୟୀ ସାରି ରାତି ପ୍ରାୟ ୮ଟା ବେଳେ ରାମେଶ୍ବର ହାଟରୁ ନିଜର ମୋଟରସାଇକଲରେ କାକୁଡ଼ିରୁମା-ଖେଜୁରୀ ଜଙ୍ଗଲରାସ୍ତାରେ ଘରକୁ ଫେରୁଥିଲେ। ଏହି ରାସ୍ତାରେ ତାଙ୍କୁ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।
ଆଜି ସକାଳେ ଉକ୍ତ ରାସ୍ତା ଦେଇ ଯାଉଥିବା କେତେକ ଲୋକ ରାମେଶ୍ବରଙ୍କ କ୍ଷତାକ୍ତ ମୃତଦେହ ଦେଖି ପୁଲିସକୁ ସୂଚିତ କରିଥିଲେ। ପୁଲିସ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲା। ନିକଟରେ ଏକ ବଡ଼ ତେଲେଙ୍ଗାନା ଧାରୁଆ ଖଣ୍ଡା ଓ ରମେଶ୍ବରଙ୍କ ମୋଟରସାଇକଲ୍ ଓଲଟି ପଡ଼ିଥିଲା। ରାମେଶ୍ବରଙ୍କ ମୁହଁ, ବେକ ଓ ପିଠିରେ ଗଭୀର ଆଘାତ ଲାଗିଥିଲା।
ସୌଜନ୍ୟ ସମ୍ବାଦ




